Sun. Mar 8th, 2026

ଶିଶୁର ଦୁଷ୍କର୍ମକାରୀକୁ ଧରିବାକୁ ସାଉଦି ଗଲେ ପୁଲିସ୍‌ କମିଶନର

214 Views

ଚେନ୍ନାଇ  : କେରଳର କୋଲ୍ଲାମ ପୁଲିସ୍‌ କମିଶନର ମେରିନ ଯୋଜେଫ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଜଣେ ଶିଶୁ ଦୁଷ୍କର୍ମକାରୀକୁ ଗିରଫ କରି ଭାରତ ଆଣିବା ପାଇଁ ପ୍ରତିଜ୍ଞା କରିଛନ୍ତି। ଏଥିପାଇଁ ସେ ଓ ତାଙ୍କ ଟିମ୍‌ ସାଉଦି ଆରବ ଗସ୍ତ କରିଛନ୍ତି।

ଅବଶ୍ୟ ରିୟାଦରେ ପହଞ୍ଚିବା ପରେ ଏଥିପାଇଁ କ’ଣ ସବୁ ଆଇନଗତ ବ୍ୟବସ୍ଥା ଅଛି, ସେକଥା ଆଇପିଏସ୍‌ ମେରିନ ଜାଣି ନାହାନ୍ତି ସତ, ହେଲେ ସେ ଶିଶୁ ଦୁଷ୍କର୍ମକାରୀ ସୁନୀଲ କୁମାର ବର୍ଦ୍ଧନକୁ ଧରି ଭାରତ ଫେରିବେ ବୋଲି ପଣ କରିଛନ୍ତି।

କୋଲ୍ଲାମରେ ରହୁଥିବା ସୁନୀଲ କୁମାର ସାଉଦିରେ ଟାଇଲ୍‌ ଶ୍ରମିକ ଭାବେ କାର୍ଯ୍ୟ କରୁଛି। ୨୦୧୭ରେ ସେ କୋଲ୍ଲାମ ଆସିଥିବା ବେଳେ ୩ ମାସ ଧରି ତା’ର ଜଣେ ସାଙ୍ଗର ଝିଆରୀକୁ ଯୌନ ନିର୍ଯାତନା ଦେଇ ଚାଲିଥିଲା।

୧୩ ବର୍ଷୀୟ ନାବାଳିକା ଜଣଙ୍କ ପ୍ରଥମେ ଏକଥା କାହାକୁ କହି ନଥିଲା। ହେଲେ ଯନ୍ତ୍ରଣାକୁ ପେଟ ମଧ୍ୟରେ ଚାପି ରଖିବା ଆଉ ତା’ ପକ୍ଷରେ ସମ୍ଭବ ନ ହେବାରୁ ସେ ପରିବାର ଲୋକଙ୍କୁ ସବୁ କଥା କହିଥିଲା।

ପୁଲିସ୍‌ ସୁନୀଲକୁ ଧରିବା ପାଇଁ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିବା ପୂର୍ବରୁ ସେ ସାଉଦି ଫେରାର ହୋଇଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ନାବାଳିକା ଜଣଙ୍କ ୨୦୧୭ ଜୁନ୍‌ ମାସରେ ଆତ୍ମହତ୍ୟା କରିଥିଲା। ଏହାପୂର୍ବରୁ ସୁନୀଲକୁ ନାବାଳିକା ସହ ଚିହ୍ନା କରାଇଥିବା ତା’ ସମ୍ପର୍କୀୟ ଦାଦା ମଧ୍ୟ ଅପମାନ ସହି ନ ପାରି ଆତ୍ମହତ୍ୟା କରିଥିଲେ।

ଦୁଇ ବର୍ଷ ଯାଏ ଏହି ଘଟଣା ଥମି ଯାଇଥିଲା। ତେବେ ୨୦୧୯ରେ ମେରିନ କୋଲ୍ଲାମ ପୁଲିସ କମିଶନର ଭାବେ ଦାୟିତ୍ୱ ନେବା ପରେ ପୁରୁଣା ମାମଲା ଗୁଡ଼ିକର ଛାନଭିନ୍‌ କରିଥିଲେ।

ଏହି ସମୟରେ ମେରିନଙ୍କ ନଜର ଏହି ଲୋମହର୍ଷଣକାରୀ ଘଟଣା ଉପରେ ପଡ଼ିଥିଲା। ସେ ଏହାକୁ ଗୁରୁତ୍ୱର ସହ ନେଇ ଏବେ ସୁନୀଲ କୁମାରକୁ ଗିରଫ କରିବା ପାଇଁ ସାଉଦି ଯାଇଛନ୍ତି। ସୁନୀଲଙ୍କ ନାଁରେ ଇଣ୍ଟରପୋଲ ନୋଟିସ୍‌ କରିଥିଲେ ହେଁ ୨୦୧୭ରୁ ଏହା ଆଗକୁ ଯାଇ ପାରି ନଥିଲା।

By amfnews

Related Post