Sun. Mar 8th, 2026

ରାତିରେ ମହିଳାଙ୍କୁ ମାଗଣାରେ ପୁଲିସ ଗାଡ଼ିରେ ଘରେ ପହଞ୍ଚାଇବାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

164 Views

ଚଣ୍ଡିଗଡ଼: ରାତି ୯ଟାରୁ ସକାଳ ୬ଟା ସମୟ ମଧ୍ୟରେ ବାହାରେ ରହିଯାଇଥିବା ମହିଳାଙ୍କୁ ପୁଲିସ ସହାୟତାରେ ଗାଡ଼ି ଯୋଗେ ମାଗଣାରେ ଘରେ ପହଞ୍ଚାଇ ଦିଆ ଯିବ ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି।

ଅପହରଣ କରିନିଆଯାଇ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇ ପୋଡ଼ି ଦିଆଯାଇଥିବା ତେଲେଙ୍ଗାନା ପଶୁଡାକ୍ତରାଣୀଙ୍କ କଥା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏହି ନିର୍ଦେଶ ଦେଇଛନ୍ତି।

ସମଗ୍ର ରାଜ୍ୟରେ ମିଳିବାକୁ ଥିବା ଏହି ସୁବିଧା ନମ୍ବର ୧୦୦, ୧୧୨ ଏବଂ ୧୮୧ରେ ଉପଲବ୍ଧ ହେବ। ଏହି ନମ୍ବର ଜରିଆରେ ଫୋନ୍‌ କରୁଥିବା ମହିଳାଜଣଙ୍କୁ ତୁରନ୍ତ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ ସହ ଯୋଗାଯୋଗ କରାଇଦିଆଯିବ। ସମଗ୍ର ରାଜ୍ୟରେ ଏହି ସୁବିଧା ପ୍ରଚଳନ କରାଇବାକୁ ମୁଖ୍ୟମନ୍ତ୍ରୀ ପୁଲିସ ମହାନିର୍ଦେଶକ ଦିନକର ଗୁପ୍ତଙ୍କୁ ନିର୍ଦେଶ ଦେଇଛନ୍ତି।

ଟ୍ୟାକ୍ସି ଏବଂ ତିନିଚକିଆ ଯାନ ପରି ନିରାପଦ ଯାନ ପାଉ ନ ଥିବା ମହିଳାମାନଙ୍କ ନିମନ୍ତେ ଏହି ସୁବିଧା ଯୋଗାଇ ଦିଆଯିବ।
ପୁଲିସ ଗାଡ଼ିରେ ଯାତ୍ରା କରିବା ସମୟରେ ଫୋନ୍‌ କରିଥିବା ମହିଳାଙ୍କୁ ସମ୍ପୂର୍ଣ୍ଣ ନିରାପତ୍ତା ଦେବା ନିମନ୍ତେ ଅନ୍ୟୂନ ଜଣେ ମହିଳା ପୁଲିସ ଅଧିକାରୀ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

କେବଳ ଏହି କାମ ପାଇଁ କମିସନ୍‌ରେଟ୍‌ସ୍‌, ମୋହାଲି, ପାଟିଆଲା ଏବଂ ବଥିଣ୍ଡା ଓ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ସ୍ୱତନ୍ତ୍ର ପିସିଆର୍‌ ଗାଡ଼ି ରହିବ ବୋଲି ଡିଜିପି ଗୁପ୍ତ କହିଛନ୍ତି।

By amfnews

Related Post