Tue. May 20th, 2025

ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ: ସୁପ୍ରିମକୋର୍ଟ

By amfnews Sep 7, 2018 #Featured
278 Views

ନୂଆଦିଲ୍ଲୀ  :   ସମଲିଙ୍ଗୀ ସମ୍ପର୍କ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଦେଇଛନ୍ତି। ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି। ଏ ସଂପର୍କିତ ପୁରୁଣା ଆଇନ ଠିକ୍ ନଥିଲା ବୋଲି କୋର୍ଟ କହିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ଦୀର୍ଘ ବର୍ଷ ଧରି ରହି ଆସିଥିବା ଧାରା ୩୭୭ ହଟିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ଉଲ୍ଲେଖଥାଉ କି, ଧାରା ୩୭୭କୁ ଉଚ୍ଛେଦ ଏବଂ ସମଲିଙ୍ଗୀ ଯୌନ ସଂପର୍କକୁ ବୈଧ କରିବା ପାଇଁ ଦୀର୍ଘଦିନରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା।

ସମଲିଙ୍ଗୀ ଯୌନ ସଂପର୍କ କୌଣସି ବ୍ୟତିକ୍ରମ ନୁହେଁ ବରଂ ଅନ୍ୟ ଏକ ମାଧ୍ୟମ ବୋଲି ସାମାଜିକ ଅନୁଷ୍ଠାନମାନେ ଦାବି କରିଆସୁଥିଲେ। ବିଟ୍ରିଶ ଶାସନ ଅମଳରୁ ପ୍ରଚଳିତ ପୁରୁଣା ଆଇନକୁ ପରିବର୍ତ୍ତନ ଲାଗି ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସମଲିଙ୍ଗୀ ଯୌନ ସଂପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଥିଲେ ।

ତେବେ ୨୦୧୩ରେ ସୁପ୍ରିମକୋର୍ଟ ଏହି ରାୟକୁ ଖାରଜ କରିଦେଇଥିଲେ। କୌଣସି ଆଇନକୁ ରଦ୍ଦ କରାଯିବ କି ନାହିଁ ତାହା ପାର୍ଲାମେଣ୍ଟର କାମ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ।

ତେବେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନିର୍ଣ୍ଣୟ ନେବାକୁ ସୁପ୍ରିମକୋର୍ଟଙ୍କ ବିଚାର ଉପରେ ଛାଡ଼ିଦେଇଥିଲେ। ପୂର୍ବରୁ ଆଇନର ବ୍ୟବସ୍ଥା ଅନୁଯାୟୀ ସମଲିଙ୍ଗୀ ଯୌନ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ଜେଲ କିମ୍ବା ଜରିମାନାର ବ୍ୟବସ୍ଥା ରହିଥିଲା।

ଆଜିର ଏହି ଐତିହାସିକ ରାୟ ସମଲିଙ୍ଗୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ବୋଲି କୁହାଯାଉଛି। ସୁପ୍ରିମକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ସବୁ ବର୍ଗରୁ ସ୍ୱାଗତ କରାଯାଇଛି।

By amfnews

Related Post