ବିଗତ ବହୁବର୍ଷ ଧରି ଓଡ଼ିଶାର ଗଣମାଧ୍ୟମ ନକାରାତ୍ମକ ସାମ୍ବାଦିକତା ନିମନ୍ତେ ଯଥେଷ୍ଟ ଜଣାଶୁଣା । ଆମର ଗଣମାଧ୍ୟମ ଗୁଡିକରେ ରାଜ୍ୟର ଅନାହାର, ଅଶିକ୍ଷା, କୁସଂସ୍କାର, ଦୁର୍ନୀତି ଓ ଭ୍ରଷ୍ଟାଚାରର ସମ୍ବାଦ ପରିବେଷଣରେ ଏତେମାତ୍ରାରେ ଶତମୁଖ ହୋଇ ଉଠିଥିଲା ଯେ, ରାଜ୍ୟ ବାହାରର ପାଠକପାଠିକାମାନେ ଅନୁଭବ କରୁଥିଲେ ଓଡିଶା ସ୍ୱାଧୀନତା ପରେ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ ହେବା ପରିବର୍ତ୍ତେ ଦକ୍ଷିଣ ଆଫ୍ରିକା ଭଳି ଏକ ଅନାହାର ଓ ପ୍ରଚଣ୍ଡ ଯନ୍ତ୍ରଣା ପ୍ରପୀଡିତ ରାଜ୍ୟ । ଓଡ଼ିଶାରେ ଥିବା ବ୍ୟାପକ ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ, ଜଳ ସମ୍ପଦ, ଜଙ୍ଗଲ ସମ୍ପଦ ଓ ସର୍ବୋପରି ଜନସମ୍ପଦକୁ ବାହାରୁ ଦୁନିଆକୁ ଦେଖାଇବା ପରିବର୍ତ୍ତେ ଆମ ରାଜ୍ୟର ଅଧିକାଂଶ ଗଣମାଧ୍ୟମ ପାଇଁ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା ନଗଡ଼ା ଓ ଦାନମାଝୀ । ଏ ସଂପର୍କରେ ଆମ ରାଜ୍ୟର ଗଣମାଧ୍ୟମ ଗୁଡିକ ଏଭଳିଭାବରେ ପ୍ରଚାର କରିଥିଲେ ଯେ, ଏହା କେବଳ ଜାତୀୟ ଗଣମାଧ୍ୟମ ନୁହେଁ ବରଂ ଅନ୍ତର୍ଜାତୀୟ ଗଣମାଧ୍ୟମଗୁଡିକର ଦୃଷ୍ଟି ମଧ୍ୟ ଆକର୍ଷଣ କରି ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କୁ କ୍ରମାଗତ ଭାବେ ନିନ୍ଦିତ ଏବଂ ଅପମାନିତ କରିଆସୁଥିଲା । ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ନେଇଥିବା ଏକଦା ଦରିଦ୍ର ଓ ଅସହାୟ ଥିବା ଦାନ ମାଝୀ ପରବର୍ତ୍ତୀ କାଳରେ ସରକାରୀ ପୃଷ୍ଠପୋଷକତାରେ କିଭଳି ଜଣେ ସକ୍ଷମ ନାଗରିକ ଭାବରେ ନିଜ ଗୋଡ଼ରେ ଠିଆ ହୋଇ ପରିବାର ପ୍ରତିପାଳନ କରିବା ନିମନ୍ତେ ସମର୍ଥ ହୋଇଥିଲା ସେ ସଂପର୍କୀୟ ବିବରଣୀ ବା ଫଟୋଗ୍ରାଫ୍ ନକାରାତ୍ମକ ସମ୍ବାଦ ପ୍ରଚାର କରିଥିବା ଗଣମାଧ୍ୟମରେ ଥରଟିଏ ହେଲେ ପ୍ରକାଶ ପାଇଲା ନାହିଁ ।
ଓଡ଼ିଶା ବାହାରେ ଓ ବିଦେଶରେ ଓଡ଼ିଶା ସମ୍ପର୍କରେ ପ୍ରଚାରିତ ନକାରାତ୍ମକ ଚିତ୍ର ଦେଖି ଦେଶ ବିଦେଶର ଉଦ୍ୟୋକ୍ତାମାନେ ଓଡିଶାରେ ପୁଞ୍ଜିନିବେଶ ପାଇଁ ଆଗଭର ନହେବା ଫଳରେ ଓଡ଼ିଶାରେ ଆଶାନୁରୂପ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଶୋଚନୀୟ ଭାବରେ ବାଧାପ୍ରାପ୍ତ ହୋଇଆସିଥିଲା ।
ରାଜ୍ୟର ଉପକୂଳ ଅଞ୍ଚଳ ଠାରୁ ଆରମ୍ଭ କରି ଆଦିବାସୀବହୁଳ ଓ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ନିଚ୍ଛକ ଓ ସକାରାତ୍ମକ ଚିତ୍ର ଦେବା ପରିବର୍ତ୍ତେ ଅଧିକାଂଶ ମୁଦ୍ରିକ, ବୈଦ୍ୟୁତିକ୍, ୱେବ୍ ମିଡିଆ କେବଳ ଓଡ଼ିଶା ସମ୍ପର୍କରେ ନକାରାତ୍ମକ ଚିତ୍ର ପରିବେଷଣ କରି ବିଶ୍ୱ ଦରବାରରେ ଆମ ରାଜ୍ୟକୁ ନିନ୍ଦିତ କରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣାରେ ପରିଣତ ହୋଇଥିଲା । ଏହା ଅସ୍ୱୀକାର କରିହେବ ନାହିଁ ।
ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ନକାରାତ୍ମକ ସାମ୍ବାଦିକତା ଠାରୁ ଦୂରେଇ ଯାଇ ‘ସିଟି ମିରର୍’ ସକାରାତ୍ମକ ସାମ୍ବାଦିକତା କରିବା ଲାଗି ସଂକଳ୍ପବଦ୍ଧ । ଦର୍ପଣରେ ଯେଭଳି ପ୍ରତ୍ୟେକ ପଦାର୍ଥର ନିଚ୍ଛକ ପ୍ରତିବିମ୍ବଟି ଦେଖିବାକୁ ମିଳିଥାଏ ‘ସିଟି ମିରର୍’ର ପୃଷ୍ଠାରେ ଓଡ଼ିଆ ପାଠକପାଠିକାମାନେ ଆମ ରାଜ୍ୟର ପ୍ରାକୃତିକ ସମ୍ପଦ, ଜନ ସମ୍ପଦର ଶକ୍ତି, ପର୍ଯ୍ୟଟନ ସମ୍ପଦର ଐଶ୍ୱର୍ଯ୍ୟ ଏବଂ କୃଷି ଓ ଶିଳ୍ପ ସମ୍ପଦର ପ୍ରାଚୁର୍ଯ୍ୟର ନିଚ୍ଛକ ଚିତ୍ର ସହ ପରିଚିତ ହେବା ସଙ୍ଗେ ସଙ୍ଗେ ରାଜ୍ୟର ସର୍ବନିମ୍ନ ପ୍ରଗତି ପାଇଁ ଜନମାନସରେ ନୂତନ ଚିନ୍ତା ଉଦ୍ରେକ କରିବାରେ ସଫଳ ହେବ ବୋଲି ଆମର ଦୃଢ଼ ଆଶା ।
ଆଜି ଏହି ନୂତନ ସମ୍ବାଦପତ୍ରଟିର ଶୁଭ ଲୋକାର୍ପଣ ମୁହୂର୍ତ୍ତରେ ସିଟି ମିରର୍ ପରିବାର ସଂକଳ୍ପବଦ୍ଧ । ଓଡ଼ିଆ ଭାଷାଭାଷୀ ପ୍ରତ୍ୟେକ ବ୍ୟକ୍ତି ଉତ୍ସର୍ଗୀକୃତ ଉଦ୍ୟମ କଲେ ଏହା ନିଶ୍ଚିତ ଭାବେ ସଫଳ ହେବ ଏଥିରେ ସନ୍ଦେହ ନାହିଁ । ବିଶ୍ୱର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ଦେବତା ଜଗତର ନାଥ ଜଗନ୍ନାଥ ଏଥିପାଇଁ ନିଶ୍ଚିତ ଭାବରେ ଆଶୀର୍ବାଦ କରିବା ପାଇଁ ଆମେ ପ୍ରାର୍ଥନା କରୁଛୁ ।
ପ୍ରଶାନ୍ତ ପଟ୍ଟନାୟକ
ସଂପାଦକ
333 Views