Sat. Feb 1st, 2025

ସବୁ ଆର୍‌ଏମ୍‌ସି ଭାରତୀୟ ବଜାର ସହ ଯୋଡ଼ି ହେବ: ମନ୍ତ୍ରୀ

By amfnews Nov 12, 2019 #Featured
99 Views

ଭୁବନେଶ୍ବର : ରାଜ୍ୟର କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସେମାନେ ନିଜର ଉତ୍ପାଦିତ ଦ୍ରବ୍ୟର ଯେପରି ଉଚିତ ମୂଲ୍ୟ ପାଇପାରିବେ, ସେଥି ନିମନ୍ତେ ରାଜ୍ୟ କୃଷି ବିପଣନ ପରିଷଦକୁ ଅଧିକ କ୍ରିୟାଶୀଳ କରାଯିବ। ରାଜ୍ୟର ସମସ୍ତ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି)ଗୁଡ଼ିକୁ ଇ-ନାମ୍ ଜରିଆରେ ସର୍ବଭାରତୀୟ ବଜାର ସହ ସଂଯୁକ୍ତ କରାଯିବ। ଏହା ଦ୍ବାରା ଚାଷୀମାନେ ସର୍ବଭାରତୀୟ ବଜାରରେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବାର ସୁବିଧା ପାଇବେ ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ଆଜି ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର ବୋର୍ଡ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସ୍ବାଇଁ କହିଥିଲେ, ଆର୍‌ଏମ୍‌ସିଗୁଡ଼ିକ ଅଧିକ ଦକ୍ଷ ଓ ପେଶାଦାର ଢଙ୍ଗରେ କାର୍ଯ୍ୟ କରିବା ପାଇଁ ଉନ୍ନତ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯାଇ ସମସ୍ତ କାର୍ଯ୍ୟଗୁଡ଼ିକ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୬୬ଟି ଆର୍‌ଏମ୍‌ସି ମଧ୍ୟରୁ ୧୦ଟି ଇ-ନାମ୍ ପ୍ଲାଟ୍‌ଫର୍ମରେ କାର୍ଯ୍ୟକ୍ଷମ ହୋଇଛି। ଅଧିକ ୩୧ଟି ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ସହିତ ସଂଯୁକ୍ତ କରିବା ନିମନ୍ତେ ଭାରତ ସରକାର ଅନୁମୋଦନ କରିଛନ୍ତି। ଏହି ମଣ୍ଡିଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ସହିତ ସର୍ବଭାରତୀୟ ସ୍ତରରେ ଓଡ଼ିଶାର କୃଷିଜାତ ଦ୍ରବ୍ୟର ବିକ୍ରିବଟା ବୃଦ୍ଧି କରିବା ନିମନ୍ତେ ପଦକ୍ଷେପ ନେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଖ୍ୟାତାନାମା ସଂସ୍ଥାଗୁଡ଼ିକ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ସହ ଆର୍‌ଏମ୍‌ସିଗୁଡ଼ିକର ନିୟମିତ ନିର୍ବାଚନ କରିବା, କର୍ମଚାରୀ ଓ ଅଧିକାରୀମାନଙ୍କୁ ଅନ୍ୟ ରାଜ୍ୟର ବିପଣନ ବ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ବାହାର ରାଜ୍ୟକୁ ପଠାଇବା ଉପରେ ଗୁରୁତ୍ବ ଦିଆଯାଇଥିଲା। ସମସ୍ତ ଆର୍‌ଏମ୍‌ସିଗୁଡ଼ିକ ନିର୍ଦ୍ଧାରିତ ତାରିଖ ମଧ୍ୟରେ ସେମାନଙ୍କର ବୋର୍ଡ ଦ୍ବାରା ବାର୍ଷିକ ବଜେଟ୍‌ ଅନୁମୋଦନ କରାଇ ନେବା ପାଇଁ ବୈଠକରେ ବିଭାଗୀୟ ସଚିବ ବୀର ବିକ୍ରମ ଯାଦବ ପରାମର୍ଶ ଦେଇଥିଲେ। ଏହା ସହିତ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ଆର୍‌ଏମ୍‌ସିଗୁଡ଼ିକର ସୀମା ନିର୍ଦ୍ଧାରଣ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର ପରାମର୍ଶଦାତା ରାମଚନ୍ଦ୍ର ପଣ୍ଡା, ସଦସ୍ୟ ସଚିବ ଏମ୍‌ ମୁଥୁକୁମାର ଓ ସଭ୍ୟ/ସଭ୍ୟାମାନେ ଯୋଗ ଦେଇଥିଲେ।

By amfnews

Related Post