Sat. Mar 7th, 2026

ଲଜ୍‌ରୁ ବାଘ ଛାଲ ଜବତ ମାମଲା : ଆଉ ୩ଜଣଙ୍କୁ ଧରିଲା ଏସ୍‌ଟିଏଫ୍‌

391 Views

ଭୁବନେଶ୍ୱର : ସମ୍ବଲପୁର କୁଚିଣ୍ଡା ସ୍ରିଷ୍ଟି ଲଜ୍‌ରୁ ବାଘ ଛାଲ ଜବତ ମାମଲାରେ ଆଉ ତିନିଜଣଙ୍କୁ ବାନ୍ଧିଛି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ (ସ୍ପେସାଲ ଟାସ୍କ ଫୋର୍ସ)। ପୂର୍ବରୁ ବନ୍ଧା ହୋଇଥିବା ଅଭିଯୁକ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିବା ପରେ ତାଙ୍କ ବୟାନ ଆଧାରରେ ଏହି ତିନିଜଣ ଗିରଫ ହୋଇଛନ୍ତି। ଗିରଫ ଶିକାରୀ ଓ ସହଯୋଗୀ ହେଉଛନ୍ତି, ଦେଓଗଡ଼ ଲାଇକରାର ନରେନ୍ଦ୍ର ପିଙ୍ଗ, ରିଆମାଳର ମନଫୁଲ ପ୍ରଧାନ ଓ ଜାମୁଖେରାର ଅକ୍ଷୟ ଭୋଇ। ସେମାନଙ୍କୁ କୁଚିଣ୍ଡା ଏସ୍‌ଡିଜେଏମ୍‌ଙ୍କ କୋର୍ଟ ଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡ‌ରେ ଆଣିବାକୁ ଯୋଜନା ହେଉଛି। ପୂର୍ବରୁ କୁଚିଣ୍ଡାର ସ୍ରିଷ୍ଟି ଲଜ୍‌ରୁ ୭ ଜଣ ଗିରଫ ହୋଇଥିବା ବେଳେ ଏ‌ହି ମାମଲା‌ରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ଏବେ ୧୦ରେ ପହଞ୍ଚିଥିବା କହିଛନ୍ତି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର।

ରିମାଣ୍ଡ ବେଳେ ହୋଇଥିବା ପଚରାଉଚରାରେ ଏହି ଅଭିଯୁକ୍ତମାନଙ୍କ ସମ୍ବନ୍ଧରେ ସୂଚନା ମିଳିବା ପରେ ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍‌ ଗତକାଲି ଦେଓଗଡ଼ ଯାଇଥିଲା। ବିଳମ୍ବିତ ରାତି‌ରେ ସେମାନଙ୍କ ଘରେ ଚଢ଼ଉ କରି ଗିରଫ କରିଥିଲା। ଏହି ତିନିଜଣ ବାଘ ଛାଲ ପୂର୍ବରୁ ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କୁ ଦେଇଥିଲେ। କେଉଁଠୁ ଆଣିଲେ, ପୂର୍ବରୁ କେତେ ଏଭଳି ବିକ୍ରି କରିଛନ୍ତି କି ନାହିଁ, କାହାକୁ କାହାକୁ ବିକ୍ରି କରିଛନ୍ତି, ଆଉ କେଉଁଠି ବେପାରୀ ଅଛନ୍ତି, ଏ ସବୁ ଉପରେ ଏସ୍‌ଟିଏଫ୍‌ ଅନେକ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ବଡ଼ କଥା ହେଉଛି, ସମସ୍ତ ୧୦ଜଣ ଅଭିଯୁକ୍ତ ଓଡ଼ିଶାର ହୋଇଥିବାରୁ ମୃତ ବାଘ ଓଡ଼ିଶା ଜଙ୍ଗଲର ବୋଲି ଅନୁମାନ କରାଯାଉଛି। ତେବେ ଡିଏଫ୍‌ଓ ଓ ଆରସିସିଏଫ୍‌ଙ୍କଠାରୁ ରିପୋର୍ଟ ତଲବ କରାଯାଇଛି। ରିପୋର୍ଟ ଆସିବା ପରେ ବାଘ ବିଷୟରେ ନିର୍ଦ୍ଦିଷ୍ଟ ତଥ୍ୟ ଦେଇ ହେବ ବୋଲି ପିସିସିଏଫ୍‌ କହିଛନ୍ତି।

ସୂଚନାଯୋଗ୍ୟ, କୁଚିଣ୍ଡା ସ୍ରିଷ୍ଟି ଲଜ୍‌ରୁ କୁଚିଣ୍ଡା ଥାନା ଅଧୀନ ଟାଇଁସର ଗାଁର ସଂଜୟ ବାଗ, ଲଇକେରା ଥାନା ଅଧୀନ ଗୁଲିଗାଁର ସୁନୀଲ କୁମାର କାଲୋ, ସାରପଲ୍ଲୀର ଯଶରାଜ ପଟେଲ, ମୁରାଡ଼ିପାଲ୍ଲୀର ଝସକେତନ ନାୟକ, ସମ୍ବଲପୁର ମହାଲପଲ୍ଲୀ ଥାନା ଅଧୀନ ଗୁଣ୍ଡୁରିପାଲ୍ଲୀର ମୀନକେତନ ମୁଣ୍ଡା, ଲଇକେରା ଥାନା ଅଧୀନ କିରିମିରା ଗାଁର ଧନୁ ମାଝୀ, ମହୁଲପାଲ୍ଲୀ ଥାନା ଅଧୀନ ଝରୁମା ଗାଁର କୁମୁଡ଼ ବାରାଙ୍କଠାରୁ ୪ଟି ବାଘ ଛାଲ ଜବତ ‌ହୋଇଥିଲା। ଏସ୍‌ଟିଏଫ୍ ଏମାନଙ୍କୁ ଗିରଫ କରିବା ସହ ଛାଲ ଜବତ କରିଥିଲା। ବାଘଛାଲ ନମୁନା ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ବାଘର ବୟସ ଓ ଅନ୍ୟାନ୍ୟ ସୂଚନା ମିଳିପାରିବ ବୋଲି କୁହାଯାଉଛି।

By amfnews

Related Post