Sat. Nov 23rd, 2024

ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅର୍ଦ୍ଧାଧିକ ପଦ ଖାଲି

By amfnews Nov 22, 2019 #Featured
116 Views

ଭୁବନେଶ୍ୱର : ରାଜ୍ୟରେ ଥିବା ୧୦ଟି ବିଶ୍ୱବିଦ୍ୟାଳୟ ଯଥା-ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ରେଭେନ୍ସା, ଖଲ୍ଲିକୋଟ, ରମା ଦେବୀ, ଉତ୍ତର ଓଡ଼ିଶା, ଗଙ୍ଗାଧର ମେହେର, ଫକୀର ମୋହନ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ଆଦି ୧୦ଟି ସରକାରୀ ବିଶ୍ୱବିଦ୍ୟାଳୟରେ ମୋଟ ୧୪୨୪ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦ ମଧ୍ୟରୁ ୭୩୭ଟି; ଆର୍ଥାତ୍‌ ଅର୍ଦ୍ଧାଧିକ (୫୧.୭%) ପଦ ଖାଲିପଡ଼ିଛି।

ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବିଧାନସଭାରେ ଦେଇଥିବା ପରିସଂଖ୍ୟାନ ଅନୁଯାୟୀ ରାଜ୍ୟର ସର୍ବ ପୂରାତନ ଉଚ୍ଚ ଶିକ୍ଷା ଅନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨୯ଟି ପ୍ରଫେସର ପଦ ମଧ୍ୟରୁ ୨୪ଟି, ୭୧ଟି ଆସୋସିଏଟ୍‌ ପ୍ରଫେସର ପଦରୁ ୪୮ଟି ଓ ୧୭୬ ଆସିଷ୍ଟାଣ୍ଟ ପ୍ରଫେସର ମଧ୍ୟରୁ ୧୦୭ଟି ଖାଲିପଡ଼ିଛି। ଅର୍ଥାତ ଉପରୋକ୍ତ ୩ଟି ବର୍ଗରେ ୨୬୭ଟି ମଞ୍ଜୁରୀପ୍ରାପ୍ତ ପଦ ମଧ୍ୟରୁ ୧୭୯ଟି (୬୭%ରୁ ଅଧିକ) ଖାଲିପଡ଼ିଛି। ଏହା ପଛକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମୋଟ ୧୪୪ଟି ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦ ମଧ୍ୟରୁ ୧୨୮ଟି ଅର୍ଥାତ ୮୮.୮% ପଦ ଖାଲିପଡ଼ିଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଉପରୋକ୍ତ ୩ଟି ବର୍ଗର ମୋଟ ୨୫୭ଟି ମଞ୍ଜୁରୀପ୍ରାପ୍ତ ପଦରୁ ୧୧୯ଟି ଅର୍ଥାତ ୪୬% ପଦ ଖାଲିପଡ଼ିଛି। ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ‘ରମାଦେବୀ’ରେ ଉପରୋକ୍ତ ୩ ବର୍ଗର ମୋଟ ୧୩୮ଟି ମଞ୍ଜୁରୀପ୍ରାପ୍ତ ପଦ ମଧ୍ୟରୁ ୧୦୫ଟି ଅର୍ଥାତ ୭୬% ପଦ ଖାଲି ପଡ଼ିଛି। ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏହି ୩ ବର୍ଗର ମୋଟ ୧୫୩ ପଦ ମଧ୍ୟରୁ ୭୨ଟି-ଅର୍ଥାତ ୪୭% ଖାଲି ପଡ଼ିଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୧୫୩ ପଦରୁ ୫୨ଟି, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୪୨ରୁ ୧୨ଟି, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ୧୧୫ରୁ ୭୪ଟି ଖାଲିପଡ଼ିଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଉପରୋକ୍ତ ୩ ବର୍ଗର ମୋଟ ୧୧୭ରୁ ୭୨ଟି; ଅର୍ଥାତ ୬୧% ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୩୮ଟି ପଦରୁ ୨୪ଟି (୬୩%) ପଦ ଖାଲିପଡ଼ିଛି।

ଶ୍ରୀ ପଟ୍ଟନାୟକଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡ଼ି/ଏମ୍‌ ଫିଲ୍‌ କରୁଥିବା ୧୧୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୫ ଜଣ ସନ୍ଦର୍ଭ ଦାଖଲ କରିଥିବା ବେଳେ ଆଉ ୨୧ ଜଣଙ୍କୁ ଏଥିପାଇଁ ଅନୁମତି ଦିଆଯାଇଛି। ଏବେ ସେଠାରେ ମାତ୍ର ୫୭ ଜଣ ଛାତ୍ରଛାତ୍ରୀଙ୍କୁ ଗବେଷଣା ଲାଗି ପଞ୍ଜୀକୃତ କରାଯିବାର ଅସଲ କାରଣ ସମ୍ପର୍କରେ ମନ୍ତ୍ରୀ କିଛି ଉଲ୍ଲେଖ କରି ନାହାନ୍ତି। ବାସ୍ତବରେ ଗାଇଡ୍‌ ଅଭାବରୁ ବିଗତ ବର୍ଷଗୁଡ଼ିକ ତୁଳନାରେ ପିଏଚ୍‌ଡ଼ି, ଏମ୍‌ ଫିଲ୍‌ ପଞ୍ଜୀକରଣ ହ୍ରାସ ପାଉଥିବା ଜଣାପଡ଼ିଛି।

By amfnews

Related Post