ରାଉରକେଲା,ନଭେମ୍ବର,୪ : ନିର୍ବାଚନୀ ବଜାରରେ କେନ୍ଦ୍ରୀୟ ଅନୁଦାନ ଅର୍ଥର ଉପଯୋଗରେ ପ୍ରକଳ୍ପକୁ ରାଜନୀତିକରଣ କରି ନିଜ ନାମରେ କରାଇ ନେବାର ଶଟତା ବିଜେଡିର ହୀନ କୌଶଳକୁ ପଦାରେ ପକାଇ ଦେଇଛି । ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ନେଇ ବିଜେଡି ତରଫରୁ କରାଯାଇଥିବା ଏହି ଅନ୍ୟାୟ କାର୍ଯ୍ୟର ପ୍ରତିବାଦରେ ଆଜି ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ଜଗବନ୍ଧୁ ବେହେରାଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳ ମନୀଷା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ ।
ହକି ଖାଦାନ ରୂପେ ପରିଚିତ ସୁନ୍ଦରଗଡର ଅନେକ ପ୍ରତିଭାବାନ ଖେଳାଳୀମାନେ ଭାରତୀୟ ହକି ଦଳକୁ ସମୃଦ୍ଧ କରି ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ଭୁବନେଶ୍ୱରରେ ଚଳିତ ବିଶ୍ୱ କପ୍ ହକି ଖେଳାଯିବାକୁ ଥିବାବେଳେ ରାଉରକେଲାରେ ଏହି ବିଶ୍ୱକପ୍ ହକିର ଗୋଟିଏ ମ୍ୟାଚ୍ କରାଯିବାକୁ ଘୋଷଣା କରାଯାଇଥିଲା । କିନ୍ତୁ ବିଶ୍ୱକପ୍ ବଦଳରେ ଗୋଟିଏ ପ୍ରଦର୍ଶନୀ ମ୍ୟାଚ୍ କରି ଆମକୁ ଭଣ୍ଡେଇ ଦିଆଯାଇଛି । ରାଉରକେଲା ମହାନଗର ନିଗମ ଆନୁକୂଲ୍ୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ସ୍ଥାନୀୟ ସାଂସଦ କିମ୍ବା ବିଧାୟକଙ୍କୁ ନିମନ୍ତ୍ରଣ କରାନଯିବା ଚକ୍ରାନ୍ତ ବାରିହୋଇ ପଡୁଛି ।
ସ୍ମାର୍ଟସିଟି ଯୋଜନାରେ ଉଭୟ ଉଭୟ କେନ୍ଦ୍ର ଓ ରାଜ୍ୟର ଅର୍ଥ ବିନିଯୋଗ ହୋଇଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅତିଥି କରି କେନ୍ଦ୍ର ପ୍ରତିନିଧି ଭାବେ ସ୍ଥାନୀୟ ସାଂସଦଙ୍କୁ ନିମନ୍ତ୍ରଣ ନ କରିବା କେତେଦୂର ସମୀଚିନ ବୋଲି ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୧୬୦ କୋଟି ଟଙ୍କାର ୪୮ଟି ପ୍ରକଳ୍ପ ଶିଳାନ୍ୟାସ ଓ ୧୪୫ କୋଟି ଟଙ୍କାର ୮ଟି ପ୍ରକଳ୍ପକୁ ଲୋକାର୍ପିତ କରାଯିବାର ଯୋଜନା ତରବରିଆ ଭାବେ କରାଯାଇଛି ଏବଂ ତାହା ସ୍ମାର୍ଟସିଟି ଅର୍ଥରେ ହୋଇଛି । ଏଥିରେ ହୀନ ଉଦ୍ଦେଶ୍ୟ ରଖି ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରି ବିଜେଡି ସରକାର ନିଜ କ୍ଷମତାର ଅପବ୍ୟବହାର କରୁଛି ।
କେନ୍ଦ୍ରୀୟ ଅନୁଦାନରେ ନିର୍ମିତ କୌଣସି ପ୍ରକଳ୍ପରେ କେନ୍ଦ୍ରୀୟ ଲୋକ ପ୍ରତିନିଧି ଭାବେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ନାମ ଶିଳାନ୍ୟାସ କିମ୍ବା ଲୋକାର୍ପିତ ଫଳକରେ ରଖିବାକୁ ଦଳ ତରଫରୁ ଦାବି ହୋଇଥିଲା । ତାହା ନ କଲେ ଭବିଷ୍ୟତରେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ପ୍ରଶାସନ ଓ ରାଜ୍ୟ ସରକାରୀ ଦାୟୀ ରହିବେ । ପ୍ରତିନିଧିମାନଙ୍କ ପ୍ରଶ୍ନରେ ଅତିରିକ୍ତ ଜିଲାପାଳ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ବେଳେ କେବଳ ଏସବୁ କାର୍ଯ୍ୟକ୍ରମ ଗତ ୨ ଦିନ ମଧ୍ୟରେ ସ୍ଥିର ହୋଇଥିବାରୁ ସମୟ ମିଳିନଥିଲା ।
ଏ ସମ୍ପର୍କରେ ସେ ନିଗମ କମିଶନରଙ୍କ ସହ ଆଲୋଚନା କରିବେ ବୋଲି ଜଣାଇଥିଲେ । ପ୍ରତିନିଧି ମଣ୍ଡଳୀରେ ନିହାର ରାୟ, ଧିରେନ ସେନାପତି, ତପନ ସ୍ୱାଇଁ, ଭଗବାନ ରାଉତ, ଦିଲ୍ଲୀପ ଦାସ, ଗଙ୍ଗାଧର ଦାଶ, ଶଶାଙ୍କ ଜେନା, ଲତିକା ପଟ୍ଟନାୟକ, ନିକୁଞ୍ଜ ବିହାରୀ ରାୟ, କେଦାର ମହାନ୍ତି, କୈଳାସ ରାଉତ, ଭଭାନୀ କବି, ନୃସିଂହ ଜେନା, ପ୍ରମିଳା ଦାସ ରାଇସନ ତିର୍କୀ, କଳ୍ପନା ଲେଙ୍କା, ବିନ୍ଦର ସିଂ, ଅଙ୍କୁଶ ବର୍ମା, ସନ୍ଦୀପ ଅଗ୍ରୱାଲ, ଦୀପକ ତିୱାରୀ, ବିଜୟ ପାଣିଗ୍ରାହୀ, ହିରୋଜ ରାୟ, ଲକ୍ଷ୍ମଣ ପରିଡା, ସେକ୍ ମୁଜାହିଦ, ସୂର୍ଯ୍ୟ ମହାନ୍ତ, ଭିକି ମିତ୍ତଲ, ଅଜୟ କଂସାରୀ, ଦୀପକ ସାହୁ ପ୍ରମୁଖ ସାମିଲ୍ ଥିଲେ ।