ରାଉରକେଲା : ଶିଳ୍ପ ଓ ଖଣି କାର୍ଯ୍ୟ ସୁନ୍ଦରଗଡ଼ ଜିଲ୍ଲାରେ କୃଷିକୁ ଗୁରୁତର ପ୍ରଭାବିତ କରିଛି। ଜିଲ୍ଲାରେ ଜନ ସଂଖ୍ୟା ବଢି ଚାଲିଥିବା ବେଳେ କୃଷି କ୍ଷେତ୍ର ସଙ୍କୁଚିତ ହେବାରେ ଲାଗିଛି। ଚାଷ ଜମିରେ କଳ କାରଖାନା, ଖଣି, ରାସ୍ତା ଓ ସୁଉଚ୍ଚ ଅଟ୍ଟାଳିକା ଏବେ ଶୋଭା ପାଉଛି। ଗତ ୩୫ ବର୍ଷ ମଧ୍ୟରେ ଜିଲ୍ଲାର ପ୍ରାୟ ୨୦ ପ୍ରତିଶତ ଉର୍ବର ଚାଷଜମିକୁ ଅଣକୃଷି କାର୍ଯ୍ୟରେ ବ୍ୟବହୃତ କରା ଯାଇଥିବା ଜଣାପଡ଼ିଛି।
ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶାର ଦ୍ବିତୀୟ ବୃହତ୍ତମ ଜିଲ୍ଲା। ଏହାର ଆୟତନ ୯୭୧୨ ବର୍ଗ କିଲୋମିଟର। ଗତ ୩୫ ବର୍ଷର ସ୍ଥିତିକୁ ଆକଳନ କଲେ ଖଣି ପାଇଁ ଜିଲ୍ଲାର ୨୦୭୫ ହେକ୍ଟରରୁ ଅଧିକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। କୋଇଡ଼ା ଅଞ୍ଚଳରେ ଲୁହା ପଥର ଓ ମାଙ୍ଗାନିଜ୍ , ବୀରମିତ୍ରପୁର, କୁଆରମୁଣ୍ଡା, କୁତ୍ରା ଓ ରାଜଗାଙ୍ଗପୁର ଅଞ୍ଚଳରେ ଚୁନପଥର ଓ ଡୋଲାମାଇଟ୍ ଏବଂ ହେମଗିର ଅଞ୍ଚଳରେ କୋଇଲା ଖଣି ପାଇଁ ଅନେକ ଚାଷ ଜମି ମରୁଭୂମିରେ ପରିଣତ ହୋଇଛି। ଖଣି ଖନନ, ଖଣିକୁ ସଂଯୋଗ ରାସ୍ତା ପାଇଁ ଚାଷ ଜମି ବ୍ୟବହୃତ ହୋଇଛି। ଶିଳ୍ପ ପାଇଁ ଜିଲ୍ଲାରେ ଚାଷ ଜମିକୁ ମନମୁଖୀ ବ୍ୟବହାର କରାଯାଇଛି। ଜିଲ୍ଲାର ଅଧିକାଂଶ ଶିଳ୍ପ ସଂସ୍ଥା ଉର୍ବର ଚାଷଜମି ଉପରେ ଗଢି ଉଠିଛି। ଯାହାର ଅନ୍ୟତମ ସଦ୍ୟତମ ଉଦାହରଣ ହେଲା ଆଧୁନିକ ମେଟାଲିକ୍ସ କାରଖାନା। ଏହି କାରଖାନା ଶହେ ହେକ୍ଟରରୁ ଅଧିକ ଚାଷ ଜମି ନେଇଛି। ୨୦ ବର୍ଷ ପୂର୍ବେ ଏହି ଜମିରେ ଧାନ ସମେତ ଖୁବ୍ ଭଲ ଫସଲ ହେଉଥିଲା। ଏବେ କାରଖାନା ଚାଲୁନି, ଚାଷ ବି ଗଲା। ୯୦ ଦଶକରେ ସୁନ୍ଦରଗଡ଼ ଜିଲ୍ଲାରେ ୪୦ରୁ ଅଧିକ ସିମେଣ୍ଟ କାରଖାନା ଶହ ଶହ ହେକ୍ଟର ଚାଷ ଜମି ଉପରେ ଗଢି ଉଠିଥିଲା। ଆଉ ସିମେଣ୍ଟ କାରଖାନାର ଚିହ୍ନବର୍ଣ୍ଣ ନାହିଁ। ଗତ ୧୫ ବର୍ଷ ମଧ୍ୟରେ ଜିଲ୍ଲାରେ ଶହ ଶହ ସ୍ପଞ୍ଜ ଆଇରନ କାରଖାନା, ଇଣ୍ଡକ୍ସନ ଫର୍ଣ୍ଣେସ, କ୍ରସର ୟୁନିଟ୍, ଫାୟାର ବ୍ରିକ୍ସ, ରୋଲିଂ ମିଲ୍ ସମେତ ବିଭିନ୍ନ କାରଖାନା ଗଢି ଉଠିଛି। ଏହି ସବୁ କାରଖାନା ଜିଲ୍ଲାର ଗ୍ରାମାଞ୍ଚଳରେ ଲୋକଙ୍କ ଚାଷ ଜମି ଉପରେ ହିଁ ରହିଛି। କାରଖାନା ପାଇଁ ଯେତିକି ଚାଷଜମି ନଷ୍ଟ ହୋଇଛି, ତା’ଠାରୁ ଅଧିକ ପ୍ରଦୂଷଣ ପାଇଁ ଜମି ଉର୍ବରତା ହରାଇ ଆଉ ଚାଷ ଉପଯୋଗୀ ହୋଇ ରହିନାହିଁ। ଜିଲ୍ଲର କଲୁଙ୍ଗା ଓ ରାଜଗାଙ୍ଗପୁର ଶିଳ୍ପାଞ୍ଚଳ ବି ଉର୍ବର ତଥା ଜଳସେଚିତ ଚାଷଜମି ଉପରେ ଗଢି ଉଠିଛି। କାରଖାନା ମାଲିକମାନେ ଗ୍ରାମାଞ୍ଚଳରେ କମ୍ ମୂଲ୍ୟରେ ଜମି କିଣି କାରଖାନା ବସାଉଥିବାରୁ ଶିଳ୍ପାଞ୍ଚଳରେ କାରଖାନା କରିବାକୁ ଗୁରୁତ୍ବ ଦେଉନାହାନ୍ତି। ଶିଳ୍ପ ବସାଇବା ପାଇଁ ପ୍ରାୟ ୩ ହଜାର ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ବେଳେ ଶିଳ୍ପ ଓ ଖଣି ପ୍ରଦୂଷଣ ପାଇଁ ୫୦ ହଜାର ହେକ୍ଟରରୁ ଅଧିକ ଚାଷଜମି ପ୍ରଭାବିତ ହୋଇ ହୋଇଥିବା ବିଭିନ୍ନ ସମୟରେ ଅଭିଯୋଗ ଆସିଛି।
ସୁନ୍ଦରଗଡ଼ ଜିଲ୍ଲାର ଲୋକ ସଂଖ୍ୟା ଏବେ ୨୨ ଲକ୍ଷ ଉପରେ। ୨୦୧୧ ଜନଗଣନାରେ ଜିଲ୍ଲାର ଲୋକ ସଂଖ୍ୟା ୨୦ ଲକ୍ଷ ୯୩ ହଜାର ୪୩୭ ଥିଲା। ୨୦୦୧ ମସିହା ଜନ ଗଣନା ଅନୁସାରେ ଜିଲ୍ଲାରେ ଜନସଂଖ୍ୟା ୧୮ ଲକ୍ଷ ୩୦ ହଜାର ୬୭୩ ରହିଥିଲା। ପ୍ରତି ୧୦ ବର୍ଷରେ ଜିଲ୍ଲାରେ ପାଖାପାଖି ୧୫ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ପାଉଛି। ଜିଲ୍ଲାର ୫୦ ପ୍ରତିଶତରୁ ଅଧିକ ଲୋକ ପରିବାର ପ୍ରତିପୋଷଣ ପାଇଁ ଏବେ ବି ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଛନ୍ତି। ଜିଲ୍ଲାରେ ଚାଷଜମି ଉଦ୍ବେଗଜନ ଭାବେ ହ୍ରାସ ପାଉଥିବା ବେଳେ ଲୋକସଂଖ୍ୟା ବଢି ଚାଲିଥିବାରୁ ଏହାର ପ୍ରତିକାର ନ ହେଲେ ଜିଲ୍ଲାରେ ଖାଦ୍ୟ ସମସ୍ୟା ଅଣାୟତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।