Sun. Mar 8th, 2026

ରାଫେଲ ଚୁକ୍ତିରୁ ଦୁର୍ନୀତି ବିରୋଧୀ ନିୟମକୁ ବାଦ୍‌ ଦେଇଥିଲେ ମୋଦି ସରକାର: ରିପୋର୍ଟ

French president Francois Hollande (R) toasts with Indian prime minister Narendra Modi (L) during an official dinner at the Elysee Palace in Paris, France, 10 April 2015. REUTERS/Yoan Valat/Pool - RTR4WUXJ
293 Views

ନୂଆଦିଲ୍ଲୀ: ରାଫେଲ ଚୁକ୍ତି ସଂପାଦନ କାଳରେ ମୋଦି ସରକାର କରିଥିବା ଆଉ ଏକ ସଙ୍ଗୀନ୍‌ ତ୍ରୁଟି ଆଜି ସାମନାକୁ ଆସିଛି। ଫ୍ରାନ୍ସ ସହ ରାଫେଲ ପାଇଁ ଚୁକ୍ତି ସ୍ୱାକ୍ଷର କରିବା ସମୟରେ ନରେନ୍ଦ୍ର ମୋଦିଙ୍କ ସରକାର ‘ଷ୍ଟାଣ୍ଡାର୍ଡ ଅପରେସନ୍‌ ପ୍ରୋସିଡିୟର’କୁ ସଂପୂର୍ଣ୍ଣ ରୂପେ ନଜରନ୍ଦାଜ କରି ଦେଇଥିଲେ, ଯାହାକୁ କି ପୂର୍ବ ଉପା ସରକାର ୨୦୧୩ରେ ପ୍ରଣୟନ କରିଥିଲେ।

ମୋଦି ସରକାର ଫ୍ରାନ୍ସ ସହ ରାଫେଲ ପାଇଁ ଚୁକ୍ତି ସ୍ୱାକ୍ଷର କରିବା କାଳରେ ‘ଷ୍ଟାଣ୍ଡାର୍ଡ ଅପରେସନ୍‌ ପ୍ରୋସିଡିୟର’କୁ ଅଣଦେଖା କରି ଚୁକ୍ତିରୁ ଜାଣିଶୁଣି ଦୁର୍ନୀତି ବିରୋଧୀ ନିୟମକୁ ବାଦ୍‌ ଦେଇଥିଲେ। ଏବଂ ଦୁର୍ନୀତି ବିରୋଧୀ ଜରିମାନାକୁ ଚୁକ୍ତିରୁ ବାଦ୍‌ ଦେବା ସହ ଚୁକ୍ତି ସ୍ୱାକ୍ଷରିତ ହେବା ପୂର୍ବରୁ ଏକ ‘ଏସ୍‌କ୍ରୋ ଆକାଉଣ୍ଟ’ରୁ ଦେୟ ପୈଠ କରିଥିଲେ। ଏ ସଂପର୍କିତ ସବିଶେଷ ରିପୋର୍ଟ ଆଜି ଦେଶର ଅନ୍ୟତମ ପ୍ରତିଷ୍ଠିତ ସମ୍ବାଦପତ୍ର ‘ଦି ହିନ୍ଦୁ’ରେ ପ୍ରକାଶ ପାଇବା ପରେ, ଏହାକୁ କେନ୍ଦ୍ର କରି ବିତର୍କ ସୃଷ୍ଟି ହୋଇଛି।

ପୂର୍ବରୁ ଗତ ଶୁକ୍ରବାର ‘ଦି ହିନ୍ଦୁ’ ସମସ୍ତ ତଥ୍ୟ ପ୍ରମାଣ ସହ ପ୍ରତିରକ୍ଷା ମନ୍ତ୍ରାଳୟ (ଏମ୍‌ଓଡି)କୁ ରାଫେଲ ଚୁକ୍ତି ଓ ମୂଲଚାଲରୁ ଦୂରେଇ ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ନିଜେ ଫ୍ରାନ୍ସ ସହ ସମାନ୍ତରାଳ ମୂଲଚାଲ ଚଳାଇଥିଲା ତାହାର ସବିଶେଷ ରିପୋର୍ଟ ପ୍ରକାଶ କରିଥିଲେ। ‘ଦି ହିନ୍ଦୁ’ରେ ପ୍ରକାଶିତ ପ୍ରଥମ ରିପୋର୍ଟର ତାତି ଥମି ନଥିଲା ବେଳେ, ଆଜି ପୁଣି ଥରେ ‘ଦି ହିନ୍ଦୁ’ ଏହି ରିପୋର୍ଟ ପ୍ରକାଶ କରି ମୋଦି ସରକାରକୁ କାଠଗଡ଼ା ମଧ୍ୟକୁ ଟାଣି ଆଣିଛି।

By amfnews

Related Post