Fri. Mar 6th, 2026

ସତୀତ୍ୱ ପ୍ରମାଣ କରିବାକୁ ଆଞ୍ଜୁଳାରେ ଜ୍ୱଳନ୍ତ କୋଇଲା ଧରି ଅଗ୍ନି ପରୀକ୍ଷା ଦେଲେ ମହିଳା

342 Views

ଲକ୍ଷ୍ନୌ: ନିଜ ସତୀତ୍ୱ ଏବଂ ସ୍ୱାମୀଙ୍କ ପ୍ରତି ଥିବା ଆନୁଗତ୍ୟ ପ୍ରମାଣ କରିବାକୁ ଆଞ୍ଜୁଳାରେ ଜ୍ୱଳନ୍ତ କୋଇଲା ଧରାଇ ମଥୁରା ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମପଞ୍ଚାୟତ ଜଣେ ମହିଳାଙ୍କର ଅଗ୍ନି ପରୀକ୍ଷା କରାଇଛନ୍ତି।

ମହିଳାଙ୍କ ହାତ ଅତି କଦର୍ଯ୍ୟ ଭାବେ ପୋଡ଼ି ଯାଇଛି। ଜଣେ ମହିଳା ଗୁଣୀଙ୍କ ପାଲରେ ପଡ଼ି ପତ୍ନୀଙ୍କ ଚାରିତ୍ରିକ ଦୋଷ ବିଷୟରେ ପଚାରି ଅମାନୁଷିକ କାଣ୍ଡ କରିଥିବା ତାଙ୍କ ସ୍ୱାମୀ ଏବଂ ଅନ୍ୟ ଛଅ ଜଣ ଆତ୍ମୀୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଗୁରୁବାର ଦିନ ପଦାରେ ପଡ଼ିଥିବା ଏହି ଘଟନା ଅକ୍ଟୋବର ୧୯ ତାରିଖ ଦିନ ଉତ୍ତର ପ୍ରଦେଶର ବ୍ରଜ ଅଞ୍ଚଳର ମନ୍ତ ଅନ୍ତର୍ଗତ ନାଗଲାବାଡ଼ି ଗ୍ରାମରେ ଘଟିଛି। ୧୮ ମାସ ତଳେ ହାଥ୍ରାସ୍‌ ଜିଲ୍ଲାର ନାଗଲା ଫାତ୍ତେ ଗ୍ରାମର ଜୟବୀରଙ୍କୁ ବିଭା ହୋଇଥିଲେ ଶିବାନୀ। ସେହି ତାଙ୍କର ବଡ଼ ଭଉଣୀ ପୁଷ୍ପା ମଧ୍ୟ ଜୟବୀରଙ୍କର ବଡ଼ଭାଇ ଯଶବୀରଙ୍କୁ ବିଭା ହୋଇଥିଲେ।

ବାହାଘରର କିଛି ଦିନ ପରେ ଶିବାନୀଙ୍କ ଚରିତ୍ରକୁ ସନ୍ଦେହ କରି ଜୟବୀର ଗାଳିଫଜିତ୍‌ କରିବା ସହ ମାଡ଼ ଦେଉଥିଲେ। ଅକ୍ଟୋବର ୧୯ ତାରିଖ ଦିନ ଜୟବୀର ଗ୍ରାମପଞ୍ଚାୟତରେ ହାଜର ହୋଇ ଶିବାନୀଙ୍କ ବିରୋଧରେ ଆପତ୍ତି ଉଠାଇଥିଲେ। ଅଭିଯୋଗର ଫଏସଲା ପାଇଁ ଜୟବୀରଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଜଣେ ମହିଳା ଗୁଣୀଙ୍କ ଉପସ୍ଥିତିରେ ପଞ୍ଚାୟତ ବସିଲା।

ଶିବାନିଙ୍କୁ ମଧ୍ୟ ସେଠାରେ ହାଜର କରାଗଲା। ହଠାତ୍‌ ଗୁଣୀ ଶିବାନୀଙ୍କୁ ଅଗ୍ନିପରୀକ୍ଷା ଦେବାକୁ କହିଲେ। ସତ୍ୟ ପ୍ରତିପାଦନ କରିବାକୁ ସେ ଜୟବୀରଙ୍କୁ ମଧ୍ୟ ଅଗ୍ନିପରୀକ୍ଷା ଦେବାକୁ କହିଲେ। ଗୁଣୀ କହିଲେ କି, ଯେ ଦୋଷୀ ନୁହଁ, ତା’ର କିଛି ହେବ ନାହିଁ।

ଯଦି ଜୟବୀରଙ୍କର ଅଭିଯୋଗ ସତ୍ୟ ତା’ର କିଛି କ୍ଷତି ହେବ ନାହିଁ। ଯଦି ଶିବାନୀ ସତୀ, ତା’ର ମଧ୍ୟ କିଛି କ୍ଷତି ହେବ ନାହିଁ।

ଜୟବୀରଙ୍କ ଗୋଟିଏ ଚିକିରେ ଜ୍ୱଳନ୍ତ କୋଇଲା ରଖାଯିବା କ୍ଷଣି ସେ ଚଟାପଟ୍‌ ତାକୁ ଆର ହାତକୁ ଓଜାଡ଼ି ଦେଇ ଫିଙ୍ଗି ଦେଲେ। ପତ୍ନୀଙ୍କ ପାଳି ପଡ଼ିବାରୁ ଜୟବୀର ତାଙ୍କର ଦୁଇ ହାତକୁ ଜୋର୍‌ କରି ଧରିବାରୁ ସେ ଜ୍ୱଳନ୍ତ କୋଇଲା ଫିଙ୍ଗି ପାରିଲେ ନାହିଁ। ଫଳରେ ତାଙ୍କ ହାତ ପୋଡ଼ିଗଲା।

By amfnews

Related Post