Sun. Nov 24th, 2024

ଷ୍ଟିଲ୍ ଟ୍ରେଡ୍ ଆପ୍ରେଣ୍ଟିସ ଆସୋସିଏସନ ଅଫ୍ ରାଉରକେଲା (ଷ୍ଟାର୍)ର ସାଧାରଣ ପରିଷଦ ବୈଠକରେ ନୂତନ ବେତନ ଚୁକ୍ତିନାମା ସହ ଆଇଟିଆଇ କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଦାବି

By amfnews Jan 15, 2019 #Featured
196 Views

ରାଉରକେଲା, ୧୫ା୧ : ଷ୍ଟିଲ୍ ଟ୍ରେଡ୍ ଆପ୍ରେଣ୍ଟିସ ଆସୋସିଏସନ ଅଫ୍ ରାଉରକେଲା (ଷ୍ଟାର୍)ର ସାଧାରଣ ପରିଷଦ ବୈଠକ ସଭାପତି ସନ୍ତୋଷ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ବେହେରା ଆର୍ଏସ୍ପିରେ କାର୍ଯ୍ୟରତ ଆଇଟିଆଇ କର୍ମଚାରୀଙ୍କୁ ସ୍ୱାଗତ କରିବା ସହ ନବବର୍ଷର ଅଭିନନ୍ଦନ ଜ୍ଞାପନ କରିଥିଲେ । ଆର୍ଏସ୍ପି ତଥା ସେଲ୍ର ପ୍ରଗତିରେ ଆଇଟିଆଇ କର୍ମଚାରୀଙ୍କ ଅବଦାନ ଅତୁଳନୀୟ । ଉତ୍ପାଦନ ଓ ଉତ୍ପାଦକତା, ରକ୍ଷଣାବେକ୍ଷଣ ତଥା ଅନ୍ୟାନ୍ୟ କାର୍ଯ୍ୟରେ ଏମାନେ ଯୋଗଦାନ କରି ସେଲ୍ ଓ ଆର୍ଏସ୍ପି ପାଇଁ ଉକ୍ରର୍ଷତା ହାସଲ କରୁବା ବେଳେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି କର୍ତ୍ତୃପକ୍ଷ ଅଣଦେଖା କରୁଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି ।

ଆଇଟିଆଇ ପାସ୍ କର୍ମଚାରୀଙ୍କୁ ଏସ୍-୩ ଗ୍ରେଡ୍ରୁ ଏସ୍-୧ ଗ୍ରେଡ୍କୁ କମାଇ ଏମାନଙ୍କ ଗ୍ରୋଥ୍କୁ ସଙ୍କୁଚିତ କରାଯାଉଛି । ଟେକ୍ନିସିଆନ-କମ୍-ଅପରେଟର ଡେଜିଗନେସନ ବଦଳରେ ଟେକ୍ନିସିଆନ୍-କମ୍-ଆଟେଣ୍ଡାଣ୍ଟ କରାଯାଇ କର୍ମଚାରୀଙ୍କୁ ଅପମାନିତ କରାଯାଉଛି, ଦକ୍ଷ ମାନବ ସମ୍ବଳର ଦୁରୁପଯୋଗ କରାଯାଉଛି । ଦୁଇ ବର୍ଷ ବିଭିନ୍ନ ଟ୍ରେଡ୍ରେ ଶିକ୍ଷାଲାଭ କରି ଅଲ୍ଇଣ୍ଡିଆ ଟ୍ରେଡ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ଶ୍ରମର ମର୍ଯ୍ୟାଦା ଓ ସମ୍ମାନ ଏହି ଗ୍ରେଡ୍ କର୍ମଚାରୀଙ୍କୁ ମିଳୁନାହିଁ । ନୂତନ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଏଥିପାଇଁ ସେଲ୍ ତ୍ୟାଗ କରି ଅନ୍ୟ ପବ୍ଲିକ୍ ସେକ୍ଟର କମ୍ପାନୀ ଓ ଘରୋଇ ଉଦ୍ୟୋଗରେ ଯୋଗ ଦେଉଛନ୍ତି । ଏଣୁ ସମସ୍ତ ଆଇଟିଆଇ କର୍ମଚାରୀମାନେ ଏକଜୁଟ୍ ହୋଇ ନିଜର ନ୍ୟାର୍ଯ୍ୟ ଦାବି ଉତ୍ଥାପନ କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ ।

ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ଦାସ କହିଲେ ଯେ, ଆଇଟିଆଇ ଗ୍ରେଡ୍ କର୍ମଚାରୀମାନେ ଅନ୍ୟ ପବ୍ଲିକ୍ ସେକ୍ଟର କମ୍ପାନୀରେ ଯଥେଷ୍ଟ ସମୟୋଚିତ ପଦୋନ୍ନତି ଓ ସମ୍ମାନଜନକ ଗ୍ରେଡ୍ ପାଉଥିବା ବେଳେ ସେଲ୍ରେ ଏମାନଙ୍କ କ୍ୟାରିୟରକୁ ସଙ୍କୁଚିତ କରାଯାଉଛି । ପୂର୍ବପରି ଏସ୍-୩ରେ ନିଯୁକ୍ତି ପ୍ରଦାନ, ଟ୍ରେନିଂ ପରିୟଡକୁ ଚାକିରୀରର ବରିଷ୍ଠତା ଭିତ୍ତିରେ ସାମିଲ୍ କରିବା, ଜୁନିୟର ଅଫିସର ପ୍ରମୋଶନରେ ସମୁଦାୟ ଯୋଗ୍ୟ କର୍ମଚାରୀଙ୍କୁ ସମାନୁପାତିକ ସଂଖ୍ୟାର ପଦୋନ୍ନତି ପ୍ରଦାନ, କ୍ଲଷ୍ଟର-ଡିରେ ଜୁନିୟର ଇଞ୍ଜିନିୟର ପଦବୀ ପ୍ରଦାନ, ଆଇଟିଆଇ ଶିକ୍ଷାର୍ଥୀଙ୍କୁ ନୂତନ ନିଯୁକ୍ତି, ସମସ୍ତ କର୍ମଚାରୀଙ୍କ ପାଇଁ ବହୁ ପ୍ରତିକ୍ଷୀତ ନୂତନ ବେତନ ଚୁକ୍ତିନାମା ପାଇଁ ଏନ୍ଜେସିଏସ୍ ବୈଠକ ଆରମ୍ଭ ପ୍ରଭୃତି ଦାବି ପୂରଣ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ, ସେଲ୍ ଚେୟାରମ୍ୟାନ, ଆର୍ଏସ୍ପି ସିଇଓ, କେନ୍ଦ୍ର ଇସ୍ପାତ ସଚିବ ତଥା ଏନ୍ଜେସିଏସ୍ର ସମସ୍ତ ପ୍ରତିନିଧିମାନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଗାମୀ ଦିନରେ ସେଲ୍ର ଅନ୍ୟ ଇସ୍ପାତ କାରଖାନାର ଆଇଟିଆଇ କର୍ମଚାରୀଙ୍କୁ ନେଇ ଏକ ଫେଡେରେସନ ଗଠନ କରାଯିବ ଓ ଏହାର ବୈଠକ ରାଉରକେଲାରେ ହିଁ ହେବ । ଏତଦ୍ବ୍ୟତୀତ ଷ୍ଟିଲ୍ ଟ୍ରେଡ୍ ଆପ୍ରେଣ୍ଟିସ୍ ଆସୋସିଏସନ ତରଫରୁ ରକ୍ତଦାନ ଶିବିର, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ପାନୀୟ ଜଳ ବିତରଣ କେନ୍ଦ୍ର ଓ ସଦସ୍ୟମାନଙ୍କ ପରିବାର ମଧ୍ୟରେ ଅନେକ ପ୍ରତିଯୋଗିତାମାନ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ । ଆର୍ଏସ୍ପିରେ ଥିବା ଆଇଟିଆଇ କର୍ମଚାରୀମାନେ ଷ୍ଟାର୍ର କାର୍ଯ୍ୟକ୍ରମରେ ନିଜର ବହୁମୂଲ୍ୟ ଯୋଗଦାନ କରି ନିଜର ନ୍ୟାର୍ଯ୍ୟ ଦାବି ହାସଲ ସହ ଏକ ସୁସ୍ଥ, ସାମାଜିକ ବାତାବରଣ ସୃଷ୍ଟି ପାଇଁ ଉପସ୍ଥିତ ସଦସ୍ୟ ଓ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ । ବୈଠକରେ ଷ୍ଟାର୍ର ସମସ୍ତ କର୍ମକର୍ତ୍ତା, ସଦସ୍ୟମାନଙ୍କ ସହ ଶତାଧିକ କ୍ରମଚାରୀମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

By amfnews

Related Post