Tue. Dec 24th, 2024

ରାଜଧାନୀ ଜଳ ସମସ୍ୟା ସୁଧାରିବାକୁ ଉଦ୍ୟମ : କୁଆଖାଇ ଓ ଦୟାରେ ହେବ ଚେକ୍‌ ଡ୍ୟାମ୍

By amfnews Nov 30, 2019 #Featured
133 Views

ଭୁବନେଶ୍ବର : ବର୍ଷକୁ ୧୦ମାସ ଶୁଖିଲା ପଡ଼ୁଥିବା କୁଆଖାଇ ଓ ଦୟାକୁ ଚିରସ୍ରୋତା କରିବାକୁ ଜଳସମ୍ପଦ ବିଭାଗ ଅଣ୍ଟା ଭିଡ଼ିଛି। ଏଥର ଆଉ ଯନ୍ତ୍ରୀ ସ୍ତରରେ ନ ହୋଇ ସିଧା ଜଳସମ୍ପଦ ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେଉଛି। ଦୀର୍ଘ ୮ବର୍ଷ ହେଲା କୁଆଖାଇରେ ବ୍ୟାରେଜ୍ କରିବ କରିବ ବୋଲି ଜଳସମ୍ପଦ ବିଭାଗ ଯୋଜନା କରୁଛି। ହେଲେ ତାହା କରିପାରୁ ନାହିଁ। ଏହି ଯୋଜନାକୁ କିପରି ତ୍ବରାନ୍ବିତ କରାଯିବ ଏବଂ ସହଜରେ ନଦୀରେ ଜଳ ଘେରି କରିହେବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ମହାରାଷ୍ଟ୍ର ଢାଞ୍ଚାରେ ଭୁବନେଶ୍ବରରେ ଏହି ଦୁଇ ନଦୀରେ ଚେକ୍‌ ଡ୍ୟାମ୍ କରି ଜଳଘେରି କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ମହାରାଷ୍ଟ୍ରରେ ଚେକ୍‌ ଡ୍ୟାମ୍ ଯୋଜନା ସଫଳ କରିଥିବା ଅଧିକାରୀମାନଙ୍କ ସହ ଆଲୋଚନା ଆରମ୍ଭ ହୋଇଛି।

ରାଜଧାନୀକୁ ଦୈନିକ ପ୍ରାୟ ୨୧୦ ମିଲିଅନ ଲିଟର ପାଣି ଯୋଗାଣ ହେଉଛି। ଏଥିରୁ ପ୍ରାୟ ୧୦୦ ମିଲିଅନ ଲିଟର ପାଣି କୁଆଖାଇ ଏବଂ ୧୫ ମିଲିଅନ ଲିଟର ପାଣି ଦୟାରୁ ଯୋଗାଣ ହେଉଛି। ହେଲେ ଅକ୍ଟୋବରରୁ ଜୁଲାଇ ପର୍ଯ୍ୟନ୍ତ ଦୁଇଟି ନଦୀ ଶୁଖି ଯାଉଥିବାରୁ ଏଥିରୁ ପାଣି ଯୋଗାଣ କରିବା କଷ୍ଟକର ହୋଇପଡ଼ୁଛି। ତେଣୁ ଦୁଇଟି ନଦୀରେ ଜନସ୍ବାସ୍ଥ୍ୟ ବିଭାଗ ବାଲି ବନ୍ଧ କରି ପାଣି ଅଟକାଇ ଯୋଗାଣ କରୁଛି। ଆବଶ୍ୟକତା ଅନୁଯାୟୀ ପାଣି ଯୋଗାଣ ହୋଇ ପାରୁ ନ ଥିବାରୁ ରାଜଧାନୀରେ ଏହି ୧୦ମାସ ଜଳ ଯୋଗାଣ ପ୍ରଭାବିତ ହେଉଛି। ବିଶେଷ କରି ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ ୪ମାସ ଜଳ କଷ୍ଟ ସାଂଘାତିକ ହେଉଛି।

ରାଜ୍ୟ ସରକାର ରାଜଧାନୀରେ ୨୪ଘଣ୍ଟିଆ ପିଇବା ପାଣି ଯୋଗାଣ କରିବାକୁ ଘୋଷଣା କରିଥିଲେ ହେଁ ଶୁଖିଲା କୁଆଖାଇ ଓ ଦୟା ନଦୀ ସରକାରଙ୍କ ନିଦ ହଜାଇ ଦେଇଛି। ତେଣୁ ଏହି ଦୁଇ ନଦୀରେ ବ୍ୟାରେଜ୍ କରିବାକୁ ଜଳସମ୍ପଦ ବିଭାଗ ତତ୍ପର ହୋଇଉଠିଛି।

ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ଯେପରି ନଦୀର ପୋଲ ତଳେ ଚେକ୍‌ ଡ୍ୟାମ୍ କରି ପାଣି ଅଟକା ଯାଉଛି ଭୁବନେଶ୍ବରରେ ସେହିପରି କରାଯିବାକୁ ଯୋଜନା ହେଉଛି। ଏଥିରେ ବ୍ରିଜ୍ ତଳେ ୩୦ରୁ ୫୦ମିଟର ପର୍ଯ୍ୟନ୍ତ କଙ୍କ୍ରିଟ ବନ୍ଧ ହେବ। ଏହି ବନ୍ଧର ଉଚ୍ଚତା ୧ମିଟର ପର୍ଯ୍ୟନ୍ତ ରହିବ। ଏହା ଉପରେ ପାଣି ସ୍ବତଃସ୍ଫୂର୍ତ୍ତ ଭାବେ ପ୍ରବାହିତ ହୋଇପାରିବ ଏବଂ କିଛି ପାଣି ଜମା ହୋଇ ରହିବ। ଫଳରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଆବଶ୍ୟକ ପାଣି ଏଠାରୁ ଉଠାଯାଇ ପାରିବ।

ଦୟା ଓ କୁଆଖାଇ ପାଇଁ ଏହି ଯୋଜନା ନିତାନ୍ତ ଆବଶ୍ୟକ ଥିବାରୁ କୁଆଖାଇର ହଂସପାଳ ନିକଟରେ ଏବଂ ଦୟାର ଲିଙ୍ଗିପୁର ନିକଟ ବ୍ରିଜ୍‌ ତଳେ ଏହି ଭଳି ଚେକ୍‌ ଡ୍ୟାମ୍ କରିବାକୁ ଯୋଜନା ହୋଇଛି। ଏନେଇ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ପୂର୍ତ୍ତ ଓ ଜଳସମ୍ପଦ ବିଭାଗ ମିଳିତ ଉଦ୍ୟମରେ ନଦୀର ବ୍ରିଜ୍ ତଳେ ଚେକ୍‌ ଡ୍ୟାମ୍ କରାଯିବ। ଏହାଦ୍ବାରା ଯେପରି ନଦୀର ଜଳପ୍ରବାହ ପ୍ରଭାବିତ ହେବନି ସେଥିପ୍ରତି ଗୁରୁତ୍ବ ଦିଆଯିବ। ଚେକ୍‌ ଡ୍ୟାମ୍‌ର ଉଚ୍ଚତା ୧ମିଟର ରଖିବାକୁ ଯୋଜନା ହେଉଛି। ସାଧାରଣତଃ ନଦୀଗୁଡ଼ିକର ଜଳସ୍ରୋତ ୩୦ରୁ ୫୦ମିଟର ଓସାର ମଧ୍ୟରେ ପ୍ରବାହିତ ହେଉଥିବାରୁ ସେହି ଲମ୍ବର ବନ୍ଧ କରାଯିବ। ଖୋର୍ଦ୍ଧା ଜିଲ୍ଲାର ଦୁଇଟି ନଦୀରେ ଏହିଭଳି ଚେକ୍‌ ଡ୍ୟାମ୍ ହେବ। ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହିଭଳି ଚେକ୍‌ ଡ୍ୟାମ୍ ହେବ।

ଏହି ଯୋଜନା ସଫଳ କରିବାକୁ ଆମେ ମହାରାଷ୍ଟ୍ର ଢାଞ୍ଚା ଆପଣାଇବୁ। ଏଥିପାଇଁ ମହାରାଷ୍ଟ୍ର ସରକାରଙ୍କ ପୂର୍ବତନ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଏବଂ ପୂର୍ବତନ ପୂର୍ତ୍ତ ସଚିବଙ୍କ ସହ ଆଲୋଚନା କରିଛୁ। ଏହି ଦୁଇ ଅଧିକାରୀଙ୍କ ଅଭିଜ୍ଞତାକୁ ଭିତ୍ତି କରି ଆମେ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛୁ। ଏନେଇ ଆଜି ପ୍ରାଥମିକ ଆଲୋଚନା ଶେଷ ହୋଇଛି। ଆଜିର ଏହି ବୈଠକରେ ଜଳସମ୍ପଦ ବିଭାଗ ମନ୍ତ୍ରୀଙ୍କ ସମେତ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଏହିଭଳି ଚେକ୍‌ ଡ୍ୟାମ୍ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ କି ଅନ୍ୟ କାହାର ଅନୁମତି ଆବଶ୍ୟକ ପଡ଼ିବନି। ୨୦୧୧-୧୨ରୁ ବାଲିଅନ୍ତା କେନାଲ ସବ୍‌-ଡିଭିଜନ, ସିଡବ୍ଲୁସି (କେନ୍ଦ୍ରୀୟ ଜଳ ଆୟୋଗ) ପକ୍ଷରୁ କୁଆଖାଇ ଓ କୁଶଭଦ୍ରାରେ ବ୍ୟାରେଜ୍ ନିର୍ମାଣ ନେଇ ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇ ପାରି ନ‌ାହିଁ। କିଛି ମାସ ତଳେ ସିଡବ୍ଲ୍ୟୁସି ପକ୍ଷରୁ ଏଠାରେ ବ୍ୟାରେଜ୍ ନିର୍ମାଣ ନେଇ ଯେଉଁ ଯୋଜନା ପ୍ରସ୍ତୁତ ହୋଇଥିଲା ତାହାକୁ ବୈଷୟିକ ଦୃଷ୍ଟିକୋଣରୁ ବାତିଲ୍‌ କରି ଦିଆଯାଇ ଥିଲା। ଏହାପରେ କୁଆଖାଇରେ ବ୍ୟାରେଜ୍ ନିର୍ମାଣ ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ତେବେ ବର୍ତ୍ତମାନ ଯୋଜନା ଦ୍ବାରା ସେଥିରେ ପୁଣି କିଛିଟା ଆଶା ସଂଚ‌ାର ହୋଇଛି।

By amfnews

Related Post