Sat. Mar 7th, 2026

ଲକ୍‌ଡାଉନ୍‌ ବେଳେ କମିଶନରେଟ୍‌ ପୁଲିସ୍‌ ଦେବ ପାସ୍‌

168 Views

ଭୁବନେଶ୍ୱର  :  ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ଯାଏ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୯ଟି ସହରକୁ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରିବାକୁ କୁହାଯାଇଛି। ‘ଲକ୍‌ଡାଉନ୍‌’ ଜିଲ୍ଲା ମଧ୍ୟରେ କଟକ ଓ ଖୋର୍ଦ୍ଧା ସାମିଲ ଥିବା ବେଳେ ଏହି ସମୟରେ କୌଣସି ପ୍ରକାର ଅତି ଜରୁରୀ ପରିସ୍ଥିତିରେ ବାହାରକୁ ଯିବାକୁ ଥିଲେ କମିଶନରେଟ୍ ପୁଲିସ୍‌ ପାସ୍ ଯୋଗାଇ ଦେବା ବ୍ୟବସ୍ଥା କରିଛି।

ଗତକାଲି ‘ଜନତା କର୍ଫ୍ୟୁ’ ଥିଲା। ତେଣୁ ଆଜିଠାରୁ ଲୋକଙ୍କୁ କୌଣସି ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ବସ୍‌ଷ୍ଟାଣ୍ଡ୍, ରେଳ ଷ୍ଟେସନ ଓ ଏୟାରପୋର୍ଟକୁ ଯାଉଥିଲେ ସାଥିରେ ଟିକେଟ୍ ନେଇ ଯିବାକୁ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି। ସେହିଭଳି ସରକାରୀ ବିଜ୍ଞପ୍ତି ଅନୁସାରେ ଖୋଲା ରହିବାକୁ ଥିବା ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନେ ସାଥିରେ ପରିଚୟ ପତ୍ର ରଖି ଯା’ଆସ କରିବାକୁ କୁହାଯାଇଛି। ଏହା ବ୍ୟତୀତ ଅନ୍ୟ ବିଶେଷ ପରିସ୍ଥିତିରେ ବାହାରକୁ ଯିବାର ଥିଲେ ‘୧୦୦’ ନମ୍ବରକୁ ଫୋନ୍ କରି ଲୋକେ ନିଜ ଯାତ୍ରାର କାରଣ ଜଣାଇ ପାରିବେ। ଆଉ ତା’ପରେ ମୋବାଇଲ୍ ମେସେଜ୍ ମାଧ୍ୟମରେ ପାସ୍ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍ କମିଶନର କହିଛନ୍ତି। ବିଭିନ୍ନ ଥାନାର ଆଇଆଇସିମାନେ ମଧ୍ୟ ପାସ୍ ଦେଇ ପାରିବେ। ତେବେ ସରକାରୀ ନିର୍ଦ୍ଦେଶ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ନିହାତି ଜରୁରୀ ନଥିଲେ ଘରୁ ନବାହାରିବାକୁ ସିପି ପରାମର୍ଶ ଦେଇଛନ୍ତି। ତା’ସହିତ ଅତି ଜରୁରୀ ଥିଲେ ଚାଲିକି ଯିବାକୁ ସେ ପରାମର୍ଶ ଦେଇଛନ୍ତି। ପରିବାରରୁ କେବଳ ଜଣେ ଚାଲିକି ଯାଇ ସାମଗ୍ରୀ ଆଣିବାକୁ ଓ ଘରକୁ ଫେରି ହାତ ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲାର ସମସ୍ତ ସହର ଓ ଗାଁକୁ ପ୍ରାୟ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତା’ସହିତ ସମ୍ବଲପୁର, ଝାରସୁଗୁଡ଼ା, ବ୍ରଜରାଜନଗର, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ ସହର ସମେତ ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନ୍ ଲକଡାଉନ୍‌ ହୋଇଛି। ବ୍ରଜରାଜନଗରକୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଲକ୍‌ଡାଉନ୍ ଘୋଷଣା କରିଛି। ସେହିପରି ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳକୁ ଲକ୍‌ହାଉନ୍ ଘୋଷଣା କରିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ।

By amfnews

Related Post