ଭୁବନେଶ୍ବର: ରାଜ୍ୟ ରାଜନୀତି ଏବେ କୁରୁକ୍ଷେତ୍ର ପାଲଟିଯାଇଛି । ରାଜନୀତି ମଇଦାନ ଏବେ କୌଣସି ରଣକ୍ଷେତ୍ର ଠାରୁ କମ୍ ନୁହେଁ । ନିର୍ବାଚନ ପାଖେଇ ଆସୁଥିବା ବେଳେ ମହାଭାରତ ଆରମ୍ଭ ହୋଇଯାଇଛି । ନିକଟରେ ଗୈରିକ ଦଳ ଛାଡ଼ିଥିବା ନେତା ସୁବାସ ଚୌହାନ୍ ରାଜନୀତିକୁ ମହାଭାରତ ଯୁଦ୍ଧରେ ପରିଣତ କରିଦେଇଛନ୍ତି । ଦଳ ଛାଡ଼ୁ ଛାଡ଼ୁ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ସୁବାସ । ସେ କହିଛନ୍ତି ଏବେ କୁରୁକ୍ଷେତ୍ରରେ ଲଢେଇ ଆରମ୍ଭ ହୋଇସାରିଛି । କେଉଁ ଯୋଦ୍ଧା କାହା ପକ୍ଷ ନେବେ ନିଶ୍ଚିତ ହୋଇସାରିଛି । ସେ ଜଣେ ଯୋଦ୍ଧା ଓ ସେ ତାଙ୍କର ପକ୍ଷ ସ୍ଥିର କରିସାରିଛନ୍ତି ।
ପଦ୍ମ ଛାଡ଼ି ଶଙ୍ଖ ଶିବିରକୁ ଲମ୍ଫ ପ୍ରଦାନ କରିବା ପରେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ସୁବାସ ଚୌହାନ୍ । ନବୀନ ପଟ୍ଟନାୟକଙ୍କ ଯୁଧିଷ୍ଠିର ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅହଂକାରୀ ଦୁର୍ଯ୍ୟୋଧନଙ୍କ ସହ ସୁବାସ ତୁଳନା କରିଛନ୍ତି । ନବୀନଙ୍କୁ ଯୁଧିଷ୍ଠିର ଭାବେ ଚିତ୍ରାୟିତ କରି ଶଙ୍ଖ ଧରିଛନ୍ତି ବୋଲି କହିଛନ୍ତି ସୁବାସ । ନବୀନ ବାବୁ ଜଣେ ଶାନ୍ତ, ସରଳ ସ୍ୱଭାବର ମଣିଷ । ଅନ୍ୟପଟେ ଧର୍ମେନ୍ଦ୍ରଙ୍କୁ ଅହଙ୍କାରୀ ଦୁର୍ଯ୍ୟୋଧନ ବୋଲି କହିଛନ୍ତି ସୁବାସ । ଏବେ ସବୁଜ ଗଡ଼ରେ ଅଧର୍ମ ବିରୋଧରେ ଧର୍ମର ଲଢେଇ ଜାରି ରହିବ । ହଜାର ହଜାର କାର୍ଯ୍ୟକର୍ତ୍ତା ଅହଙ୍କାରରେ ପୀଡ଼ିତ ହୋଇ ଜର୍ଜରିତ ହେଉଛନ୍ତି ।