ସୁନ୍ଦରଗଡ଼, ଜାନୁଆରୀ ୨୨ : କନ୍ଧମାଳର ଦାରିଙ୍ଗିବାଡ଼ି ଘଟଣା ପରେ ପରେ କଳାହାଣ୍ଡିର ନର୍ଲା ନବୋଦୟ, ଯାଜପୁର ଓ ଢେଙ୍କାନାଳରେ ନାବାଳିକା ଛାତ୍ରଙ୍କ ଅନ୍ତଃସତ୍ତ୍ବା ଓ ଅବାଞ୍ଛିତ ମାତୃତ୍ବ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହା ମଧ୍ୟରେ ରାଜ୍ୟ ସରକାର ଏସବୁ ସମ୍ବେଦନଶୀଳ ଅଘଟଣ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ରାଜ୍ୟର ସମସ୍ତ ସ୍କୁଲରେ ଯାଞ୍ଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସରକାରଙ୍କ କଡ଼ା ନିର୍ଦ୍ଦେଶକୁ ବେଖାତିର କରି ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଏକ ଅତି ସମ୍ବେଦନଶୀଳ ଘଟଣାକୁ ଖୋଦ୍ ଅଧିକାରୀସ୍ତରରେ ଚପାଇ ଦିଆଯାଇଛି।
ଦେଢ଼ମାସ ତଳେ ଜଣେ ସ୍କୁଲ ଛାତ୍ରୀଙ୍କୁ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଓ ଏ ସମ୍ପର୍କରେ ପୀଡ଼ିତା ଛାତ୍ରୀ ଜଣକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିବା, ଘଟଣାରେ ଉଦ୍ବେଗ ପ୍ରକାଶ କରି ସ୍କୁଲ କମିଟି, ସ୍ଥାନୀୟ ସରପଞ୍ଚଙ୍କ ସୁପାରିସକ୍ରମେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ କରିବା ପରେ ମଧ୍ୟ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ।
କେବଳ ତାଙ୍କୁ ଡେପୁଟେସନ୍ରେ ଅନ୍ୟ ସ୍କୁଲକୁ ପଠାଇ ଦିଆଯାଇଛି। ବିଡ଼ମ୍ବନାର ବିଷୟ, ପୀଡ଼ିତା ଛାତ୍ରୀ ଜଣକ ଅଘଟଣ ପରେ ଆଉ ପଢ଼ିବାକୁ ଆସୁ ନ ଥିବା ଆଉ ଏପଟେ କୌଣସି ମତେ ଅଭିଯୁକ୍ତ ଶିକ୍ଷକଙ୍କୁ ଡେପୁଟେସନ୍ରୁ ମୂଳ ସ୍କୁଲକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି। ଅଭିଯୋଗଟି ଆସିଛି ନୂଆଗାଁ ବ୍ଲକ କେର୍କେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ। ଅଭିଯୋଗ ଅନୁସାରେ, ଗତ ୨୦୧୮ ଡିସେମ୍ବର ୮ରେ କେର୍କେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗଣଶିକ୍ଷକ କାହ୍ନୁଚରଣ ସାହୁ ଛୁଟି ପରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଆଲମୀରା ପଛପଟକୁ ଡାକି ଯୌନ ନିର୍ଯାତନା ଦେଇଥିଲେ। ଘଟଣା ପରଠୁ ଛାତ୍ରୀ ଜଣକ ଭୟ ଓ ଲଜ୍ଜାରେ ଆଉ ପଢ଼ିବାକୁ ଆସିଲେ ନାହିଁ।
ଛାତ୍ରୀଙ୍କ ଅନୁପସ୍ଥିତି କାରଣ ସମ୍ପର୍କରେ ଅଜ୍ଞ ପ୍ରଧାନଶିକ୍ଷୟିତ୍ରୀ ଡିସେମ୍ବର ୨୦ରେ ଛାତ୍ରୀଙ୍କୁ ଡକାଇଲେ। ଛାତ୍ରୀ ତାଙ୍କ ଉପରେ ହୋଇଥିବା ନିର୍ଯାତନା ସମ୍ପର୍କରେ କହିବା ସହ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ୨୨ ତାରିଖରେ ସ୍କୁଲ କମିଟି ଓ ସରପଞ୍ଚଙ୍କ ଉପସ୍ଥିତିରେ ଘଟଣାକୁ ନେଇ ଏକ ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତିକ୍ରମେ ପ୍ରଧାନଶିକ୍ଷୟିତ୍ରୀ ୨୪ ତାରିଖରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। କିନ୍ତୁ ବିଭାଗ ପକ୍ଷରୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। କେବଳ ସମ୍ପୃକ୍ତ ଶିକ୍ଷକଙ୍କୁ ଡଲାଙ୍ଗସରାକୁ ଡେପୁଟେସନ୍ରେ ପଠାଇ ଦିଆଯାଇଛି। ଅନ୍ୟପଟେ ଏ ଘଟଣା ପରେ ପୀଡ଼ିତା ଛାତ୍ରୀଙ୍କ ପରିବାର ଉପରେ ଅଭିଯୋଗ ପ୍ରତ୍ୟାହର ପାଇଁ ଚାପ ପଡ଼ୁଛି। ଇତିମଧ୍ୟରେ ଏ ଘଟଣା ପରେ ସ୍କୁଲର ଅନେକ ଛାତ୍ରୀ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଖୋଲାଖୋଲି ଅଭିଯୋଗ କରୁଥିବା ସୂଚନା ଆସିଛି। ଜିଲ୍ଲାପାଳ ତୁରନ୍ତ ଘଟଣାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।