Fri. Mar 6th, 2026

ଶାଶୁ ଘର ଛାଡ଼ିବେନି ବର୍ଷା ପ୍ରିୟଦର୍ଶିନୀ,ସେହିଠାରୁ ଲଢ଼ିବେ ମାମଲା

257 Views

କଟକ  : ଶାଶୁ ଘର ଛାଡିବେନି ବର୍ଷା ପ୍ରିୟଦର୍ଶିନୀ । ଶାଶୁ ଘରେ ରହି ହିଁ ମାମଲା ଲଢ଼ିବେ । ଏ ନେଇ ସୂଚନା ଦେଇଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ । ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ରହୁଛନ୍ତି ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ସ୍ୱାମୀ ଅନୁଭବ ମହାନ୍ତି । .ସେ କହିଥିଲେ, ଯଦି ବର୍ଷା ଘରୋଇ ହିଂସାର ଶିକାର ହୋଇଛନ୍ତି, ଆମେ ତାଙ୍କୁ ହଇରାଣ କରୁଛୁ, ତେବେ ସେ ଏବେ ବି କିଭଳି ମୋ ଘରେ ରହିଛନ୍ତି।ଏହାର ଜବାବରେ ବର୍ଷାଙ୍କ ଓକିଲ କହିଛନ୍ତି ଅନୁଭବଙ୍କ କଥାରେ ବର୍ଷା ଘର ଛାଡି ପାରିବେ ନାହିଁ । ସେପଟେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ପରେ ଆଜିଠାରୁ ତାଙ୍କୁ ପୁଲିସ ସୁରକ୍ଷା ଦିଆଯାଇଛି । ଅନୁଭବଙ୍କ ଘରେ ବର୍ଷାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜଣେ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ ବର୍ଷା । ଏ ନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଗତକାଲି ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ, ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ସୁଟ କରିଥିଲେ ।  ବର୍ଷା ଏଥିରେ ଭୟଭୀତ ହୋଇ ପୁଲିସ କଣ୍ଟ୍ରୋଲ ରୁମ୍ ନମ୍ବର ୧୦୦କୁ ଫୋନ୍ କରି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଡିସିପି ପ୍ରତୀକ ସିଂହ ପୁରୀଘାଟ ଥାନା ଆଇଆଇସି ରଶ୍ମି ରଞ୍ଜନ ସାହୁଙ୍କୁ ଅପରାହ୍ନ ପ୍ରାୟ ୪ଟା ବେଳେ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେବା ପରେ ପୁରୀଘାଟ ଥାନାର ଦୁଇ ଜଣ ପୁଲିସ ଅଫିସର ତୁରନ୍ତ ନନ୍ଦୀ ସାହିରେ ପହଞ୍ଚିଥିଲେ। ପରେ ପରେ ମହିଳା ଥାନା ଆଇଆଇସି ଅନସୂୟା ନାୟକ ଏବଂ ଅନ୍ୟ ଜଣେ ମହିଳା କର୍ମଚାରୀ ପହଞ୍ଚି ଘଟଣା ସମ୍ପର୍କରେ ବର୍ଷାଙ୍କୁ ପଚାରି ବୁଝିଥିଲେ। ପ୍ରାୟ ୨ ଘଣ୍ଟା କାଳ ପୁଲିସ ଅନୁଭବଙ୍କ ଘରେ ରହିଥିଲା।

By amfnews

Related Post