Sat. Mar 7th, 2026

ସଂଗ୍ରହାଳୟରେ ରହିଛି ଖୋଳପା, କୁଆଡ଼େ ଗଲେ ଭିତରକନିକାର ବଜ୍ରକାପ୍ତା?

190 Views

ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବିରଳ ପ୍ରଜାତିର ବଜ୍ରକାପ୍ତାଙ୍କୁ ଆଉ ଦେଖିବାକୁ ମିଳୁନି। ଭିତରକନିକାର ଡାଙ୍ଗମାଳଠାରେ ଥିବା ସଂଗ୍ରହାଳୟରେ ବଜ୍ରକାପ୍ତାର ଖୋଳପା ରହିଛି। ନିକଟ ଅତୀତରେ ପର୍ଯ୍ୟଟକମାନେ ଭିତରକନିକାରେ ବଜ୍ରକାପ୍ତା ଦେଖି ନ ଥିବା କହିଛନ୍ତି। ଭିତରକନିକାରେ ଥିବା ବଜ୍ରକାପ୍ତା କୁଆଡେ ଗଲେ? ଶିକାରୀଙ୍କ ଜାଲରେ ପଡି ବଂଶ ଲୋପ ପାଇଗଲା ନା ଏହାର ଅନ୍ୟ କିଛି କାରଣ ରହିଛି, ସେ ନେଇ ସନ୍ଦେହ ବଢିବାରେ ଲାଗିଛି।

ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣଭୂମିରେ ଗଢି ଉଠିଛି ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକାର ଡାଙ୍ଗମାଳ ଠାରେ ରହିଛି ସଂଗ୍ରହାଳୟ। ଭିତରକନିକାରେ ଦେଖାଯାଉଥିବା ସରୀସୃପ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କ କଙ୍କାଳ ଓ ଖୋଳପା ଏଠାରେ ରଖାଯାଇଛି। ସଂଗ୍ରହାଳୟରେ ୧୯ଫୁଟ, ୧୭ ଫୁଟ ଲମ୍ବର ଦୁଇଟି ବିରାଟକାୟ ବଉଳା କୁମ୍ଭୀରଙ୍କ କଙ୍କ‌ାଳ ସହିତ ବାର୍‌ହା, ବଜ୍ରକାପ୍ତା, ଅଲିଭରିଡଲେ, ଅହିରାଜ, ଅଜଗର, ହରିଣ ପ୍ରଭୃତି ୫୦ରୁ ଅଧିକ ସରୀସୃପ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କ ଖୋଳପା ଓ କଙ୍କାଳ ରହିଛି। ୧୯୯୮ ମସିହାରେ ଡାଙ୍ଗମାଳ ଠାରେ ବନବିଭାଗ ପକ୍ଷରୁ ଏହି ସଂଗ୍ରହାଳୟ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ ପର୍ଯ୍ୟଟକମାନେ ଅନ୍ୟାନ୍ୟ ଜୀବଜନ୍ତୁ ଦେଖିବାକୁ ପାଉଥିବା ବେଳେ ନିକଟ ଅତୀତରେ ବଜ୍ରକାପ୍ତାଙ୍କୁ ଦେଖିନଥିବା କହିଛନ୍ତି। ସଂଗ୍ରହାଳୟରେ ଥିବା ବଜ୍ରକାପ୍ତାର ଖୋଳପାରୁ ଭିତରକନିକାରେ ବଜ୍ରକାପ୍ତା ଥିବା ପ୍ରମାଣ ମିଳୁଛି। ଯଦି ଥିଲେ, ତେବେ କୁଆଡ଼େ ଗଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଥାଉ କି, ବିରଳ ପ୍ରଜାତିର ବଜ୍ରକାପ୍ତାର ବେଧଡକ ଚୋରା ଚାଲାଣ ଚାଲିଛି। ବଜ୍ରକାପ୍ତା କାତି ଓ ମାଂସର ଦାମ ଅନ୍ତର୍ଜାତୀୟ ବଜାରରେ ଢେର ଅଧିକ ରହିଛି। ଏକ ବଡ ରୢାକେଟ ଓଡିଶାରେ କାମ କରୁଛି। ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଅଧିକାରୀମାନେ ଏ ନେଇ ତଦନ୍ତ କରିବା ପରେ ବଜ୍ରକାପ୍ତା ଚୋରା ଚାଲାଣର ବହୁ ଗୁମର ସାମ୍ନାକୁ ଆସିବାରେ ଲାଗିଛି। ଭିତରକନିକାରେ ବେଧଡକ ଭାବେ ବାରହା, ହରିଣ ପ୍ରତିଦିନ ଶିକାର ହେଉଛି। ଭିତରକନିକାରେ ଥିବା ବଜ୍ରକାପ୍ତାକୁ ଶିକାରୀମାନେ ଚୋରା ଚାଲାଣ ପାଇଁ ବଂଶଲୋପ କରିଦେଇ ନାହାନ୍ତି ତ, ଏହିଭଳି ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ଅନ୍ୟପକ୍ଷରେ ବନବିଭାଗର କିଛି କର୍ମଚାରୀଙ୍କ ମତକୁ ଯଦି ବିଶ୍ବାସକୁ ନିଆଯାଏ, ଭିତରକନିକାର ହେଟାମୁଣ୍ତିଆ ଓ ହୁକିଟୋଲାରେ ସେମାନେ ବଜ୍ରକାପ୍ତା ଦେଖିଥିବା କହିଛନ୍ତି। ପୂର୍ବତନ ଅବୈତନିକ ଡିଏଫ୍‌ଓ ତଥା ପରିବେଶବିତ୍‌ ବିରଜା ପ୍ରସାଦ ପତିଙ୍କୁ ପଚାରିବାରୁ ସଂଗ୍ରହାଳୟରେ ବଜ୍ରକାପ୍ତାର ଖୋଳପା ରହିଛି। ଯାହାକି ଭିତରକନିକାରେ ବଜ୍ରକାପ୍ତା ଥିବାର ପ୍ରମାଣ ଦେଉଛି। ମାତ୍ର ସେକେବେ ଭିତରକନିକାରେ ବଜ୍ରକାପ୍ତା ଦେଖିନାହାନ୍ତି ବୋଲି କହିଛନ୍ତି। ଏ ସଂପର୍କରେ ଡିଏଫଓ ବିକାଶ ରଂଜନ ଦାଶ କହିଛନ୍ତି ଯେ ବଜ୍ରକାପ୍ତା ସାଧାରଣତଃ ଶୁଷ୍କ ଜଙ୍ଗଲିଆ ଅଞ୍ଚଳରେ ରହିଥାନ୍ତି। ଭିତରକନିକାରେ ବଜ୍ରକାପ୍ତା ରହିବା ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ସେ କହି ପାରିବେ ବୋଲି ମତ ଦେଇଛନ୍ତି।

By amfnews

Related Post