ଅନୁଗୁଳ , ଜାନୁଆରୀ ୧୮ : ‘ ଅଧୁରା ମହାବଳ ପ୍ରକଳ୍ପକୁ ଆଗେଇ ନେବା ପୂର୍ବରୁ ଜଙ୍ଗଲ ସଜାଡ଼। ସାତକୋଶିଆରେ ଏୟା କର, ସେୟା କର, ସୁରକ୍ଷା ପ୍ରୋଟୋକଲ ପାଳନ କର, ମନିଟରିଂ କୌଶଳର ଆତ୍ମସମୀକ୍ଷା କର। ଅନ୍ତତଃ ଯୁବ ମହାବଳ ‘ମହାବୀର’ ଶିକାରୀ ଫାଶରେ ପଡ଼ି ଯେମିତି ମଲା, ବୁଢ଼ୀ ବାଘୁଣୀ କ୍ଷେତ୍ରରେ ଏହାର ଯେମିତି ପୁନରାବୃତ୍ତି ନ ହୁଏ ସେଥିପାଇଁ ତ୍ବରିତ ପଦକ୍ଷେପ ନିଅ। ସାତକୋଶିଆବାସୀଙ୍କୁ ବାହାର ବ୍ୟାଘ୍ର ପ୍ରକଳ୍ପ ସହ ପରିଚିତ କରାଅ, ଲୋକଙ୍କୁ ସାଥୀରେ ନେଇ ଚାଲ। ଯୁବ ମହାବଳ ‘ମହାବୀର’ର ହତ୍ୟା ପରେ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ (ଏନଟିସିଏ) ସାତକୋଶିଆ ଗ୍ରାଉଣ୍ଡ ଜିରୋ ସମୀକ୍ଷା କରି ଏମିତି ଗଣ୍ଡା ଗଣ୍ଡା ସୁରକ୍ଷା ପରାମର୍ଶ ସବୁ ଦେଇଥିଲେ। କେବଳ କହି ନ ଥିଲେ, ଦୁଇ ଦୁଇ ଥର ଚିଠି ଲେଖି ଓଡ଼ିଶାଠୁ ଏହାର ଜବାବ୍ ବି ମାଗିଥିଲେ। ମାତ୍ର, ବନ ବିଭାଗ ସବୁ ଚିଠିକୁ ଚାପି ଦେଇଥିବା ଜଣାପଡ଼ିଛି।
ସୁରକ୍ଷା ଓ ମନିଟରିଂର କୌଣସି ଠୋସ୍ ବ୍ୟବସ୍ଥା ନ କରି ସାତକୋଶିଆ କର୍ତୃପକ୍ଷ ତରବରିଆ ଭାବେ ମଧ୍ୟପ୍ରଦେଶରୁ ୨୦୧୮ ଜୁନ ମାସରେ ମହାବଳ ବାଘ-ବାଘୁଣୀକୁ ଘେନି ଆସିଥିଲେ। ଭାରତ ବର୍ଷର ପ୍ରଥମ ଅନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ କହି ବେଶ୍ ବାଃ ବାଃ ସାଉଁଟିଲେ। କିନ୍ତୁ କେଇଟା ମାସ ଯାଇନି ଏହାର ପରିଣାମ ବଡ଼ ଭୟଙ୍କର ହେଲା। ସମ୍ମାନ ପରିବର୍ତ୍ତେ ଦୁର୍ନାମ ମୁଣ୍ଡାଇଲା ଓଡ଼ିଶା। ‘ସୁନ୍ଦରୀକାଣ୍ଡ’ ଭଳି ଅଭାବନୀୟ ଘଟଣା ପାଇଁ ବନ୍ଦୀ ହେଲା ବାଘୁଣୀ ସୁନ୍ଦରୀ। ସୁରକ୍ଷା ଅଭାବରୁ ଯୁବ ମହାବଳ ‘ମହାବୀର’ ଶିକାରୀଙ୍କ ଫାଶରେ ସବୁ ଦିନ ପାଇଁ ଜୀବନ ହରାଇଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନଟିସିଏ କର୍ତୃପକ୍ଷ ବ୍ୟାଘ୍ର ପ୍ରକଳ୍ପକୁ ସାମୟିକ ସ୍ଥଗିତ ରଖିଦେଲେ। ପ୍ରକଳ୍ପ ପୁନଃକ୍ଷମ କରିବା ପୂର୍ବରୁ ମହାବଳ ସୁରକ୍ଷା ପାଇଁ ଅନେକ ସୁଚିନ୍ତିତ ମତାମତ ଦେଲେ। ୨୦୧୮ ଡିସେମ୍ବର ୧୧ତାରିଖରେ ଚିଠି ନମ୍ବର ୧୬-୧୩(୨)/୨୦୧୮-ଏନଟିସିଏ/ଓଡ଼ିଶା, ପିସିସିଏଫ୍ (ୱାଇଲ୍ଡ଼ ଲାଇଫ୍), ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ‘ମହାବୀର’ ହତ୍ୟା କଥା ଜୋର୍ ଦେଇ କହିଥିଲେ।
କିନ୍ତୁ ଚିଠି ଉପରେ ବନ ବିଭାଗ କୌଣସି ଉତ୍ତର ରଖିଲା ନାହିଁ। ଏନ୍ଟିସିଏ ଆଣିଥିବା ମହାବୀର ହତ୍ୟା ଅଭିଯୋଗ ଉପରେ ପ୍ରତିବାଦ ବି କଲେ ନାହିଁ, କି ଏତେ ବଡ଼ ଘଟଣାରେ କୌଣସି ଅଧିକାରୀଙ୍କୁ ଦଣ୍ଡିତ ବି କଲେ ନାହିଁ। ବରଂ ତଦନ୍ତ ପୂର୍ବରୁ ସାତକୋଶିଆ କ୍ଷେତ୍ର ନିର୍ଦେଶକ ତଥା ଅତିରିକ୍ତ ପିସିସିଏଫ୍ ଡ. ସୁଦର୍ଶନ ପଣ୍ଡା ମହାବୀର ଶିକାର ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଲେ। ମୁଖିଆ ହିସାବରେ ଏହାର ଉତ୍ତର ଦାୟିତ୍ବ ନିଜେ ମୁଣ୍ଡାଇବା ପରିବର୍ତ୍ତେ ମହାବଳ ଦାୟିତ୍ବରେ ଥିବା ବନ କର୍ମଚାରୀଙ୍କୁ ଗଣମାଧ୍ୟମ ସାମ୍ନାରେ ପୂରା କ୍ଲିନଚିଟ୍ ଦେଇ ଦୋଷ ଢାଙ୍କିବାକୁ ଜୋର୍ସୋର୍ ଉଦ୍ୟମ କଲେ। ଯାହା ବିଭାଗୀୟ ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲା। ଏବେ ଏନଟିସିଏ ଚିଠି ଉପରେ ବି ପିସିସିଏଫ୍ କୌଣସି ଉତ୍ତର ନ ଦେବା ଓ ଏତେ ବଡ଼ ଘଟଣାେର କାହାକୁ ଉତ୍ତରଦାୟୀ ନ କରିବା ଘଟଣା ପିସିସିଏଫଙ୍କ ଭୂମିକା ଉପରେ ବି ସନ୍ଦେହ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଚିଠିର କୌଣସି ଉତ୍ତର ମିଳୁ ନ ଥିବାରୁ ସ୍ଥଗିତ ବ୍ୟାଘ୍ର ସଂପ୍ରସାରଣ ପ୍ରକଳ୍ପ ବି ଆଗେଇ ପାରୁନାହିଁ ବୋଲି ଦିଲ୍ଲୀ ସ୍ଥିତ ଏନଟିସିଏ ମୁଖ୍ୟ ଡ. ଅନୁପ ନାୟକ ‘ସମ୍ବାଦ’କୁ କହିଛନ୍ତି।