ମହିଳାମାନଙ୍କୁ ସମାଜରେ ସେମାନଙ୍କର ଉଚିତ ସ୍ଥାନ ଓ ମର୍ଯ୍ୟାଦା ଦେବାପାଇଁ ବିଭିନ୍ନ ରାଜନୈତିକ ଦଳ ଏବେ ନିର୍ବାଚନ ମଇଦାନରେ ଅଧିକରୁ ଅଧିକ ମହିଳାଙ୍କୁ ଦଳୀୟ ଟିକେଟ ଦେବା ପାଇଁ ଉଦ୍ୟମ ଚଳାଇଛନ୍ତି । ମାତ୍ର ଦେଶ ସ୍ୱାଧୀନ ହେବା ପୂର୍ବରୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ବିଧାନସଭା ନିର୍ବାଚନରେ ମହିଳାମାନେ ଯେ କେବଳ ନିର୍ବାଚିତ ହୋଇ ଆସିଥିଲେ ସେତିକି ନୁହଁ, ୧୯୪୬ ମସିହାରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦ ମଣ୍ଡନ କରିଥିଲେ ଜଣେ ମହିଳା- ଶ୍ରୀମତୀ ଏ. ଲକ୍ଷ୍ମୀବାଈ।
ଶ୍ରୀମତୀ ଏ. ଲକ୍ଷ୍ମୀବାଈଙ୍କ ବିଷୟରେ ସବୁଠାରୁ କୌତୂହଳପୂର୍ଣ୍ଣ କଥା ହେଉଛି ଯେ, ସେ ଭାରତର ପୂର୍ବତନ ରାଷ୍ଟ୍ରପତି ଭି.ଭି. ଗିରିଙ୍କର ସାନଭଉଣୀ। ୧୨ ଅକ୍ଟୋବର,୧୮୯୯ରେ ଜନ୍ମ ନେଇଥିବା ଲକ୍ଷ୍ମୀ ବ୍ରହ୍ମପୁରର ତେଲଗୁଭାଷୀ ଓକିଲ ଭି.ଭି. ଯୋଗାୟାପାନ୍ତୁଲୁଙ୍କ କନ୍ୟା। ସେ ବଡ଼ଭାଇ ଭି.ଭି. ଗରିଙ୍କଠାରୁ ମାତ୍ର ୫ ବର୍ଷ ସାନ। ବ୍ରହ୍ମପୁରରୁ ସ୍କୁଲ ଶିକ୍ଷା ଶେଷ କରି ସେ କଲେଜ୍ ପାଠ ପଢ଼ିଥିଲେ କଲିକତାରେ। ପରେ ଡାକ୍ତରୀପାଠ ପଢ଼ିବା ପାଇଁ ଭେଲୋର ମେଡ଼ିକାଲ କଲେଜ୍ରେ ନାମ ଲେଖାଇଥିଲେ ମଧ୍ୟ ଅସୁସ୍ଥତା କାରଣରୁ ସେ ପଢ଼ା ଶେଷ କରିପାରିନଥିଲେ। ରାଜମହେନ୍ଦ୍ରୀର ଆଦୃତି ଭେଙ୍କଟେଶ୍ୱର ରାଓଙ୍କୁ ବିବାହ କରିଥିବା ଲକ୍ଷ୍ମୀ ବିବାହର ବର୍ଷେ ନପୁରୁଣୁ ବିଧବା ହୋଇଯାଇଥିଲେ ଏବଂ ଫେରିଆସିଥିଲେ ବ୍ରହ୍ମପୁରକୁ।
ସେତେବେଳେ ଓଡ଼ିଶା ବିଧାନସଭାର ମୋଟ ଆସନ ସଂଖ୍ୟା ଥିଲା ୬୦। ସେଥିମଧ୍ୟରୁ ୪ଟି ଆସନ ଥିଲା ମନୋନୀତ ଆସନ। ବାକି ୫୬ଟି ଆସନ ମଧ୍ୟରୁ ୨ଟି ଆସନ (ବ୍ରହ୍ମପୁର ସହର ଓ କଟକ ସହର) ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ୧୯୩୭ରେ କଟକ ସହର ଆସନରୁ ସରଳା ଦେବୀ ନିର୍ବାଚିତା ହୋଇଥିଲାବେଳେ ବ୍ରହ୍ମପୁରରୁ ଜିତିଥିଲେ ଏ. ଲକ୍ଷ୍ମୀବାଈ।
ସ୍ୱାଧୀନତା ପୂର୍ବରୁ ଓଡ଼ିଶା ବିଧାନସଭା ପାଇଁ ୧୯୪୬ ମସିହାରେ ଦ୍ଵିତୀୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥର ମଧ୍ୟ କଂଗ୍ରେସ ଦଳ ଟିକେଟରେ ଏ. ଲକ୍ଷ୍ମୀବାଈ ପୁଣିଥରେ ବ୍ରହ୍ମପୁର ଆସନରୁ ନିର୍ବାଚିତ ହେଲେ ଏବଂ ବିଧାନସଭାର ଉପବାଚସ୍ପତି ପଦ ମଣ୍ଡନ କଲେ। ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦ ମଣ୍ଡନ କରିବାରେ ସେ ଥିଲେ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା। ସେ ୨୯ ମେ, ୧୯୪୬ଠାରୁ ୨୦ ଫେବ୍ରୁଆରି ୧୯୫୨ ପର୍ଯ୍ୟନ୍ତ ଏହି ପଦବୀରେ ଥିଲେ। ସର୍ବଭାରତୀୟ ସ୍ତରରେ ତାଙ୍କର ବଡ଼ଭାଇ ଭି.ଭି. ଗିରି ବହୁ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇ ୧୯୬୯ ମସିହାରେ ଭାରତର ରାଷ୍ଟ୍ରପତି ପଦ ମଣ୍ଡନ କରିଛନ୍ତି। ୧୯୩୭ ଓ ୧୯୪୬ରେ ସେ ତତ୍କାଳୀନ ମାଡ୍ରାସ ବିଧାନସଭାକୁ ନିର୍ବାଚିତ ହୋଇ ଚକ୍ରବର୍ତ୍ତୀ ରାଜଗୋପାଲାଚାରୀ ଓ ଟି. ପ୍ରକାଶମ୍ଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରିପଦ ପାଇଛନ୍ତି। ତେବେ ତାଙ୍କର ଆଦରର ସାନଭଉଣୀ ଲକ୍ଷ୍ମୀ ତତ୍କାଳୀନ ରକ୍ଷଣଶୀଳ ସମାଜର ସମସ୍ତ କଟକଣା ସତ୍ତ୍ବେ ଓଡ଼ିଶା ବିଧାନସଭାର ପ୍ରଥମ ଓ ଏକମାତ୍ର ମହିଳା ଉପବାଚସ୍ପତି ହେବାର ଗୌରବ ଅର୍ଜନ କରିପାରିଥିଲେ, ତାହା ହିଁ ତାଙ୍କ ବ୍ୟକ୍ତିତ୍ଵର ଶ୍ରେଷ୍ଠ ପରିଚୟ।