ରାଉରକେଲା, ୧୪ା୮ : ସଟ୍ଟା କାରବାରକୁ ବିରୋଧ କରିବାରୁ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଘଟଣା ସମ୍ପର୍କରେ ଯୁବକ ଜଣଙ୍କ ସେକ୍ଟର-୭ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରି ଆକ୍ରମଣକାରୀ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ସେକ୍ଟର ୬ସ୍ଥିତ ବିବେକାନନ୍ଦପାଲ୍ଲି ବସ୍ତିରେ ଶୁକଦେବ ବଢ଼ାଇକ (୨୫) ପରିବାର ସହ ରହନ୍ତି ।
ବସ୍ତିର ପଛପଟେ ଏସ୍.କେ. ଲାଲଟୁ ନାମକ ଜନୈକ ବ୍ୟକ୍ତି ଏକ ସଟ୍ଟା ଆଡ୍ଡା କରି ବେଶ୍ ଦୁଇପଇସା କମାଉଥିଲା । ଗତକାଲି ଅପରାହ୍ନରେ ଏହି ସଟ୍ଟା ଆଡ୍ଡାରେ ଖେଳ ଚାଲିଥିବା ବେଳେ କିଛି ଅସାମାଜିକ ଯୁବକ ନିଜ ନିଜ ଭିତରେ ଅସଭ୍ୟ ଭାଷାରେ ଗାଳି ଗୁଲଜ ହେଲେ । ବସ୍ତି ଭିତରେ ଏଭଳି ପରିସ୍ଥିତ ଦେଖି ଏହାକୁ ଶୁକଦେବ ବିରୋଧ କରିଥିଲା ।
ଏହାକୁ ବିରୋଧ କରିବାରୁ ସମ୍ପୃକ୍ତ ଅସାମାଜିକ ଯୁବକମାନେ ଶୁକଦେବକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଶୁକଦେବ ଆହତ ହୋଇ ପ୍ରାଣ ବିକଳରେ ସେଠାରୁ ପଳାଇଯାଇ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲା । ପୁଲିସ ଘଟଣାର ତଦନ୍ତ କରି ସଟ୍ଟା ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।