ନୂଆଦିଲ୍ଲୀ, ନଭେମ୍ବର ୦୫ : କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ରବିବାର କହିଛନ୍ତି, ବିଶ୍ୱରେ ହିନ୍ଦୁମାନେ ସର୍ବାଧିକ ସହିଷ୍ଣୁ କିନ୍ତୁ ଅଯୋଧ୍ୟାରେ ରାମ ମନ୍ଦିର ପରିସରରେ ମସଜିଦ ନିର୍ମାଣ କରାଗଲେ ସେମାନେ ଅସହିଷ୍ଣୁ ହୋଇ ଯାଇପାରନ୍ତି । ଉମା ଭାରତୀ ଏଥି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସହିତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବାକୁ ନିମନ୍ତ୍ରଣ କରିଛନ୍ତି ଏବଂ କହିଛନ୍ତି ସେ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ପାର୍ଟିର ପାପକୁ ପ୍ରାୟଶ୍ଚିତ କରନ୍ତୁ ।
ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଉମା ଭାରତୀ କହିଛନ୍ତି, ହିନ୍ଦୁ ବିଶ୍ୱରେ ସବୁଠାର ସହିଷ୍ଣୁ । ମୁଁ ସମସ୍ତ ରାଜନୈତିକ ଦଳକୁ ଅପିଲ କରୁଛି ଯେ, ଦୟାକରି ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମସ୍ଥାନ ବାହାରେ ଏକ ମସଜିଦ ନିର୍ମାଣ କରି ହିନ୍ଦୁମାନଙ୍କୁ ଅସହିଷ୍ଣୁ ନକରନ୍ତୁ । ସେ କହିଛନ୍ତି ପବିତ୍ର ମଦିନା ନଗରରେ ଗୋଟିଏ ବି ମନ୍ଦିର ନାହିଁ କି ସେହିଭଳିଭାଟିକାନ ସିଟିରେ ଗୋଟିଏ ବି ମସଜିଦ ନାହିଁ । ତା’ହେଲେ ଅଯୋଧ୍ୟାରେ ମସଜିତ ପ୍ରସଙ୍ଗ ଉଠାଇବା ଉଚିତ ହେବ ନାହିଁ ।
ଭାରତୀ ଅଯୋଧ୍ୟା ବିବାଦକୁ ଆସ୍ଥା ନୁହେଁ ପରନ୍ତୁ ଜମି ବିବାଦ କହିଛନ୍ତି । ସେ କହିଛନ୍ତି, ଏବେ ଏଠାରେ ଜମି ବିବାଦ ଏକ ମାମଲା ପାଲଟିଛି, ଆସ୍ଥା ନୁହେଁ । ଏହା ସ୍ପଷ୍ଟ ଭାବରେ କୁହାଯାଇ ପାରିବ ଯେ, ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମସ୍ଥଳ । ସେ ଏହି ପ୍ରସଙ୍ଗକୁ ଅଦାଲତ ବାହାରେ ସମାଧାନ କରାଯିବା ଦରକାର ବୋଲି କହିଛନ୍ତି । ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ବହୁଜନସମାଜ ପାର୍ଟି ପ୍ରମୁଖ ମାୟାବତୀ ଓ ତୃମୂଳ କଂଗ୍ରେସ ସୁପ୍ରିମେ ମମତା ବାନାର୍ଜୀ ସମସ୍ତେ ଏହାକୁ ସମର୍ଥନ କରନ୍ତୁ ବୋଲି ଅପିଲ କରିଛନ୍ତି ।
ବରିଷ୍ଠ ବିଜେପି ନେତ୍ରୀ କହିଛନ୍ତି, ଆମକୁ ଏହି ପ୍ରସଙ୍ଗରେ ରାଜନୈତିକ ସମର୍ଥନ ଆବଶ୍ୟକ ଅଛି । ମୁଁ ରାହୁଲ ଗାନ୍ଧୀ ସମେତ ସମସ୍ତ ନେତାକୁ ଆମନ୍ତ୍ରଣ କରୁଛି ଯେ, ମୋ ସାଥୀରେ ରାମମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ । ସେ କହିଛନ୍ତି ଏହା କରି ଗାନ୍ଧୀ ପରିବାର ପୂର୍ବ ପାପକୁ ପ୍ରାୟଶ୍ଚିତ କରୁ ।