Sat. Dec 28th, 2024

ରାମ ନବମୀରେ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

By amfnews Apr 21, 2021 #Featured
151 Views

ଭୁବନେଶ୍ୱର,ଏପ୍ରିଲ 21: ଆଜି ପବିତ୍ର ଚୈତ୍ର ଶୁକ୍ଳ ପକ୍ଷ ନବମୀ ତିଥି । ଆଜି ଶ୍ରୀରାମ ନବମୀ । ଭାରତବର୍ଷରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜୟନ୍ତୀ ପାଳନ କରାଯାଉଛି । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପରମ୍ପରା ରିତିନୀତିରେ ରାମଜନ୍ମ ନୀତି ସମ୍ପାଦିତ ହୋଇଥାଏ । ଏହା ମହାପ୍ରଭୁଙ୍କର ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିଥାଏ । ଏଣୁ ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟାହ୍ନ ଧୂପ ପରେ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଏଥିପାଇଁ ପ୍ରାୟ ଅପରାହ୍ନ 4ଟା ଠାରୁ ରାତି 8ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ।

ଅଷ୍ଟମୀ ଦିନ ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ନିକଟରେ ଜେଉଠ ଭୋଗ ଲାଗି କରାଯାଏ । ନବମୀ ଦିନ ମଧ୍ୟାହ୍ନ ଧୂପ ପରେ ରାମଙ୍କର ପ୍ରତିମାଙ୍କୁ ରତ୍ନସିଂହାସନକୁ ବିଜେ କରାଯାଇଥାଏ। ସେଠାରେ ପୂଜାପଣ୍ଡା ସେବାୟତ ଶ୍ରୀଜଗନ୍ନାଥଙ୍କ ବାଡରୁ ଆଜ୍ଞାମାଳ ଶ୍ରୀରାମଙ୍କୁ ପ୍ରଦାନ କରିଥାନ୍ତି । ତାପରେ ଶ୍ରୀରାମଙ୍କ ପ୍ରତିମାକୁ ଭିତରକାଠ ନିକଟ ରାଘବ ମଣ୍ଡପକୁ ବିଜେ କରାଇଥାନ୍ତି । ଦୁଇଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ଭୂମିକାରେ ଅବତୀର୍ଣ୍ଣ ହୋଇ ପାଟ ଖଣ୍ଡୁଆ ଘୋଡାଇ ହୋଇ ରାମଜନ୍ମ ନୀତି ପାଳନ କରିଥାନ୍ତି ।

ରାମନବମୀ ଠାରୁ ସାହିଯାତ୍ରା ଆରମ୍ଭ ହୋଇ ରାମ ଅଭିଷେକରେ ଶେଷ ହୋଇଥାଏ । ଯାଗା ଆଖଡା ସଂସ୍କୃତି ଏବଂ ଶ୍ରୀମନ୍ଦିର ରିତିନିତିକୁ ନେଇ ଏହି ସାହିଯାତ୍ରା ଅନୁଷ୍ଠିତ ହୋଇଥାଏ । ସେଥିପାଇଁ ପୁରୀର ସମସ୍ତ ସାହି କାଳିକାଦେବୀ ସାହି,ମାଟିମଣ୍ଡପ ସାହି,ହରଚଣ୍ଡି ସାହି,ମାର୍କଣ୍ଡେଶ୍ୱର ସାହି, ଦୋଳମଣ୍ଡପ ସାହି,ବାଲିସାହିର ସମରକଳା, ଲୋକନୃତ୍ୟ, ଲୋକକଳା ଆଦି ପ୍ରଦର୍ଶନ କରାଯାଇଥାଏ । ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ କରାଯିବ ।

By amfnews

Related Post