Sun. Mar 8th, 2026

ଶଶୁର ଛୁରାମାଡ଼ରେ ଜୋଇଁ ଗୁରୁତର

171 Views

ଗଞ୍ଜାମ  : ଗୁରୁବାର ରାତି ପ୍ରାୟ ସାଢ଼େ ଦଶଟାବେଳେ ଦିଗପହଣ୍ଡି ଅଞ୍ଚଳର ପୁଞ୍ଜିକଁୟା ଛକ ନିକଟରେ ଜଣେ ଯୁବକଙ୍କୁ ତାଙ୍କ ଶଶୁର ଛୁରି ଭୁସି ଆହତ କରିଛନ୍ତି। ଆହତ ଯୁବକ ହେଉଛନ୍ତି ଦିଗପହଣ୍ଡି ଥାନା ଅଧୀନ କଲ୍ୟାଣପୁର ଗ୍ରାମର ସଞ୍ଜୟ ଗୌଡ଼। ସଞ୍ଜୟ ରାସ୍ତାରେ ଠିଆ ହୋଇଥିବା ବେଳେ ଶଶୁର ଉମାକାନ୍ତ ଗୌଡ଼ ଆସି ତାଙ୍କ ପେଟ ଓ ମୁଣ୍ଡକୁ ଛୁରିରେ ଭୁସି ପକାଇ ଥିଲେ। ଆଖପାଖରେ ଥିବା ଲୋକେ ଧାଇଁ ଆସିବାରୁ ଉମାକାନ୍ତ ରାସ୍ତାପାର୍ଶ୍ୱସ୍ଥ ବିଲମାଳ ଦେଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।ଚିକିତ୍ସା ପାଇଁ ରକ୍ତାକ୍ତ ସଞ୍ଜୟଙ୍କୁ ଲୋକେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ଜୁନ୍‌ ୩୦ ତାରିଖରେ ସଞ୍ଜୟ ତାଙ୍କ ଗ୍ରାମର ଉମାକାନ୍ତଙ୍କ ଝିଅ ଜୟନ୍ତୀଙ୍କୁ ଉଭୟ ପରିବାର ଓ ବନ୍ଧୁବର୍ଗଙ୍କ ଉପସ୍ଥିତିରେ କାଶୀ ବିଶ୍ୱନାଥ ଶୈବପୀଠରେ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। ବିବାହର କିଛି ଦିନ ପରେ ସଞ୍ଜୟ ପତ୍ନୀଙ୍କ ସହ ଦିଗପହଣ୍ଡିର ପୁଞ୍ଜିକଁୟା ଛକ ପାଖରେ ଘର ଭଡ଼ା ନେଇ ରହୁଥିଲେ।

କିନ୍ତୁ, ଏଇ ପ୍ରେମ ବିବାହକୁ ଉମାକାନ୍ତ ସମ୍ମତି ଦେଉ ନ ଥିଲେ ଏବଂ ଖୁବ୍‌ ଅସନ୍ତୁଷ୍ଟ ଥିଲେ ବୋଲି ଶୁଣାଯାଉଛି। ଆକ୍ରମଣ ସଂକ୍ରାନ୍ତରେ ଦିଗପହଣ୍ଡି ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ କିଂବା ଆକ୍ରମଣର କାରଣ ଜଣାପଡ଼ି ନାହିଁ ବୋଲି ପୁଲିସ କହିଛି।

By amfnews

Related Post