ନୂଆଦିଲ୍ଲୀ, ଜାନୁଆରୀ ୧୨ : ପଡିଆକୁ ଫେରିଲେ ଶ୍ରାସନ୍ଥ । ସ୍ପଟ ଫିକ୍ସିଂ ମାମଲାରେ ଯୋଗୁ ସାତ ବର୍ଷ ବ୍ୟାନ ଅବଧି ପରେ ପୁଣି ଥରେ କ୍ରିକେଟ ପଡିଆକୁ ଫେରିଛନ୍ତି କେରଳ ଫାଷ୍ଟ ବୋଲର ଶାନ୍ତାକୁମାରନ ଶ୍ରୀସାନ୍ଥ । ନିଜର ଆଗ୍ରେସିଭ ବୋଲିଙ୍ଗ ପାଇଁ ଅନେକ ବ୍ୟାଟସମାନଙ୍କୁ ଅଡୁଆରେ ପକାଉଥିବା ଏହି ଫାଷ୍ଟ ବୋଲର ଦୀର୍ଘ ୨୮୦୪ ଦିନ ପରେ ପଡିଆକୁ ଫେରିଥିବାରୁ ଭାବବ୍ୱିହଳ ହୋଇ ପଡିଥିଲେ । ୨୦୨୧ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପୁଡୁଚେରୀ ବିପକ୍ଷ ମ୍ୟାଚରେ ପୁଣି ଥରେ କେରଳ ପାଇଁ ପଡିଆକୁ ଓହ୍ଲାଇଥିଲେ ଶ୍ରୀସାନ୍ଥ । ମ୍ୟାଚର ଦ୍ୱିତୀୟ ଓଭରରେ ବୋଲିଙ୍ଗ କରି ୯ ରନ ବ୍ୟୟ କରିଥିଲେ । ମାତ୍ର ମ୍ୟାଚର ଚତୁର୍ଥ ଓଭରରେ ପୁଡୁଚେରୀ ଓପନର ଫବିଦ ଅହମ୍ମଦଙ୍କୁ କ୍ଲିନ ବୋଲଡ କରି ନିଜ କମବ୍ୟାକର ଝଲକ ଦେଇଥିଲେ । ସେ ଏହି ମ୍ୟାଚରେ ୪ ଓଭରରୁ ୨୯ ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ଶ୍ରୀସନ୍ଥ । ଏହି ମ୍ୟାଚରେ ମଧ୍ୟ ପୁଡୁଚେରୀକୁ ୬ ୱିକେଟରେ ହରାଇଛି କେରଳ । ୨୦୦୫ ମସିହାରେ ନିଜର ଆର୍ନ୍ତଜାତୀୟ ଡେବ୍ୟୁ କରିଥିବା ଶ୍ରୀସାନ୍ଥ ଶେଷ ଥର ପାଇଁ ୨୦୧୧ ମସିହାରେ ଆର୍ନ୍ତଜାତୀୟ କ୍ରିକେଟ ଖେଳିଥିଲେ । ୨୦୧୧ ଏକଦିବସୀୟ ବିଶ୍ୱକପ ଏବଂ ୨୦୦୭ ଟି-୨୦ ବିଶ୍ୱକପ ବିଜୟୀ ଭାରତୀୟ ଦଳର ମଧ୍ୟ ସଦସ୍ୟ ଥିଲେ ଶ୍ରୀସାନ୍ଥ । ସେହିପରି ୨୦୧୩ ମସିହାରେ ସେ ଶେଷ ଥର ଭାରତୀୟ ପ୍ରିମିୟର ଲିଗରେ ନଜର ଆସିଥିଲେ । ୨୦୧୩ ମସିହା ଆଇପିଏଲ ସିଜିନରେ ସ୍ପଟ ଫିକ୍ସିଙ୍ଗ ମାମଲାରେ ଅଜିତ ଚାଣ୍ଡିଲା, ଅଙ୍କିତ ଚଭନ ଏବଂ ଶ୍ରୀସାନ୍ଥ କ୍ରିକେଟରୁ ବ୍ୟାନ ହୋଇଥିଲେ । ଦୀର୍ଘ ଦିନ ପରେ ପଡିଆକୁ ଫେରିଥିବା ଶ୍ରୀସାନ୍ଥ ୨୦୨୩ ରେ ହେବାକୁ ଥିବା ବିଶ୍ୱକପରେ ଭାରତକୁ ପ୍ରତିନିଧିତ୍ୱ କରିବାର ଲକ୍ଷ୍ୟ କରିଛନ୍ତି । ଏହା ସହ ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରର୍ଦଶନ କରି ଆଇପିଏଲ ଖେଳିବାକୁ ଆଶା ରଖିଛନ୍ତି ଶ୍ରସାନ୍ଥ ।
115 Views