Sun. Mar 8th, 2026

ଶ୍ରୀମନ୍ଦିରରେ ଚାଞ୍ଚଲ୍ୟ: ଅଜଣା ଯୁବକ ନୀଳଚକ୍ର ଉପରକୁ ଚଢ଼ି ବାନ୍ଧିଲେ ଗାମୁଛା, ଖୋଲି ଆଣିଲେ ମହାପ୍ରଭୁଙ୍କ ବାନା

497 Views

ପୁରୀ: ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳ ପ୍ରାୟ ୮.୩୦ ସମୟରେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ବାନା ଖୋଲି ଆଣିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ସକାଳୁ ସକାଳୁ ନୀଳଚକ୍ର ଉପରକୁ ଚଢ଼ି ମନ୍ଦିର ଉପରେ ଲାଗିଥିବା ବାନାକୁ ଖୋଲି ଆଣିବା ସହ ନିଜ ଗାମୁଛାକୁ ବାନା ସ୍ଥାନରେ ବାନ୍ଧି ଦେଇ ଆସିବା ବେଳେ ଭକ୍ତଙ୍କ ଦୃଷ୍ଟିରେ ପଡ଼ିଥିଲା। ମନ୍ଦିର ପରିସରରେ ଥିବା ଭକ୍ତ ବ୍ୟକ୍ତି ଜଣକୁ ବାନା ଖୋଲି ଫେରୁଥିବା ବେଳେ ଦେଖିବା କ୍ଷଣି ତତ୍‌କ୍ଷଣାତ୍‌ ପୁଲିସ୍‌କୁ ଖବର ଦେଖିଥିଲେ।

ଖବର ପାଇ ପୁଲିସ୍‌ ଆସି ମନ୍ଦିର ତଳେ ବ୍ୟକ୍ତି ଜଣଙ୍କୁ ଜଗି ରହିଥିଲା। ବ୍ୟକ୍ତି ଜଣକ ଅଧା ବାଟ ଓହ୍ଲାଇ ମନ୍ଦିର ଅଧାରେ ଅଟକି ରହିଥିଲେ। ପୁଲିସ୍‌ ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିକୁ ତଳେ ଅପେକ୍ଷା କରିବା ପରେ ଶେଷରେ ବ୍ୟକ୍ତି ଜଣକ ତଳକୁ ଓହ୍ଳାଇଥିଲେ। ପୁଲିସ୍‌ ଉକ୍ତ ବ୍ୟକ୍ତିକୁ ଧରି ସିଂହଦ୍ୱାର ଥାନାକୁ ନେଇ ପଚରାଉଚରା ଆରମ୍ଭ କରିଛି। ପ୍ରଥାମିକ ତଦନ୍ତରୁ ବ୍ୟକ୍ତି ଜଣଙ୍କର ମାନସିକ ବିକୃତି ଥିବା ସୂଚନା ରହିଛି।

ମନ୍ଦିର ପରିସରରେ ମନ୍ଦିର ସୁରକ୍ଷା କର୍ମୀ, ପୁଲିସ୍‌ ଥିବା ସତ୍ତ୍ୱେ ବ୍ୟକ୍ତି ଜଣକ କିପରି ମନ୍ଦିର ଉପରକୁ ଚଢ଼ିଲେ ବୋଲି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ, ବ୍ୟକ୍ତି ଜଣକ ଖୋଲି ଆଣିଥିବା ବାନା ସ୍ଥାନରେ ଆଜି ସଂଧ୍ୟାରେ ଯଥା ପୂଜାବିଧ ଅନୁଯାୟୀ ପୁଣି ଥରେ ଚୁନରା ସେବାୟତ ବାନା ବାନ୍ଧିବେ ବୋଲି ସୂଚନା ରହିଛି।

By amfnews

Related Post