Fri. Mar 6th, 2026

ରାଜ୍ୟର ୯ଟି ବୁଥ୍‌ରେ ସକାଳ ୭ଟାରୁ ଚାଲିଛି ସାନି ମତଦାନ

319 Views

ଭୁବନେଶ୍ୱର: ଗୁରୁବାର ସକାଳ ୭ଟାରୁ ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ। ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ବନ୍ଦ କରାଯାଇଥିବା ଏହି ବୁଥ୍‌ଗୁଡ଼ିକରେ ସାନି ମତଦାନ କରାଯିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ପୂର୍ବରୁ ସୂଚନା ଦେଇଥିଲେ। ଏଥିପାଇଁ ସିଇଓ ସୁରେନ୍ଦ୍ର କୁମାର ସେ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଥିଲେ।

ସାନି ମତଦାନ ଚାଲିଥିବା ବୁଥ୍‌ଗୁଡ଼ିକ ମଧ୍ୟରେ ରହିଛି ସୁନ୍ଦରଗଡ଼ର ୨ଟି, କନ୍ଧମାଳର ୨ଟି, ବରଗଡ଼ର ୪ଟି ଏବଂ ଆସ୍କାର ଗୋଟିଏ। ସୁନ୍ଦରଗଡ଼ ଅନ୍ତର୍ଗତ ବଣାଇର ୧୨୯ ନମ୍ବର ବୁଥ୍‌, ସୁନ୍ଦରଗଡ଼ର ୨୧୩ ନମ୍ବର ବୁଥ୍‌, କନ୍ଧମାଳ ଅନ୍ତର୍ଗତ ଦଶପଲ୍ଲାର ୨୧୦ ଓ ୨୨୨ ନମ୍ବର ବୁଥ୍‌, ବରଗଡ଼ ଅନ୍ତର୍ଗତ ଅତାବିରାର ୨୩୫ ନମ୍ବର ବୁଥ୍‌ ଏବଂ ଆସ୍କାର ସୋରଡ଼ାର ୧୮୨ ନମ୍ବର ବୁଥ୍‌ରେ ସାନି ମତଦାନ ଚାଲିଛି।

ଏଥିରୁ କେତେକ ବୁଥ୍‌ରେ ଅପରାହ୍ଣ ୪ଟା ଯାଏଁ ଭୋଟ୍‌ ଗ୍ରହଣ କରାଯିବ ଓ ଅନ୍ୟ କେତେକ ବୁଥ୍‌ରେ ସନ୍ଧ୍ୟା ୬ଟା ଯାଏଁ ଭୋଟ୍‌ ଗ୍ରହଣ ଚାଲିବ। ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ମଜଭୁତ କରାଯାଇଛି।

By amfnews

Related Post