Sat. Mar 7th, 2026

ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

191 Views

କାଶୀପୁର : ଗାଁକୁ ପକ୍କା ରାସ୍ତା ନାହିଁ। ତେଣୁ ଯାଇପାରିଲାନି ଆମ୍ବୁଲାନ୍ସ। ଯାହାଫଳରେ ଆଜି ପୁଣି ଜଣେ ଗର୍ଭବତୀ ଭାରରେ ବୁହା ହୋଇଛନ୍ତି। ଅନ୍ୟପଟେ ଗର୍ଭବତୀଙ୍କୁ ବୋହିବା ପାଇଁ ପୁରୁଷ ନମିଳିବାରୁ ଆମ୍ବୁଲାନ୍ସ କର୍ମଚାରୀ ବୋହିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ଘଟିଛି। ଏହାପରେ ବିକାଶ ଏବଂ ବାସ୍ତବତା ମଧ୍ୟରେ ଦୂରତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଅଡ଼ାଜୋର ପଞ୍ଚାୟତ ଅନ୍ତର୍ଗତ ଦଳଗୁମ୍ମା ଗ୍ରାମର ବିକ୍ରମ ମାଝିଙ୍କ ପତ୍ନୀ ହାମଦେଈ ମାଝି ଶୁକ୍ରବାର ଅପରାହ୍ନରେ ପ୍ରସବ ଜନିତ ବେଦନା ଅନୁଭବ କରିଥିଲେ। ସମୟକ୍ରମେ ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ ମଧ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବାହାରିଥିଲା। କିନ୍ତୁ ଗାଁ ପର୍ଯ୍ୟନ୍ତ ଯାଇପାରି ନଥିଲା। ଆମ୍ବୁଲାନ୍ସ ରାୟେଲପଟା ଗ୍ରାମ ନିକଟସ୍ଥ ପ୍ରଧାନମନ୍ତ୍ରୀ ସଡ଼କ‌ରେ ପହଞ୍ଚିବା ପରେ ଆଗକୁ ରାସ୍ତା ଅବସ୍ଥା ଖରାପ ଥିବାରୁ ଯାଇ ହେବ ନାହିଁ ବୋଲି ଗର୍ଭବତୀଙ୍କ ପରିବାରକୁ ସୂଚନା ଦେଇଥିଲେ ଆମ୍ବୁଲାନ୍ସ କର୍ମଚାରୀ। ଏମିତି ସ୍ଥିତିରେ ଗର୍ଭବତୀଙ୍କୁ କେମିତି ସ୍ବାସ୍ଥ୍ୟକେନ୍ଦ୍ରକୁ ନେବେ ସେହି ଚିନ୍ତାରେ ପରିବାର ଲୋକ ପଡ଼ିଥିଲେ।

ଶୁକ୍ରବାର ଦିନ ଜାଗର ଯୋଗୁଁ ଅଧିକାଂଶ ପୁରୁଷ ଗାଁ ବାହାରକୁ ଚାଲି ଯାଇଥିଲେ। ଏମିତି ପରିସ୍ଥିତି ସଂପର୍କରେ ଆମ୍ବୁଲାନ୍ସ କର୍ମଚାରୀ ଜାଣିବା ପରେ ଆମ୍ବୁଲାନ୍ସରୁ ଷ୍ଟ୍ରେଚର ବାହାର କରି ଗାଁକୁ ଯାଇଥିଲେ। ଗର୍ଭବତୀଙ୍କୁ ସେଥିରେ ଶୁଆଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଥିଲେ। ଏଥିପାଇଁ ଅନେକ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା। ନାଳ‌ ପାର ହେବାକୁ ପଡ଼ିଥିବା ବେଳେ ପଥୁରିଆ ରାସ୍ତାରେ ବାରମ୍ବାର ଗୋଡ଼ ଖସିଥିଲା। ପରିବାର ସଦସ୍ୟ, ଗାଁର କିଛି ମହିଳାଙ୍କ ସହ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ନଳିନୀ ବିଡ଼ିକା, ଡ୍ରାଇଭ ଧବଳେଶ୍ବର ପୂଜାରୀ ଓ ହେଲ୍‌ପର ସୀମାଞ୍ଚଳ ପ୍ରମୁଖ ଗର୍ଭବତୀଙ୍କୁ ବୋହିଥିଲେ। ଦୁଇ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ସେଠାରୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସୌଭାଗ୍ୟବଶତଃ ଗର୍ଭବତୀ ଜଣକ ବିଳମ୍ବ ହେବା ପୂର୍ବରୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଯାଇଥିଲେ। ଯାହାଫଳରେ ଗର୍ଭସ୍ଥ ଶିଶୁ ସହ ଗର୍ଭବତୀ ସୁସ୍ଥ ଥିବା ସୂଚନା ମିଳିଛି।

By amfnews

Related Post