ରାଓ ତାଙ୍କ କାର୍ୟ୍ୟକାଳର ସାଢେ ସାତ ବର୍ଷ ପରେ ଇସ୍ତଫା ଦେଇଥିଲେ । କାରଣ ଜବାହାର ଲାଲ ନେହେରୁ ବାଣିଜ୍ୟ ମନ୍ତ୍ରୀ ଟିଟି କୃଷ୍ଣମଚାରୀଙ୍କ ସହ ମିଶି କହିଥିଲେ ଯେ, ଆରବିଆଇ ସରକାରଙ୍କ ବିଭିନ୍ନ ଗତିବିଧିର ଏକ ଅଂଶ । ସେ ସରକାରଙ୍କୁ ପରାମର୍ଶ ଦେଇ ପାରିବେ କିନ୍ତୁ ତାଙ୍କୁ ସରକାରଙ୍କ ସହ ରହିବା ଆବଶ୍ୟକ । ଏହି ପତ୍ର ନେହେରୁ ୧୯୫୭ ଜାନୁଆରୀରେ ଲେଖିଥିଲେ । ପତ୍ରରେ ଲେଖା ଥିଲା ଯେ, ଯଦି ରାଓ ତାଙ୍କ କାର୍ୟ୍ୟ କରିବାକୁ ଅକ୍ଷମ ତେବେ ସେ ନିଜ ପଦବୀରୁ ଇସ୍ତଫା ଦେଇ ପାରନ୍ତି । ଏହାପରେ କିଛି ଦିନ ମଧ୍ୟରେ ରାଓ ଇସ୍ତଫା ଦେଇଥିଲେ ।
ସୂଚନାନୁଯାୟୀ, ରାଓ ଟିଟିଙ୍କ ବିରୁଦ୍ଧରେ ଅଭଦ୍ର ବ୍ୟବହାର କରିବାର ଅଭିଯୋଗ ଆଣିଥିଲେ । ଏକ ବଜେଟ ପ୍ରସ୍ତାବକୁ ନେଇ ଦୁହିଁଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଟିଟି ଆରବିଆଇକୁ ବାଣିଜ୍ୟ ମନ୍ତ୍ରାଳୟର ଏକ ଅଂଶ କହିଥିଲେ । ନେହେରୁ ମଧ୍ୟ କହିଥିଲେ ଯେ, ଯଦି ସରକାରଙ୍କ ସହମତି ବିନା କେନ୍ଦ୍ର ବ୍ୟାଙ୍କ ଅଲଗା ନୀତି ନିର୍ଣ୍ଣୟ କରିବ ତେବେ ତାହା ହାସ୍ୟର ବିଷୟ । ଆର୍ଥିକ ନୀତିକୁ ସରକାରଙ୍କ ବଡ ନୀତି ଅନୁସରଣ କରିବା ଉଚିତ୍ । ସେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଏବଂ ନୀତିକୁ ଚ୍ୟାଲେଞ୍ଜ କରୁଛନ୍ତି । ପତ୍ରରେ ପୁଣି ଲେଖା ଥିଲା ଯେ, କେନ୍ଦ୍ର ସରକାର ନୀତି ତିଆରି କରି ପାରିବେ । ଆରବିଆଇ କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧରେ ନୀତି ତିଆରି କରି ପାରିବ ନାହିଁ ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ସରକାର ଏବଂ ଆରବିଆଇ ମଧ୍ୟରେ ଦୂରତା ବୃଦ୍ଧି ପାଇଥିଲା । ଏପରି କି ସରକାର ଏବଂ ଆରବିଆଇ ମଧ୍ୟରେ ସମ୍ବାଦହୀନତାର ସ୍ଥିତି ଉପୁଜିଥିଲା । ବର୍ତମାନ ପରିସ୍ଥିତିର ପ୍ରଭାବ ଉର୍ଜିତଙ୍କ ଭବିଷ୍ୟତ ଉପରେ ପଡିପାରେ । ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ସେପ୍ଟେମ୍ବରରେ ତାଙ୍କର କାର୍ଯ୍ୟକାଳ ପୂରଣ ହେବାକୁ ଯାଉଛି । ପଟେଲଙ୍କ କାର୍ଯ୍ୟକାଳ ବୃଦ୍ଧି ତ ଦୂରର କଥା ତାଙ୍କୁ ସମୟସୀମା ପୂର୍ବରୁ ବାହାର କରାଯିବ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।
ଡେପୁଟି ଗଭର୍ଣ୍ଣର ବିରଲ ଅାଚାର୍ଯ୍ୟ ଙ୍କ କହିବାନୁଯାୟୀ ସରକାର କେନ୍ଦ୍ରୀୟ ବ୍ୟାଙ୍କର ବିଭିନ୍ନ କାର୍ଯ୍ୟ ରେ ମାତ୍ରାଧିକ ହସ୍ତକ୍ଷେପ କରୁଛନ୍ତି । ଫଳରେ ସ୍ୱତନ୍ତ୍ରତା ପ୍ରଭାବିତ ହୋଇଛି । ଆରବିଆଇ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକରାଙ୍କଠାରୁ ଦୂରତା ରକ୍ଷା କରିବାକୁ ଚାହୁଁଛି । କିନ୍ତୁ ଏହା ହେଉ ନାହିଁ । ଯାହା ଆଗାମୀ ଦିନରେ ଘାତକ ହୋଇପାରେ ।