Fri. Mar 6th, 2026

ରାଜ୍ୟର ଏହି ୧୪ଟି ଜିଲ୍ଲାରେ ରହିଛି କାଳବୈଶାଖୀ ସମ୍ଭାବନା

501 Views

ଭୁବନେଶ୍ୱର: ଆଜି (ରବିବାର) ଅପରାହ୍ଣ ୩ଟା ପର ଠାରୁ ରାଜ୍ୟର କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସାଟେଲାଇଟ୍‌ ଚିତ୍ର ଓ ଡପ୍‌ଲର ରାଡାର ସୂଚନାକୁ ଆଧାର କରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ ଆଜି ଅପରାହ୍ଣ ୩ ଟାରୁ ରାତି ୧୦ଟା ୩୦ ମଧ୍ୟରେ ଏହି ସମସ୍ତ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହଠାତ୍‌ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଆରମ୍ଭ ହୋଇଯିବ। ଏଥିସହ ଏହି ସମୟ ମଧ୍ୟରେ ଏହି ସମସ୍ତ ସ୍ଥାନରେ ପ୍ରବଳ ପବନ ସହ ବଜ୍ରପାତର ଆଶଙ୍କା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବାକୁ ଜାରି ସତର୍କ ସୂଚନାରେ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ବି ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର, ଆଭ୍ୟନ୍ତର ଓ ଉପକୂଳ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି, ଅନୁଗୁଳ ଓ ଢ଼େଙ୍କାନଳ ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବ ଲାଗି ରହିବ। ଫଳରେ ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପବନର ବେଗ ଅଧିକ ରହିବ। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ ଠାରେ ୪୨.୦ ଡିଗ୍ରି ସେଲସିୟସ୍‌ ରେକର୍ଡ କରା ଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୭.୮ ଡିଗ୍ରି ସେଲସିୟସ୍‌ ବାଲେଶ୍ୱର ଠାରେ ରେକର୍ଡ କରାଯାଇଥିଲା।

By amfnews

Related Post