Sat. Mar 7th, 2026

ଲକଡାଉନ୍: ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେଲେ ଯୋଗୀ ସରକାର

210 Views

ଲକ୍ଷ୍ମୌ : ଉତ୍ତର ପ୍ରଦେଶର ଯୋଗୀ ସରକାର ସେମାନଙ୍କୁ ଖୁବଶୀଘ୍ର ରୋଜଗାର ଯୋଗାଇ ଦେବେ ବୋଲି କହିଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି ଶାସନ ସଚିବ ମନୋଜ ସିଂହ କହିଛନ୍ତି।

ପ୍ରବାସୀ ଶ୍ରମିକମାନେ ଯେଉଁ ସ୍ଥାନରେ ଥିବେ ସେହି ସ୍ଥାନରେ ମନରୋଗା ଅଧିନରେ ଆସୁଥିବା କାମ କରିବେ। ଖୁବଶୀଘ୍ର ସ୍ଥାନୀୟ ଗ୍ରାମ ପଞ୍ଚାୟତ, ବ୍ଲକ ଅଫିସ ଆଦିରୁ ପ୍ରବାସୀ ଶ୍ରମିକଙ୍କୁ ଜବ୍ କାର୍ଡ ଯୋଗାଇ ଦିଆଯିବ ବୋଲି ଶାସନ ସଚିବ କହିଛନ୍ତି। କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଏପ୍ରିଲ ୨୦ରୁ ମନରେଗା ଅଧିନରେ କାମ ଆରମ୍ଭ ହୋଇପାରିବ। ନିକଟରେ କେନ୍ଦ୍ର ସରକାର ଉତ୍ତର ପ୍ରଦେଶରେ ମନରେଗା ଅଧିନରେ କାମ କରୁଥିବା ଶ୍ରମିକଙ୍କ ମଜୁରୀ ୧୮୨ରୁ ୨୦୧ ଟଙ୍କା କରିଛନ୍ତି।

ତେବେ ମନରେଗା କାମ ସମୟରେ ସାମାଜିକ ଦୂରତ୍ୱ ଏବଂ କରୋନା ପ୍ରୋଟୋକଲ ନିୟମ ବଳବତ୍ତର ରହିବ ବୋଲି ଶାସନ ସଚିବ ମନୋଜ ସିହ୍ନା କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ମୁଖ୍ୟ ମନ୍ତ୍ରୀ ଆବାସ ଯୋଜନା ଏବଂ ଶୌଚାଳୟ ନିର୍ମାଣ ଭଳି ପ୍ରକଳ୍ପକୁ ଅଗ୍ରାଧିକାର ଦିଆଯିବ ବୋଲି ଶାସନ ସଚିବ କହିଛନ୍ତି।

ଲକଡାଉନ୍ ଅବଧି ମେ ୩ ଯାଏ ବଢ଼ିବା ପରେ ଅନେକ ପ୍ରବାସୀ ଶ୍ରମିକ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। କଳକାରଖାନା, ଶିଳ୍ପ ସଂସ୍ଥା ଆଦି ଅଧିକାଂଶ ବନ୍ଦ ରହିଥିବାରୁ ବାହାର ରାଜ୍ୟର ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସବୁ ଦିଗକୁ ଦେଖି ଯୋଗୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ମନରେଗା ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୭,୩୦୦କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥ ଗତ ଆର୍ଥିକ ବର୍ଷର ବକେୟା ପାଉଣା ଓ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ପନ୍ଦର ଦିନର ବକେୟା ପାଉଣା।

By amfnews

Related Post