Wed. Dec 25th, 2024

ଶିଳ୍ପପତି ଅମ୍ବାନୀ ଝିଅ ଈଶାଙ୍କ ବିବାହ ସଂପନ୍ନ, ଉପହାର ପାଇଲେ ୪୫୨ କୋଟିର ଆଶିୟାନା

By amfnews Dec 13, 2018 #Featured
191 Views

ମୁମ୍ବାଇ, ଡିସେମ୍ବର ୧୩ : ଭାରତର ସବୁଠାର ବଡ଼ ଶିଳ୍ପପତି ଏବଂ ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ବୁଧବାର ରାତି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ପୀରାମଲ ଗ୍ରୁପର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆନନ୍ଦ ପୀରାମଲଙ୍କ ସହିତ ଈଶାଙ୍କ ବିବାହ ହୋଇଛି । ବିବାହ ମହୋତ୍ସବରେ ବିଭିନ୍ନ କ୍ଷେତ୍ରରୁ ବଡ଼ ବଡ଼ ହସ୍ତୀ ପହଂଚିଛନ୍ତି । ମୁମ୍ବାଇସ୍ଥିତ ଅମ୍ବାନୀଙ୍କ ‘ଏଣ୍ଟିଲିଆ’ ଠାରେ ଏହି ବିବାହ ଉତ୍ସବର ଆୟୋଜନ କରାଯାଇଥିଲା । ୨୭ ମହଲାର ଏହି ଘରକୁ ରଂଗ ଓ ଲାଇଟରେ ସଜ୍ଜିକରଣ କରାଯାଇଥିଲା । ବିଶାଳ ବିବାହ ମହୋତ୍ସବରେ ୬୦୦ ଜଣ ହାଇପ୍ରୋଫାଇଲ ଅତିଥି ପହଂଚିଥିଲେ । ଏହି ଅଂଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଈଶା ଅମ୍ବାନୀର ଶାଶୁ ଓ ଶ୍ୱଶୁର ତାଙ୍କୁ ବିବାହ ପୂର୍ବରୁ ୪୫୨ କୋଟି ଟଙ୍କାରେ ନିର୍ମିତ ଘର ‘ଆଶିୟାନା’ ଉପହାର ସ୍ୱରୂପ ଦେଇଛନ୍ତି । ଭର୍ଲି ସମୁଦ୍ର କୂଳରେ ୫୦ ହଜାର ବର୍ଗଫୁଟରେ ନିର୍ମିତ ଏହି ୫ ମହଲା ବିଶିଷ୍ଟ ଘରକୁ ୧୫୦୦ ଶ୍ରମିକ ନିର୍ମାଣ କରିଛନ୍ତି, ଯେଉଁଥିରେ ଧଳା ମାର୍ବଲ ଲାଗିଛି । ପାଂଚ ମହଲା ଏହି ବିଶାଳ କୋଠାରେ ୩ଟି ବେସମେଣ୍ଟ ରହିଛି, ଯେଉଁଥିରେ ୨ଟି ପାର୍କିଂ ପାଇ ଉପଲବ୍ଧ ।

ଈଶା ଅମ୍ବାନୀଙ୍କ ଘରକୁ ପୀରାମଲ ଗ୍ରୁପ ୨୦୧୨ରେ ହିନ୍ଦୁସ୍ଥାନ ୟୁନିଲଭର କମ୍ପାନୀ ଠାରୁ ୨୦୧୨ରେ କିଣିଥିଲା । ଏଥିପାଇଁ କମ୍ପାନୀକୁ ୪୫୨ କୋଟି ଟଙ୍କା ଦେବାକୁ ପଡ଼ିଥିଲା । ଆନନ୍ଦ ପୀରାମଲଙ୍କ ପିତା ବୋହୂ ଈଶାଙ୍କୁ ଏହି କୋଠା ଉପହାର ସ୍ୱରୂପ ଦେଇଥିବା ଜଣାପଡ଼ିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତ ସେପ୍ଟେମ୍ବର ୧୯ରେ ବମ୍ବେ ମୁନିସିପାଲ କର୍ପୋରେସନ ଠାରୁ ସାର୍ଟିଫିକେଟ ମିଳିଛି ।

ସୂଚନାଯୋଗ୍ୟ ପୀରାମଲ ଗ୍ରୁପ ବିଶ୍ୱରେ ୧୦ ମିଲିୟନ ଡଲାରର ଫାର୍ମାସ୍ୟୁଟିକାଲ ସର୍ଭିସେସ, ରିୟଲ ଇଷ୍ଟେଟ, ଆଇଟି ଏବଂ ଗ୍ଲାସ ପ୍ୟାକେଜିଙ୍ଗ ସହିତ ଜଡ଼ିତ ବ୍ୟବସାୟ କରିଥାଏ । ଈଶା ଅମ୍ବାନୀଙ୍କୁ ଉପହାରରେ ମିଳିଥିବା ଘରେ ଅତ୍ୟାଧୁନିକ ସୁବିଧା ରହିଛି ।

By amfnews

Related Post