Wed. Mar 11th, 2026

ସରକାର ନ ବୁଝିଲେ ବିଦ୍ରୋହ ଘୋଷଣା କରିବାକୁ ସିଆରପିଏଫ୍‌ ଯବାନଙ୍କ ଧମକ

185 Views

ରାୟପୁର: ଜମି ବିବାଦ ପାଇଁ ସେନା ଯବାନରୁ ବିଦ୍ରୋହୀ ହୋଇଥିବା ପାନ ସିଂହ ତୋମାରଙ୍କ ଭଳି ଏବେ ଆଉ ଜଣେ ସିଆରପିଏଫ୍‌ ଯବାନ ସମାନ ଧମକ ଦେଇଛନ୍ତି। ଉତ୍ତର ପ୍ରଦେଶର ହାଥରସରର ସିରିଆରପିଏଫ୍ ଯବାନ ପ୍ରମୋଦ କୁମାର ଏବେ ଛତିଶଗଡ଼ର ସୁକମାରେ କାର୍ଯ୍ୟ କରୁଛନ୍ତି।

ସେ ସୋଶାଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓରେ କହିଛନ୍ତି ଯେ “ମୋ ଗାଁରେ ଥିବା ଜମି ଉପରେ ମୋର ସମ୍ପର୍କୀୟମାନେ ଜୋରଜବରଦସ୍ତି କବଜା କରିବାକୁ ଚେଷ୍ଟା କରୁଛନ୍ତି। ଏଥିସହ ମୋ ପରିବାର ଲୋକଙ୍କୁ ମଧ୍ୟ ମାରିବାକୁ ଚେଷ୍ଟା କରୁଛନ୍ତି। ୩ ମାସରୁ ଅଧିକ ଦିନ ହେବ, ଏନେଇ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ ହେଁ କେହି ବି ଏହାକୁ ଶୁଣୁନାହାନ୍ତି। ଯଦି ସରକାର ମୋ ସମସ୍ୟାର ସମାଧାନ ନ କରିବେ, ତା’ହେଲେ ମୁଁ ପାନ ସିଂହ ତୋମାରଙ୍କ ଭଳି ବିଦ୍ରୋହ ଘୋଷଣା କରିବି।”

ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ସୁକମା ଜିଲ୍ଲାପାଳଙ୍କୁ ତାଙ୍କ ଉତ୍ତର ପ୍ରଦେଶ ପ୍ରତିପକ୍ଷଙ୍କ ସହ କଥା ହେବାକୁ କହିଛନ୍ତି। ଏବେ ପ୍ରଶାସନ ଏହି ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

୩.୩୯ ସେକେଣ୍ଡର ଭିଡିଓରେ ପ୍ରମୋଦ ଆହୁରି କହିଛନ୍ତି ଯେ “ମୋ ୩ ଜଣ ସମ୍ପର୍କୀୟଙ୍କ ଜମି ହଡ଼ପ ଯୋଜନା ସମ୍ପର୍କରେ ମୋ ପତ୍ନୀ ଓ ଭାଇ ବାରମ୍ବାର ହାଥରସର ତହସିଲରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଦାଖଲକୁ ୩ ମାସ ହୋଇଯାଇଥିଲେ ହେଁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ।

ମୋ କମାଣ୍ଡର ସାର ମଧ୍ୟ ଏ ସମ୍ପର୍କରେ ଚିଠି ଲେଖି ହାଥରସରର ଏସପି ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଜଣାଇଥିଲେ। ତଥାପି ଏଯାଏ କୌଣସି ସୁଫଳ ମିଳିନାହିଁ। ମୋ ସମ୍ପର୍କୀୟମାନେ ଆମ ପରିବାର ଲୋକଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବାରୁ ମୁଁ ୪ ମାସ ହେଲା ଛୁଟିରେ ଯାଇ ନାହିଁ। ମୋ ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ହାଥରସର ପୁଲିସ୍ ସବୁ ଜାଣି ମଧ୍ୟ ଚୁପ ବସିଛି।”

ଏହି ଅଭିଯୋଗ ପରେ ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଥିବା ଜଣାପଡ଼ିଛି।
ତୋମାର ଜଣେ ଭାରତୀୟ ଯବାନ ଥିଲେ। ହେଲେ ଜମି ବିବାଦକୁ କେନ୍ଦ୍ର କରି ସେ ବିଦ୍ରୋହୀ ହୋଇଯାଇଥିଲେ। ୨୦୧୨ରେ ତାଙ୍କ ଉପରେ ବଲିଉଡ୍ ଫିଲ୍ମ ନିର୍ମାଣ ହୋଇଥିଲା।

By amfnews

Related Post