Wed. Jan 15th, 2025

ସଂସଦର ଶୀତକାଳୀନ ଅଧିବେଶନ, ବିଜେଡି ସାଂସଦମାନଙ୍କ ବୈଠକ

By amfnews Nov 20, 2019 #Featured
79 Views

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପାଇଁ ଆଜି ବିଜେଡି ସାଂସଦଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂସଦ ଭବନରେ ଥିବା ବିଜେଡି କାର୍ଯ୍ୟାଳୟରେ ଉପସ୍ଥିତ ରହି ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ବିଜେଡିର ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଏହି ବୈଠକରେ ଯୋଗଦେଇଥିଲେ। ବୈଠକରେ ଦଳ ଦ୍ବାରା ନିର୍ଦ୍ଧାରିତ କରାଯାଇଥିବା ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ସଂସଦର ଚଳିତ ଅଧିବେଶନରେ କିପରି ଉପସ୍ଥାପନ କରାଯାଇ ପାରିବ, ସେ ନେଇ ଆଲୋଚନା କରାଯାଇଥିଲା। ଚଳିତ ସପ୍ତାହରେ ବିଜିନେସ୍ ଆଡଭାଇଜରି କମିଟି ଦ୍ବାରା ନିର୍ଦ୍ଧାରିତ କରାଯାଇଥିବା ବିଭିନ୍ନ ବିଲ୍ ଗୁଡ଼ିକ ସମ୍ପର୍କରେ କେଉଁମାନେ ଆଲୋଚନାରେ ଭାଗ ନେବେ, ସେ ସମ୍ପର୍କରେ ସାଂସଦମାନଙ୍କୁ ଅବଗତ କରାଯାଇଥିଲା। ଶୂନ୍ୟକାଳ ନିୟମ ୩୭୭ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକୁ ଗୃହରେ ଉଠାଇବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଆହୁରି ମଧ୍ୟ ବୈଠକରେ ଓଡ଼ିଶା ବିଧାନ ପରିଷଦ ଗଠନ ସମ୍ପର୍କରେ ଉଠିଥିଲା। ବିଲ୍‌କୁ କିଭଳି ଆଗତ କରାଯାଇ ପାରିତ କରାଯିବ, ସେନେଇ ମଧ୍ୟ ଆଲୋଚନା ହୋଇଥିଲା।

ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର କହିଥିଲେ ଯେ, ଚଳିତ ସପ୍ତାହରେ ଯଦିବା ଏହି ବିଲ୍ ଆସିବ ନାହିଁ କିନ୍ତୁ ଏହି ଅଧିବେଶନରେ ଏହି ବିଲ୍‌କୁ ଗୃହରେ ଆଗତ କରାଯାଇ ଏହାକୁ ଗୃହୀତ କରାଯିବା ପାଇଁ ପ୍ରୟାସ କରାଯିବ। ଗତକାଲି ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏ ସମ୍ପର୍କରେ ଦାବି କରିଥିଲେ। ଏଥିସହିତ, ଶୀତକାଳୀନ ଅଧିବେଶନର ସମସ୍ତ ୨୦ଟି କାର୍ଯ୍ୟ ଦିବସରେ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ଗୁଡ଼ିକୁ ଉପସ୍ଥାପନ କରିବା ପାଇଁ ପ୍ରାଥମିକତା ଦିଆଯିବ ବୋଲି ବୈଠକରେ ସାଂସଦମାନେ ମତବ୍ୟକ୍ତ କରିଥିଲେ।

By amfnews

Related Post