Tue. Dec 24th, 2024

ସରକାରୀ ଜାଗାକୁ ନେଇ ବିବାଦ, ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ମହିଳା ମୃତ

By amfnews Jul 6, 2019 #Featired
303 Views

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବୀର ଗ୍ରାମରେ ସରକାରୀ ଜାଗାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଆ‌କ୍ରମଣରେ ଅନ୍ୟ ୨ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନାଅନୁଯାୟୀ,ଟିଙ୍କବୀର ବରେଇ ଛକରେ ପ୍ରାୟ ୨୦/୨୫ ବର୍ଷ ହେବ ଏକ ସରକାରୀ ଜାଗାକୁ ସେହି ଗ୍ରାମର ଈଶ୍ୱରଚନ୍ଦ୍ର ସାହୁ ନିଜ ଦଖଲରେ ରଖିଥିଲେ। ଏହି ଜାଗା କେନ୍ଦ୍ର କରି ଅନେକ ସମୟରେ ଗ୍ରାମବାସୀଙ୍କ ସହିତ ତାଙ୍କର ବଚସା ହେଉଥିଲା। କିଛି ବର୍ଷ ଆଗରୁ ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା। କିଛି ଦିନ ହେବ ଉକ୍ତ ସ୍ଥାନରେ ଈଶ୍ୱର ଏକ ଘର ନିର୍ମାଣ କରିଥିଲେ। ଘର ନିର୍ମାଣକୁ ନେଇ ଗ୍ରାମବାସୀ ରିଆମାଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଉଭୟ ପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ତେବେ, ଆଜି ସକାଳେ ଗାଁରେ ଡେଙ୍ଗୁରା ଦେଇ ଈଶ୍ୱର ଘର ତିଆରି କରିଥିବା ସ୍ଥାନ ପାଖରେ ମାଉସୀ ମା ମନ୍ଦିର ନିର୍ମାଣ ପାଇଁ ଲୋକଙ୍କୁ ଡକାଯାଇଥିଲା। ସକାଳ ୧୦ଟା ସମୟରେ ଗ୍ରାମର ଧୋବା ସାହି, ବାଇଶିପାଲି, ରଥ ସାହି, ବାରିକ ସାହିରୁ ୨୦୦ରୁ ଅଧିକ ପୁରୁଷ ମହିଳା ସେଠାରେ ପହଞ୍ଚି ଈଶ୍ୱରଙ୍କ ପରିବାର ସହିତ ଗଣ୍ଡଗୋଳ କରିଥିଲେ। ଘରେ ଈଶ୍ୱରଙ୍କ ସାନପୁଅ ସୈାଭାଗ୍ୟ ଦେଇଥିବା ଏକ ଦୋକାନକୁ ଉତ୍ୟକ୍ତ ଲୋକେ ଭାଙ୍ଗି ଦେଇଥିଲେ।

ଏହପାରେ ତାଙ୍କ ଘରକୁ ଭାଙ୍ଗିବାକୁ ମଧ୍ୟ ଉଦ୍ୟମ କଲାବେଳେ ଈଶ୍ବରଙ୍କ ବଡ ବୋହୁ ଆରତି, ସାନବୋହୁ ଜେମାଦେଇ ଓ ପୁଅ ସୈାଭାଗ୍ୟ ଲୋକଙ୍କ ବାଟ ଓଗାଳିଥିଲେ। ସେହି ସମୟରେ ଲୋକଙ୍କ ଭିତରେ ବାରିକ ସାହିର ଦିଗମ୍ବର ସାହୁ ଏକ ଟାଙ୍ଗିଆରେ ହଠାତ୍‌ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଜେମାଦେଇ (୩୦)ଙ୍କ ମୃତ୍ୟୁ ହୋଇଥିଲା। ଟାଙ୍ଗିଆ ଆକ୍ରମଣରେ ଆରତି ଓ ‌ସୈାଭାଗ୍ୟ ମଧ୍ୟ ଆହତ ହୋଇଛନ୍ତି। ଜେମାଦେଇଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଦେଖି ଲୋକେ ଭୟରେ ସେଠାରୁ ଚାଲିଯାଇଥିଲେ। ରିଆମାଳ ପୋଲିସ ଘଟଣାର ସୁଚନା ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବା ସହିତ ଆହତ ଦ୍ୱୟଙ୍କୁ ଛତାବର ଡାକ୍ତରଖାନାକୁ ନେଇଥିଲେ। ଘଟଣାର ତଦନ୍ତ ଚାଲିଛି ଏବଂ ଏଥିରେ ସଂପୃକ୍ତ ଥିବା ‌ଲୋକେ ବର୍ତ୍ତମାନ ଫେରାର ଥିବାବେଳେ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଦେବଗଡ଼ ଅତିରିକ୍ତ ଏସପି ରବିନାରାୟଣ ସି କହିଛନ୍ତି।

By amfnews

Related Post