Fri. Jan 24th, 2025

ଷ୍ଟିଲ୍ ଟାଉନସିପ୍ ପୂର୍ବ ମଣ୍ଡଳ ବୈଠକରେ କର୍ମୀଙ୍କ ସହ ଆଲୋଚନା କଲେ ଜୁଏଲ ଓରାମ

By amfnews Nov 24, 2018 #Featured
176 Views

ରାଉରକେଲା, ୨୪ା୧୧  : ଷ୍ଟିଲ୍ ଟାଉନସିପ୍ ପୂର୍ବ ମଣ୍ଡଳ ବୈଠକ ସେକ୍ଟର-୨ କନକଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ପରେଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ମିଶ୍ର ତାଙ୍କ ସ୍ୱାଗତ ଭାଷଣରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏଥିରେ ଯୋଗ ଦେଇ ସମସ୍ତ ଶକ୍ତିକେନ୍ଦ୍ର ଓ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ସାକ୍ଷାତ କରିବା ସହ ସଙ୍ଗଠନକୁ କିଭଳି ମଜବୁତ କରାଯାଇପାରିବ ସେ ଉପରେ ଆଲୋଚନା କରିଥିଲେ ।

ଶ୍ରୀ ଓରାମ କେନ୍ଦ୍ର ସରକାରଙ୍କ ବିବିଧ ଜନହିତକର ଯୋଜନା ଉପରେ ଆଲୋକପାତ କରିବା ସହ ରାଉରକେଲାରେ ଏହି ଯୋଜନାଗୁଡିକର ସଫଳତା ଉପରେ ଆଲୋଚନା କରିଥିଲେ । ସେ ସୂଚନା ଦେଇ କହିଲେ ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଦେଶର ୬୩ଟି ଭୌଗଳିକ କ୍ଷେତ୍ର ପାଇଁ ସହରୀ ଗ୍ୟାସ୍ ବିତରଣ ପ୍ରକଳ୍ପର ଆରମ୍ଭ କରିଛନ୍ତି । ଏହି ପ୍ରକଳ୍ପରେ ସୁନ୍ଦରଗଡ ଓ ଝାରସୁଗୁଡା ସାମିଲ୍ ଅଛି ।

ଏହି ଅବସରରେ ଗେଲ୍ ଗ୍ୟାସ୍ ଲିମିଟେଡ୍ ପକ୍ଷରୁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ଠାରେ ସେହି ସମୟରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଶ୍ରୀ ଓରାମ ଏଥିରେ ଯୋଗଦାନ କରିଥିଲେ । ଦଳୀୟ କର୍ମୀମାନଙ୍କୁ ଏଥିରେ ଉପସ୍ଥିତ ରହିବା ପାଇଁ ପରାମର୍ଶ ଦେଇଥିଲେ । ଜିଲା ସଭାପତି ଜଗବନ୍ଧୁ ବେହେରା ସଙ୍ଗଠନକୁ ସକ୍ରିୟ ଓ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅନନ୍ତ କୁମାରଙ୍କ ନିଧନରେ ଶୋକପ୍ରକାଶ କରାଯିବା ସହ ସେହି ମହାନ ନେତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାନସଭା ପ୍ରଭାରୀ ତଥା ଜିଲା ସାଧାରଣ ସମ୍ପାଦକ ଦିଲୀପ ଦାଶ, ଜିଲା ଏସ୍ସି ମୋର୍ଚ୍ଚା ସଭାପତି ତଥା ମଣ୍ଡଳ ପ୍ରଭାରୀ ଭ୍ରମରବର ବେହେରା, ଜିଲା ସମ୍ପାଦକ ନାରାୟଣ ମହାନ୍ତି, ଜିଲା ମୁଖପାତ୍ର ଗଙ୍ଗାଧର ଦାଶ, ମଣ୍ଡଳ ଉପସଭାପତି ଗିରିଶ ଶତପଥୀ, ରାକେଶ ଜେନା, ଲଳିତ ସୁନ୍ଦର ଜେନା, ରାଜକୁମାର ପଣ୍ଡା, ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ଶତପଥୀ, ପତିତପାବନ ଜେନା, ମଣ୍ଡଳ ସମ୍ପାଦକ ପ୍ରମୋଦ ପାଢୀ, ଟୁକୁନା ରାଉତରାୟ, ସଞ୍ଜୟ ରଜାକ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁନୀତା ମୋହିନୀ, ଯୁବମୋର୍ଚ୍ଚା ସଭାପତି ରମେଶ ଦୀପ, ପି. ମାରାଣ୍ଡି, ଝରଣା ମହାରଣା, ଗାୟତ୍ରୀ ସାହୁ, ପ୍ରଦୀପ ନାୟକ, ବ୍ରଜ ନାୟକ, ନିରଞ୍ଜନ ଧଳ, ସ୍ୱର୍ଣ୍ଣଲତା ପଣ୍ଡାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିବାବେଳେ ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ସେନାପତି ଧନ୍ୟବାଦ ଦେଇଥିଲେ ।

By amfnews

Related Post