Thu. Dec 26th, 2024

ଷ୍ଟିଲ୍ ଟ୍ରେଡ୍ ଆପ୍ରେଣ୍ଟିସ୍ ଆସୋସିଏସନ ଅଫ୍ ରାଉରକେଲାର ସାଧାରଣ ପରିଷଦ ବୈଠକ ଆର୍ଏସ୍ପିର ଆଇଟିଆଇ ଗ୍ରେଡ୍ କର୍ମଚାରୀଙ୍କ ବିଭିନ୍ନ ଦାବି ଉପରେ ଆଲୋଚନା

By amfnews Oct 30, 2018 #Featured
116 Views

ରାଉରକେଲା, ୩୦ା୧୦  : ଷ୍ଟିଲ୍ ଟ୍ରେଡ୍ ଆପ୍ରେଣ୍ଟିସ୍ ଆସୋସିଏସନ ଅଫ୍ ରାଉରକେଲାର (ଷ୍ଟାର୍)ର ସାଧାରଣ ପରିଷଦ ବୈଠକ ସଭାପତି ସନ୍ତୋଷ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ସେକ୍ଟର-୧୯ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତିତ୍ୱ କରି ଶ୍ରୀ ବେହେରା କହିଲେ ଯେ, ଆର୍ଏସ୍ପି ଓ ସେଲ୍ର ଅନ୍ୟ ୟୁନିଟ୍ ମାନଙ୍କରେ ଆଇଟିଆଇ ଗ୍ରେଡ୍ କର୍ମଚାରୀଙ୍କ ବିଭିନ୍ନ ସୁବିଧା, ଅସୁବିଧା, ନ୍ୟାର୍ଯ୍ୟ ଦାବିଗୁଡିକ ଉପରେ ଆଲୋଚନା କରିଥିଲେ । ୨୦୦୭ ମସିହା ପୂର୍ବରୁ ଆଇଟିଆଇ ପାସ୍ କରି ଜଣେ ପ୍ରାର୍ଥୀ ଆର୍ଏସ୍ପି ତଥା ସେଲ୍ରେ ଲିଖିତ ପରୀକ୍ଷା, ମୌଖିକ ପରୀକ୍ଷା ଏବଂ ମେଡିକାଲ ଟେଷ୍ଟ ଦେଇ ଏସ୍-୩ ଗ୍ରେଡ୍ରେ ଟେକ୍ନିସିଆନ-କମ-ଅପରେଟର ପଦବୀରେ ନିଯୁକ୍ତି ପାଉଥିଲେ । ଏକ ବର୍ଷ ଟ୍ରେନିଙ୍ଗ ପରେ ସ୍ଥାୟୀ ନିଯୁକ୍ତି ହେଉଥିଲା ।

କିନ୍ତୁ ତା ପରେ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀମାନଙ୍କୁ ଏସ୍-୧ ଗ୍ରେଡ୍ରେ ଟେକ୍ନିସିଆନ-କମ୍-ଆଟେଣ୍ଡାଣ୍ଟ ପଦବୀରେ ନିଯୁକ୍ତି ଦିଆଗଲା ଓ ଟ୍ରେନିଙ୍ଗ ସମୟକୁ ୨ ବର୍ଷ କରିଦିଆଗଲା । ଫଳରେ ଜଣେ ସାଧାରଣ ମାଟ୍ରିକ୍ ଶିକ୍ଷାଗତ ଯୋଗ୍ୟତାର ପ୍ରାର୍ଥୀ ଏସ୍-୧ ଗ୍ରେଡ୍ରେ ନିଯୁକ୍ତି ପାଉଥିବା ବେଳେ ଜଣେ ମାଟ୍ରିକ୍ ପରେ ଆଇଟିଆଇର ୨ ବର୍ଷର ପାଠ ପଢି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏସ୍-୧ ଗ୍ରେଡ୍ରେ ନିଯୁକ୍ତି ପାଇବା ଏକ ଅନ୍ୟାନ୍ୟ ତଥା ଅସାମ୍ବିଧାନିକ କାର୍ଯ୍ୟ ।

ଏହାଦ୍ୱାରା କୁଶଳୀ କର୍ମଚାରୀମାନଙ୍କୁ ଅପମାନିତ କରାଯିବା ସହ ଶ୍ରମର ମର୍ଯ୍ୟାଦାର ଉଲ୍ଲଂଘନ ହେଉଛି । ମାନବ ସମ୍ବଳର ଏଭଳି ଦୁରୁପଯୋଗ ଓ ସ୍କିଲର ଉନ୍ନତି ପରିବର୍ତ୍ତେ ଅବନ୍ନତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ବେହେରା କହିଥିଲେ । ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ଦାସ କହିଲେ ଯେ, ଜଣେ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀ ଏନ୍ସିଟିଭିଟି ସାର୍ଟିଫିକେଟ ସହିତ ତାର ଆପ୍ରେଣ୍ଟିସ୍ ଟ୍ରେନିଂ ସମୟରେ ଅଲ୍ଇଣ୍ଡିଆ ଟ୍ରେଡ୍ ଟେଷ୍ଟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥାଏ । ଭାରତ ତଥା ବିଦେଶର ଅନେକ କଳକାରଖାନା ଓ ଘରୋଇ ଉଦ୍ୟୋଗରେ ଜଣେ ଆଇଟିଆଇ ଗ୍ରେଡ୍ର କର୍ମଚାରୀ ଅତିକୁଶଳୀ କାରିଗର କର୍ମଚାରୀର ମର୍ଯ୍ୟାଦା ପାଇଥାଏ ।

ଆର୍ଏସ୍ପିରେ ମଧ୍ୟ ଆଇଟିଆଇ ଗ୍ରେଡ୍ର କର୍ମଚାରୀମାନେ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ ବିଭିନ୍ନ ବିଭାଗରେ ଅପରେସନ, ମେଣ୍ଟେନାନ୍ସ, ହାଉସ୍କିପିଂ, ସୁରକ୍ଷା ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି । କିନ୍ତୁ ଏହି ଗ୍ରେଡ୍ର କର୍ମଚାରୀମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । କେତେକ ବିଭାଗର ଅଫିସରମାନେ ଏହି ଗ୍ରେଡ୍ର କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଏହି ଗ୍ରେଡ୍ର କର୍ମଚାରୀମାନଙ୍କର ଜୁନିୟର ଅଫିସର ପ୍ରମୋଶନ କ୍ଷେତ୍ରରେ ମାତ୍ର ୧୦% ପୋଷ୍ଟ ରଖାଯାଇଛି ଯାହା ଅତ୍ୟନ୍ତ ନଗଣ୍ୟ ।

ଏଣୁ ଏହାକୁ ଦୃଢ ବିରୋଧ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହିକ୍ରମରେ ଏକ ୫ ଦଫା ସମ୍ବଳିତ ଦାବିପତ୍ର କେନ୍ଦ୍ର ଇସ୍ପାତ ମନ୍ତ୍ରୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, ସେଲ୍ ଚେୟାରମ୍ୟାନ, ଆର୍ଏସ୍ପି ସିଇଓ ଏବଂ ଅନ୍ୟ ସାମ୍ବିଧାନିକ ଅଧିକାରୀମାନଙ୍କୁ ପ୍ରଦାନ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ଦିନରେ ଏନ୍ଜେସିଏସ୍ରେ ଭାଗ ନେଉଥିବା ସମସ୍ତ ଟ୍ରେଡ୍ ୟୁନିୟନର ନେତାମାନଙ୍କୁ ସାକ୍ଷାତ କରି ନିଜ ନିଜର ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ଉପସ୍ଥିତ ଶତାଧିକ ଶ୍ରମିକ କର୍ମଚାରୀ ଓ କର୍ମକର୍ତ୍ତାମାନେ ବଜ୍ର ଶପଥ ନେଇଛନ୍ତି ।

By amfnews

Related Post