Sun. Mar 8th, 2026

ସବୁ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ସମୀକ୍ଷା: ୨୦ ସୁଦ୍ଧା ପ୍ରତି ସହରର‌େ ଖାଲୁଆ ସ୍ଥାନ ଚିହ୍ନଟ ନିର୍ଦେଶ

213 Views

ଭୁବନେଶ୍ବର : ରାଜ୍ୟର ପ୍ରତ୍ୟେକ ସହରାଞ୍ଚଳରେ କଠିନ ଓ ତରଳ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା କରାଯିବ। ଏଥିପାଇଁ ପ୍ରତି ଘରକୁ ଦିଆଯିବ ୨ଟି ଭିନ୍ନ ଭିନ୍ନ ରଙ୍ଗର ପରିମଳ ଡବା ବା ଡଷ୍ଟବିନ୍‌। ଗୋଟିଏ ରଙ୍ଗର ଡଷ୍ଟବିନ୍‌ରେ ତରଳ ବର୍ଜ୍ୟ ଓ ଅନ୍ୟଟିରେ କଠିନ ବର୍ଜ୍ୟବସ୍ତୁ ରଖାଯିବ। ସେହି ବର୍ଜ୍ୟବସ୍ତୁକୁ ପୌର ପ୍ରଶାସନ ପକ୍ଷରୁ ସଂଗ୍ରହ କରି ଖାଲୁଆ ସ୍ଥାନ ବା ସାନିଟାରି ଲ୍ୟାଣ୍ଡଫିଲ୍‌ରେ ପକାଯିବ। ପ୍ରତ୍ୟେକ ପୌର ପ୍ରଶାସନ ନିଜ ପାଣ୍ଠିରୁ ହେଉ ବା ଅର୍ଥ କମିସନ ଅନୁଦାନ ପାଣ୍ଠିରୁ ଏହି ଡଷ୍ଟବିନ୍‌ ପ୍ରତି ଘରକୁ ଯୋଗାଇବେ। କେବଳ ସେତିକି ନୁହେଁ, ପ୍ରତ୍ୟେକ ସହରାଞ୍ଚଳରେ ଖାଲୁଆ ସ୍ଥାନ ବା ସାନିଟାରି ଲ୍ୟାଣ୍ଡଫିଲ୍‌ ଚିହ୍ନଟ ହେବ।

ଆଜି ରାଜ୍ୟ ସଚିବାଳୟରୁ ଭିଡିଓ ଯୋଗାଯୋଗ ମାଧ୍ୟମରେ ବିଭିନ୍ନ ସହରର କଠିନ ବର୍ଜ୍ୟ ପରିଚାଳନା ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲ୍ଲାପାଳମାନଙ୍କୁ ଏଭଳି ନିର୍ଦେଶ ଦେଇଥିଲେ। ସମୀକ୍ଷା ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍‌ ବିଭିନ୍ନ ସହରାଞ୍ଚଳର ତଥ୍ୟ ଓ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କିତ ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ପ୍ରତି ଘରୁ ବର୍ଜ୍ୟ ସଂଗ୍ରହ ଏବଂ ବର୍ଜ୍ୟ ସୃଷ୍ଟି ହେଉଥିବା ସ୍ତରରେ ତାହାର ପୃଥକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। ସମୀକ୍ଷା ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରତି ସହରାଞ୍ଚଳରେ କମ୍ପୋଷ୍ଟ୍‌ ପ୍ଲାଣ୍ଟ୍‌, ବର୍ଜ୍ୟବସ୍ତୁର ପୁନଃ ଉପଯୋଗିତା ସୁବିଧା ପ୍ଲାଣ୍ଟ୍‌, ସାନିଟାରି ଲ୍ୟାଣ୍ଡ୍‌ଫିଲ୍‌ ଓ ନିର୍ମାଣ ବର୍ଜ୍ୟ ପକାଇବା ପାଇଁ ଖାଲୁଆ ସ୍ଥାନ ଚିହ୍ନଟ କରାଯିବ।

ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆଗାମୀ ୨୦ ତାରିଖ ସୁଦ୍ଧା ସେମାନେ ଜାଗା ଚିହ୍ନଟ କରି ବିଭାଗକୁ ଜଣାଇ‌େବ। ଘରୋଇ ବାସଗୃହ, ଅନୁଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ବଜାର ଆଦି ବର୍ଜ୍ୟବସ୍ତୁ ସୃଷ୍ଟି ହେଉଥିବା ସ୍ଥାନରେ ହିଁ ବର୍ଜ୍ୟବସ୍ତୁକୁ ପୃଥକୀକରଣ କରାଯିବ। ଏଥିପାଇଁ ଘରୋଇ ବାସଗୃହକୁ କଠିନ ଏବଂ ତରଳ ବର୍ଜ୍ୟ ନିମନ୍ତେ ଦୁଇଟି ଭିନ୍ନ ଭିନ୍ନ ରଂଗର ଡଷ୍ଟବିନ୍‌ ଯୋଗାଇ ଦିଆଯିବ। ସଂପୃକ୍ତ ପୌର ପ୍ରାଶାସନିକ କର୍ତୃପକ୍ଷ ଏହି ଡଷ୍ଟବିନ୍‌ ଯୋଗାଇ ଦେବେ। ପ୍ରତ୍ୟେକ ବାସଗୃହକୁ ଗାଡ଼ି ପହଞ୍ଚି କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ସଂଗ୍ରହ କରି‌ବେ।

ଘରୋଇ ବାସଗୃହ ସ୍ତରରେ ବର୍ଜ୍ୟ ପୃଥକୀକରଣ କାର୍ଯ୍ୟରେ ନୂଆପଡ଼ା ଓ କୋରାପୁଟ ଜିଲ୍ଲାର ସହରାଞ୍ଚଳ ଅନ୍ୟ ସହରାଞ୍ଚଳ ତୁଳନାରେ ଆଗୁଆ। ସେମାନଙ୍କର ଅନୁଭୁତିକୁ ନମୁନା ଭାବେ ଗ୍ରହଣ କରି ନିଜ ନିଜ ସହରାଞ୍ଚଳରେ ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ସଚିବ ସହରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଆଗାମୀ ତିନି ମାସ ମଧ୍ୟରେ ଏହି କାର୍ଯ୍ୟରେ ଅତିକମ୍‌ରେ ୮୦ ପ୍ରତିଶତ ସଫଳତା ହାସଲ କରିବା ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାପାଳ ପ୍ରତି ମାସର ନିର୍ଧାରିତ ତାରିଖରେ ଅନ୍ୟୂନ ଦୁଇଥର ଏହି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ। କଠିନ ବର୍ଜ୍ୟବସ୍ତୁର କୁପ୍ରଭାବ ଏବଂ ଏହାର ଉପଯୁକ୍ତ ପରିଚାଳନା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରି ଏହାକୁ ଲୋକମାନଙ୍କର ଏକ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ପରାମର୍ଶ ଦେଇଥିଲେ।

By amfnews

Related Post