Mon. Feb 3rd, 2025

ସକାରାତ୍ମକ ଫଳାଫଳ ହାସଲ ନିମନ୍ତେ ଅଧିକ ସକ୍ରିୟ ଓ ଦାୟିତ୍ୱଶୀଳ ହୁଅନ୍ତୁ : ସିଇଓ ଆରଏସପି

By amfnews Aug 24, 2018 #Featured
278 Views

ରାଉରକେଲା, ୨୪/୮  : ଆମକୁ ସକାରାତ୍ମକ ଫଳାଫଳ ହାସଲ ନିମନ୍ତେ ନିଜର କାର୍ଯ୍ୟଧାରାରେ ଅଧିକ ସକ୍ରିୟ ଓ ଦାୟିତ୍ୱଶୀଳ ହେବା ଆବଶ୍ୟକ ବୋଲି ମାନବ ସମ୍ବଳ ବିକାଶ କେନ୍ଦ୍ର ଠାରେ ଅଗଷ୍ଟ ୨୩ ତାରିଖରେ ଅନୁଷ୍ଠିତ ‘ତାଲ୍ମେଲ୍’ର ଷୋଡଶ ଅଧିବେଶନରେ ଉଦବୋଧନ ଦେଇ ଆର୍ଏସ୍ପି ସିଇଓ ଅଶ୍ୱିନୀ କୁମାର ଉଲ୍ଲେଖ କରିଛନ୍ତି । ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗ ଇଡି ପି.କେ. ପ୍ରଧାନ ଏବଂ ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ ଗୌତମ ବାନାର୍ଜୀ ମଞ୍ଚାସୀନ ଥିଲେ ।

ଉକ୍ତ କର୍ମଶାଳାରେ କାରଖାନାର ବିଭିନ୍ନ ବିଭାଗର ପ୍ରାୟ ୬୨ ଜଣ ଅଧିକାରୀ ଯୋଗ ଦେଇଥିଲେ । ଉଲ୍ଲେଖନୀୟ ଯେ, କାର୍ଯ୍ୟ ଯୋଜନା ଗୁଡିକର କାର୍ଯ୍ୟାନ୍ୱୟନ ସ୍ତରରେ ଅଗ୍ରଣୀ ଭୂମିକା ବହନ କରୁଥିବା ତଥା ପ୍ରବନ୍ଧନର ନିମ୍ନ ତଥା ମଧ୍ୟମ ସ୍ତରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ଉତ୍ତରଦାୟିତ୍ୱବୋଧକୁ ଅଧିକ ସୁଦୃଢ କରିବା ତଥା ସେମାନଙ୍କ ସଶକ୍ତିକରଣ ନିମନ୍ତେ ନିୟମିତ ରୂପେ ମାନବ ସମ୍ବଳ ପ୍ରୟାସ ‘ତାଲମେଲ’ ଅଧିବେଶନ ଅନୁଷ୍ଠିତ ହେଉଛି । ଏହି ଅଧିବେଶନରେ ଅଧିକାରୀମାନେ ସିଇଓଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ ପୂର୍ବକ ବିଭିନ୍ନ କାରଖାନାର ଉନ୍ନତି ସମ୍ବନ୍ଧୀୟ ବିଭିନ୍ନ କୌଶଳ ଓ ଅନୁଭୂତ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସୁଯୋଗ ପାଉଛନ୍ତି ।

ଉକ୍ତ ଅଧିବେଶନରେ ନିଜର ବକ୍ତବ୍ୟରେ ଅଶ୍ୱିନୀ କୁମାର ଉନ୍ନତତର ବୁଝାମଣା, ସମନ୍ୱୟ ରକ୍ଷା ଓ ପ୍ରତିକ୍ରିୟା ନିମନ୍ତେ ସମସ୍ତଙ୍କୁ ମୁକ୍ତ ଓ ପାରଦର୍ଶୀ ପ୍ରବନ୍ଧନ ସୂଚନା ବ୍ୟବସ୍ଥାର ପ୍ରବର୍ତ୍ତନ ନିମନ୍ତେ ଆହ୍ୱାନ ଜଣାଇଥିଲେ । ଉତ୍ପାଦନ ଧାରାର ନିରବଚ୍ଛିନ୍ନତା ବଜାୟ ରଖିବା ନିମନ୍ତେ ସୁବ୍ୟବସ୍ଥିତ ଲଜିଷ୍ଟିକ ସୁଷ୍ଟମ ସୁନିଶ୍ଚିତ କରିବା ପାଇଁ ଶ୍ରୀ କୁମାର ପରାମର୍ଶ ଦେଇଥିଲେ । ‘ତାଲମେଲ’ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରି ସିଇଓ କହିଥିଲେ ଯେ, ଏହି ପ୍ରୟାସ ବିଭିନ୍ନ ବ୍ୟକ୍ତିଗତ, ଦଳଗତ ଏବଂ କାରଖାନାର ବିଭିନ୍ନ ସମସଦ୍ର ଏକାଠି ବିଶ୍ଳେଷଣ କରି ସମୟୋପଚିତ ସଂଶୋଧନାତ୍ମକ ପଦକ୍ଷେପ ନେବା ପାଇଁ ଉଦ୍ଦିଷ୍ଟ ଅଟେ ।

ଯୁବ ପ୍ରବନ୍ଧକମାନଙ୍କୁ ସମସ୍ୟା ଓ ପ୍ରସ୍ତାବ ଉପସ୍ଥାପନା କରିବା ନିମନ୍ତେ ଆହ୍ୱାନ ଜଣାଇ ସିଇଓ ଆହୁରି ମଧ୍ୟ କହିଥିଲେ ଯେ, ଯେକୌଣସି କ୍ଷୁଦ୍ର ଅଥବା ବୃହତ ସମସ୍ୟା ଓ ପ୍ରସ୍ତାବ କାରଖାନାର ବିଭିନ୍ନ ପ୍ରକ୍ରିୟା, ଉତ୍ପାଦନ ଓ ଉତ୍ପାଦକତାରେ ଉନ୍ନତି ଆଣିବା ନିମନ୍ତେ ବିପୁଳ ସାମର୍ଥ୍ୟ ବହନ କରିଥାଏ । ପରେପରେ ଅନୁଷ୍ଠିତ ମତବିନିମୟ ଅଧିବେଶନରେ ଅଂଶ ଗ୍ରହଣକାରୀମାନେ କାରଖାନାର ପ୍ରଦର୍ଶନକୁ ପ୍ରଭାବିତ କରୁଥିବା ବିଭିନ୍ନ ବିଷୟ ସମ୍ବନ୍ଧରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ବ୍ୟବସ୍ଥା ଓ ପ୍ରଣାଳୀରେ ଉନ୍ନତି ସାଧନ ପାଇଁ ବିଭିନ୍ନ ଉପାଦେୟ ପ୍ରସ୍ତାବମାନ ପ୍ରଦାନ କରିଥିଲେ । ସିପିଟିଆଇ ବିଭାଗର ଡିଜିଏମ ସାଗର ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଧନ୍ୟବାଦ ମଧ୍ୟ ଜ୍ଞାପନ କରିଥିଲେ ।

By amfnews

Related Post