Fri. Mar 6th, 2026

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୪ ଯବାନ ସହିଦ ହେବା ଘଟଣା: ସହିଦ ଓଡ଼ିଆ ଯବାନଙ୍କ ଘରେ ଶୋକାକୂଳ ପରିବେଶ

334 Views

କେନ୍ଦୁଝର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶନିବାର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଏଥିରେ ସାମିଲ ଅଛନ୍ତି ଓଡ଼ିଆ ଯବାନ ବିଏମ୍‌ ବେହେରା (୪୩)। କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅନ୍ତର୍ଗତ ବଳରାମପୁର ପଞ୍ଚାୟତର ନନ୍ଦୁଆ ଗାଁରେ ବି.ଏମ୍‌ ବେହେରା୧୯୭୫ ମସିହାରେ ଜନ୍ମଗ୍ରହଣ କରିଥିଲେ।

ବିବାହିତ ଯବାନ ପରିବାର ସହିତ ଛତିଶଗଡ଼ରେ ରହୁଥିଲେ ଏବଂ ସେ ଦୀର୍ଘ ୪ ରୁ ୫ ବର୍ଷ ହେବ ନିଜର ଜନ୍ମମାଟିକୁ ଆସି ନଥିଲେ। ବ୍ରଜ କିଶୋର ସହିଦ ହେବା ପରେ ଆଜି ସନ୍ଧ୍ୟାରେ ତାଙ୍କ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଆଖପାଖର ଗାଁର ଲୋକେ ବ୍ରଜକିଶୋରଙ୍କ ଗାଁକୁ ଧାଇଁଛନ୍ତି। ସେହିପରି ଯୁବଗୋଷ୍ଠୀଙ୍କ ମୁହଁ ମଳିନ ପଡ଼ିଯାଇଛି।

ସୂଚନାଯୋଗ୍ୟ ନକ୍ସଲମାନେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି  ସୁରକ୍ଷାକର୍ମୀ ଯାଉଥିବା ଏକ ବୁଲେଟପ୍ରୁଫ୍‌ ଗାଡ଼ିକୁ ଉଡାଇ ଦେଇଛନ୍ତି। ଏହି ଘଟଣାରେ ୪ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଆହତ ହୋଇଥିବା ଯବାନଙ୍କୁ ହେଲିକପ୍ଟର ଯୋଗେ ଚିକିତ୍ସା ଲାଗି ରାୟପୁର ସ୍ଥାନାନ୍ତରୀତ କରାଯାଇଛି। ଓଡ଼ିଆ ଯବାନ ବି.ଏମ୍‌.ବେହେରା ବୁଲେଟପ୍ରୁଫ୍‌ ଗାଡ଼ି ଚଳାଉଥିଲେ।

ଘଟଣାରେ ହୋଇଥିବା ଅନ୍ୟ ଯବାନ ହେଲେ ମୀର ମୈତୁର ରେହମାନ (୩୦), ଏଏଚ ପ୍ରବୀଣ (୨୧) ଓ ଜି ଶ୍ରୀନୁ କୁମାର(୨୬)। ଗୁରୁତର ଆହତ ଯବାନଙ୍କ ନାମ ବାବୁ ରାଓ ସିଧେଶ୍ୱର ଓ ହାର୍ଦ୍ଦିକ ସୁରେଶ କୁମାର।

ରିପୋର୍ଟ ମୁତାବକ, ବିଜାପୁରର ମୁର୍ଦେଣ୍ଡାରେ ଥିବା ସିଆରପିଏଫର ୧୬୮ ବଟାଲିୟନର କ୍ୟାମ୍ପଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଘଟିଛି। ମୁର୍ଦେଣ୍ଡାରୁ ତିମାପୁର ରାସ୍ତାରେ ପେଟ୍ରୋଲିଂ ପାଇଁ ବାହାରିଥିବା ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ିକୁ ନକ୍ସଲ୍‌ ଟାର୍ଗେଟ କରିଥିଲେ। ଯବାନଙ୍କ ଚଳପ୍ରଚଳକୁ ଲକ୍ଷ୍ୟ କରି ନକ୍ସଲମାନେ ପୂର୍ବରୁ ଲ୍ୟାଣ୍ଡମାଇନ୍‌ ଖଞ୍ଜି ରଖିଥିଲେ। ଏହି ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

By amfnews

Related Post