ନୂଆଦିଲ୍ଲୀ: ରାଜଧର୍ମ ପାଳନ କ୍ଷେତ୍ରରେ ଅନନ୍ୟ ରାଷ୍ଟ୍ରନେତା , ବହୁ ବିଲକ୍ଷଣ ପ୍ରତିଭାର ଧନୀ , ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କୁ ହରାଇ ଆଜି ଭାରତର ୧୨୫ କୋଟି ଲୋକ ଶୋକାଭିଭୂତ। ସଂକୀର୍ଣ୍ଣ ରାଜନୀତି ଊର୍ଧ୍ୱରୁ ଉଠି ସେ ସମସ୍ତଙ୍କୁ ନିଜର କରି ପାରିଥିବାରୁ ଆଜି ଦେଶର ଏହି ସୁଯୋଗ୍ୟପୁତ୍ରଙ୍କୁ ହରାଇ ମର୍ମାହତ। ଆଉ କେତୋଟି ଘଣ୍ଟା ପରେ ଅଟଳବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଯିବ । ଆଉ ପ୍ରତ୍ୟେକ ଭାରତୀୟ ତାଙ୍କୁ ତାଙ୍କ ଅନ୍ତିିମ ଯାତ୍ରାରେ ବେଦନନାସିକ୍ତ ଅନ୍ତରରେ ବିଦାୟ ଦେବେ। ଏହା ହିଁ ବିଧିର ବିଡ଼ମ୍ବନା।
ମାତ୍ର ଭାରତୀୟ ରାଜନୀତିକୁ ଏକ ନୂତନ ଦିଗ୍ଦର୍ଶନ ଦେବା କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ, ଭାରତର ଅସ୍ମିତାକୁ ବିଶ୍ୱଦରବାରରେ ପ୍ରତିପାଦିତ କରିବା କ୍ଷେତ୍ରରେ ତାଙ୍କର ନିଷ୍ଠା, ସର୍ବୋପରି ସମଗ୍ର ବିଶ୍ୱରେ ଭାରତକୁ ଶ୍ରେଷ୍ଠତ୍ୱ ପ୍ରଦାନ କ୍ଷେତ୍ରରେ ତାଙ୍କର ନିରନ୍ତର ଉଦ୍ୟମକୁ କୃତଜ୍ଞ ରାଷ୍ଟ୍ର ସବୁଦିନ ମନେ ରଖିବ। ତେବେ ଆଗାମୀ ପୀଢ଼ି, ଯେଉଁମାନେ ବର୍ତ୍ତମାନ ଶିଶୁ ଅଥବା ଭବିଷ୍ୟତର ଦାୟାଦ ଭାବେ ଭାରତର ଗାରମା ବୃଦ୍ଧିରେ ସହାୟକ ହେବେ, ସେମାନଙ୍କୁ ଅଟଳବିହାରୀ ବାଜପେୟୀଙ୍କ ଅବଦାନ ସହିତ ସମ୍ପର୍କିତ କରିବା ପାଇଁ ସରକାର ଅଟଳବିହାରୀ ମେମୋରିଆଲ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।