ପୁରୀ, ଜାନୁଆରୀ ୨୭ : ଶ୍ରୀମନ୍ଦିର ଖୋଲିବା ପରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ନେଗେଟିଭ୍ କରୋନା ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ଏହାପରେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ଲାଗିଲେ ଏହାପରେ ଅନେକ ବିଚାର ବିମର୍ଶ ପରେ ଗତ ୨୧ ତାରିଖରୁ ବଡ଼ଦେଉଳରୁ କୋଭିଡ୍ ରିପୋର୍ଟ କଟକଣା ଉଠାଇ ଦିଆଗଲା ।
ଏବେ ପ୍ରତିଦିନ ବଡ଼ଦେଉଳକୁ ହଜାର ହଜାର ଲୋକଙ୍କ ଆଗମନ ହେଉଥିବା ବେଳେ ଭକ୍ତ ମାନଙ୍କ ସହିତ ସିଧାସଳଖ ସଂସ୍ପର୍ଶରେ ଆସୁଥିବା ସେବାୟତ ମାନଙ୍କ ପ୍ରତି ସଂକ୍ରମଣ ଅଧିକ ବଢିଯାଇଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଶ୍ରୀମନ୍ଦିରରୁ କୋଭିଡ୍ ରିପୋର୍ଟ କଟକଣା ଉଠିବା ପରେ ଏବେ ସେବାୟତ ମାନଙ୍କ କୋଭିଡ୍ ଟେଷ୍ଟ କରାଯାଉଛି । ଆଜିଠୁ ଶ୍ରୀମନ୍ଦିର ପରିସରରେ ପୁଣି ସେବାୟତ ମାନଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି । ପ୍ରତିଦିନ ପର୍ଯ୍ୟାୟ କ୍ରମେ ସେବାୟତ ମାନଙ୍କ କରୋନା ଟେଷ୍ଟ କରାଯିବ । ପ୍ରତିଦିନ ୫୦ ଜଣ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଆଜି ପ୍ରଥମେ ମହାସୁଆର ସେବାୟତଙ୍କ କୋଭିଡ୍ ଯେଷ୍ଟ ହେବାକୁ ଥିବା ବେଳେ କାଲି ପୁଷ୍ପାଳକ ନିଯୋଗ ଓ ଏହାପରେ ପୂଜାପଣ୍ଡା, ପ୍ରତିହାରୀ, ଦଇତାପତି ନିଯୋଗ ଆଦି ଅନ୍ୟ ବିଭିନ୍ନ ନିଯୋଗର ପର୍ଯ୍ୟାୟକ୍ରମେ ଟେଷ୍ଟ କରାଯିବ ।
ତେବେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଗ୍ରାଣ୍ଡରୋଡ୍ ହିନ୍ଦି ବିଦ୍ୟାପୀଠରେ ସେବାୟତ ମାନଙ୍କ କୋଭିଡ୍ ଟେଷ୍ଟ କରାଯିବ ।