Fri. Mar 6th, 2026

ଲୋକାର୍ପିତ ହେଲା ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କ ପୁସ୍ତକ “ଅସତୀ” ଓ “ଶ୍ରୀ ଲଛମନ ଉବାଚ”

401 Views

ରାଜ୍ୟର ଅନ୍ୟତମ ସମ୍ବାଦ ସରବରାହ ସଂସ୍ଥା ଆସୋସିଏଟେଡ୍ ମିଡିଆ ଫାଉଣ୍ଡେସନ୍ (ଏଏମ୍ଏଫ୍) ପକ୍ଷରୁ ଏପ୍ରିଲ ୨୩ ତାରିଖ ସୋମବାର ଦିନ ଓଡିଶା ପ୍ରେସ୍ କ୍ଲବ ଠାରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଉପନ୍ୟାସ “ଅସତୀ” ଓ ବ୍ୟଙ୍ଗ ଗଳ୍ପ ସଙ୍କଳନ “ଶ୍ରୀ ଲଛମନ ଉବାଚ”ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, କବି ଡକ୍ଟର ରାଜେନ୍ଦ୍ର କିଶୋର ପଣ୍ଡା, ବିଶିଷ୍ଟ ଗୀତିକାର ଓ ଗାଳ୍ପିକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତି ଦେବଦାସ ଛୋଟରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ତଥା ବିଶିଷ୍ଟ ଗାଳ୍ପିକ ଶ୍ରୀ ଜ୍ୟୋତି ନନ୍ଦ ପୁସ୍ତକ ଦୁଇଟିର ସମୀକ୍ଷା କରିଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଉଭୟ ପୁସ୍ତକ ଉପରେ ନିଜ ନିଜର ମତ ରଖିଥିଲେ । ପୁସ୍ତକ ଦୁଇଟି ଖୁବ୍ ସୁନ୍ଦର ହେବା ସହ ଅସତୀ ଉପନ୍ୟାସରେ ଏକ ନାରୀ ଚରିତ୍ରକୁ ଅତ୍ୟନ୍ତ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ଏହାସହ ଶ୍ରୀ ଲଛମନ ଉବାଚ ପୁସ୍ତକଟି ବ୍ୟଙ୍ଗ ରଚନାକୁ ସାର୍ଥକ କରିଛି ବୋଲି ଅତିଥିମାନେ କହିଥିଲେ ।
ସମ୍ମାନିତ ଅତିଥି ପ୍ରଶାନ୍ତ ନନ୍ଦ ନିଜ ଭାଷଣରେ ଆଜିକାଲି ପୁସ୍ତକ ପ୍ରତି ଲୋକଙ୍କ ଆଗ୍ରହ କମୁଥିବାର ମଧ୍ୟ କହିଥିଲେ । କିଛି ଅବ୍ୟବସ୍ଥା ପାଇଁ ବର୍ତ୍ତମାନ ସମୟରେ ପ୍ରକାଶ ପାଉଥିବା ପୁସ୍ତକଗୁଡିକ ଲୋକଙ୍କ ପାଖରେ ପହଞ୍ଚିପାରୁନି, ତେଣୁ ଏ ବ୍ୟବସ୍ଥାରେ ଆମକୁ ପରିବର୍ତ୍ତନ ଆଣିବା ଦରକାର ବୋଲି କହିଥିଲେ ଶ୍ରୀ ପ୍ରଶାନ୍ତ ନନ୍ଦ । ସେହିପରି ସମ୍ମାନିତ ଅତିଥି ଶ୍ରୀ ଦେବଦାସ ଛୋଟରାୟ ନିଜ ଭାଷଣରେ ଲେଖକ ଶ୍ରୀ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଲେଖକ ତଥା ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ କହିଥିଲେ କି “ଅସତୀ” ପୁସ୍ତକଟିକୁ ମୁଁ ୨୧ ବର୍ଷ ବୟସରେ ଲେଖିଥିଲି, ଏବେ ତାହାକୁ ପୁନଶ୍ଚ ଲୋକାର୍ପଣ କରିବା ମୋ ପାଇଁ ନିଶ୍ଚୟ ଆନନ୍ଦର କଥା । ସମ୍ପ୍ରତି ମୋତେ ୭୭ ବର୍ଷ ହୋଇଥିବା ବେଳେ ଏହାର ପୁର୍ନମୂଦ୍ରଣ କରାଯାଇ ମୂଲ୍ୟାୟନ କରିବା ନିମନ୍ତେ ପ୍ରଚେଷ୍ଟା ହେବାର ଯର୍ଥାଥତା ପାଠକ ପାଠିକା ଓ ସମାଲୋଚକମାନେ ବିଚାର କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ସାଧାରଣତଃ ଅଧିକାଂଶ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ପୁସ୍ତକ ପ୍ରକାଶନରେ ସହାୟତା ଓ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ କୁଣ୍ଠା ପ୍ରକାଶ ପାଇଥାଏ । ମାତ୍ର ଆଲୋଚିତ ପୁସ୍ତକ ଦୁଇଟି ପ୍ରକାଶନରେ ସହଯୋଗ କରିଥିବା ପ୍ରତ୍ୟେକଙ୍କୁ ସମ୍ମାନର ସହ ପରିଚିତ କରାଇବା ପାଇଁ ରାଜ୍ୟର ବରିଷ୍ଠ ଫଟୋଗ୍ରାଫର୍ ପ୍ରଫୁଲ୍ଲ ଚନ୍ଦ୍ର ଧୀର୍ ଓ କାର୍ଟୁନିଷ୍ଟ କମଳାକାନ୍ତ ରଥଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉଭୟ ପୁସ୍ତକ ପ୍ରକାଶରେ ସାହାଯ୍ୟ କରିଥିବା ଶୁଭଶ୍ରୀ ଏବଂ ସାଗରିକାଙ୍କୁ ଶ୍ରୀ ପଟ୍ଟନାୟକ ପୁରସ୍କୃତ କରିଥିଲେ । କମଳାକାନ୍ତ ଶ୍ରୀ ଲଛମନ ଉବାଚ ପୁସ୍ତକର ପ୍ରଚ୍ଛଦ ଚିତ୍ର ଅଙ୍କନ କରିବା ସହ ପୁସ୍ତକରେ ସନ୍ନିବେଶିତ ରେଖା ଚିତ୍ରଗୁଡିକ ମଧ୍ୟ ଆଙ୍କିଥିଲେ । କବି, ସଂସ୍କୃତି ସମୀକ୍ଷକ ତଥା ସାମ୍ବାଦିକ କେଦାର ମିଶ୍ରଙ୍କ ସଂଯୋଜନାରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏଏମ୍ଏଫ୍ ତରଫରୁ ରଶ୍ମିରେଖା ପଟ୍ଟନାୟକ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମଗୁଡିକ ପାଇଁ ଏଏମ୍ଏଫ୍ର ଅବଦାନ ସମ୍ପର୍କରେ ତାଙ୍କ ସ୍ୱାଗତ ଭାଷଣରେ ସୂଚନା ଦେଇଥିଲେ । ଏଏମ୍ଏଫ୍ର ସମ୍ପାଦିକା ଶ୍ରୀମତୀ ପୁଷ୍ପଜା ଧଳ ପଟ୍ଟନାୟକ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

By amfnews

Related Post