Sun. Feb 2nd, 2025

ଲଜ୍ଜା:ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ

By amfnews Nov 30, 2018 #Featured
138 Views

ଜଳେଶ୍ବର, ନଭେମ୍ବର ୩୦ : ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଚମାରଗାଁ ଗ୍ରାମରେ ଗତ ୨୫ ତାରିଖ ରାତିରେ ଜଣେ ୧୪ ବର୍ଷର ଦିବ୍ୟାଙ୍ଗ ନାବାଳିକାଙ୍କୁ ଟେକିନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୩ ଦିନ ଧରି ଏହି ମାମଲାକୁ ଚପାଇ ଦେବାକୁ ଏକ ପ୍ରଭାବଶାଳୀ ଗୋଷ୍ଠୀ ଉଦ୍ୟମ କରୁଥିଲେ ବି ଆଜି ନାବାଳିକାଙ୍କ ବାପା ଓ ମା’ ନ୍ୟାୟ ପାଇଁ ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି।

ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖ ରାତିରେ ଚମାରଗାଁ ଗ୍ରାମରେ କରମା ପୂଜା ଯୋଗୁ ନାଚଗୀତର ଆସର ଚାଲିଥିଲା। ଜନ୍ମରୁ ଦିବ୍ୟାଙ୍ଗ ଏହି ନାବାଳିକାଙ୍କ ବାପା ନାଚ ଦେଖିବା ପାଇଁ ସେଠାକୁ ଯାଇଥିବା ବେଳେ ମା’ ହାଣ୍ଡିଆ ପିଇ ନିଶାସକ୍ତ ଭାବେ ଘରେ ଶୋଇଥଲେ। ତେବେ ରାତି ପ୍ରାୟ ୧୨ଟା ସମୟରେ ସେହି ଗ୍ରାମର ସନାତନ ବିନ୍ଧାଣିଙ୍କ ପୁଅ ଶିବା ଓରଫ୍‌ ବାପା(୨୨) ଦିବ୍ୟାଙ୍ଗ ନାବାଳିକା ଶୋଇଥିବା ଘରେ ପଶି ତାଙ୍କ ପାଟିରେ ଜୋର୍‌କରି ଲୁଗା ପୂରେଇ ଦେଇଥିଲା ଏବଂ ନାବାଳିକାକୁ ଘର ବାହାରକୁ ଟେକିନେଇ ଦୁଷ୍କର୍ମ କରିଥିଲା।

ଏହି ଘଟଣାରେ ନାବାଳିକା ତାଙ୍କ ବାପାମା’ଙ୍କୁ ଜଣାଇବା ପରେ ସେମାନେ ଗ୍ରାମ୍ୟ କମିଟି ନିକଟରେ ଫେରାଦ ହୋଇଥିଲେ। ତେବେ ସେଠାରୁ ନ୍ୟାୟ ମିଳି ନ ଥିଲା। ପରନ୍ତୁ ମାମଲାକୁ ରଫାଦଫା କରିଦେବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା। ତେବେ, ଆଜି ନାବାଳିକାଙ୍କୁ ସାଥିରେ ଧରି ତାଙ୍କ ବାପାମା’ ରାଇବଣିଆ ଥାନାର ଦ୍ବାରସ୍ଥ ହୋଇଥିଲେ। ପରେ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ବାପା ବିନ୍ଧାଣି ଫେରାର ହୋଇଯାଇଛି। ଘଟଣାଟି ଜଳେଶ୍ବର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

By amfnews

Related Post