Sat. Jan 11th, 2025

ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି

By amfnews Dec 27, 2019 #Featured
129 Views

ଭୁବନେଶ୍ବର : ନାଲକୋ ସହାୟତାରେ ରେଳ ବିଭାଗ ପକ୍ଷରୁ ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ପ୍ରଦର୍ଶନ କରିବା ଦିଗରେ ଯେଉଁ ପଦକ୍ଷେପ ନିଆଯାଇଛି ତାହା ସ୍ବାଗତଯୋଗ୍ୟ। ଏହାଦ୍ବାରା ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନ ଦେଶର କୋଣ ଅନୁକୋଣରେ ପହଞ୍ଚିପାରିବ ବୋଲି ଭୁବନେଶ୍ବରଠାରେ ଓଡ଼ିଶାର ସଂସ୍କୃତି ଓ କଳାରେ ବ୍ରାଣ୍ଡିଂ ହୋଇଥିବ‌ା ରାଜଧାନୀ ଏକ୍ସପ୍ରେସ୍‌ ଏବଂ ଓଡ଼ିଆ ଭାଷାରେ ଅସଂରକ୍ଷିତ ଟ୍ରେନ୍‌ ଟିକେଟ୍‌ର ପ୍ରଚଳନର ଶୁଭାରମ୍ଭ କରି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ତଥା ଇସ୍ପାତ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ରାଜଧାନୀ ଏକ୍ସପ୍ରେସ୍‌ର ୩ ଯୋଡ଼ା ଟ୍ରେନ୍‌ରେ ଓଡ଼ିଆ ସଂସ୍କୃତି ଦେଖିବାକୁ ମିଳିବ। ଏକ୍ସପ୍ରେସ୍‌ ବିଭିନ୍ନ ରାଜ୍ୟ ଦେଇ ଦିଲ୍ଲୀ ଯିବା ବେଳେ ଟ୍ରେନ୍‌ର ଓଡ଼ିଶାର କଳା, ସଂସ୍କୃତିର ଚିତ୍ରକୁ ଲୋକେ ‌ଦେଖିପାରିବେ। ଅନ୍ୟ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକ ମଧ୍ୟ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ। ପୂର୍ବରୁ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଅସଂରକ୍ଷିତ ବଗି ପାଇଁ ଇଂରାଜୀ ଓ ହିନ୍ଦୀ ଭାଷାର ଟିକେଟ୍‌ ପ୍ରଚଳନ ଥିଲା। ମାତ୍ର ଏବେ ରେଳ ବିଭାଗ ପକ୍ଷରୁ ଓଡ଼ିଆ ଭାଷାରେ ଟିକେଟ୍‌ ପ୍ରଚଳନ ହୋଇଛି। ଏହାଦ୍ବାରା ଓଡ଼ିଶାରେ ୩୧୭ଟି ରେଳ ଷ୍ଟେସନର ‌ଯେକୌଣସି ସ୍ଥାନକୁ ଟ୍ରେନ୍‌ରେ ଯାତ୍ରା କଲେ ଉକ୍ତ ଟିକେଟ୍‌ରେ ଇଂରାଜୀ, ହିନ୍ଦି ସମେତ ଓଡ଼ିଆ ଭାଷାରେ ଉଲ୍ଲେଖ ରହିଥିବ। ତେଣୁ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ସା˚ସଦ ଅପରାଜିତା ଷଢ଼ଙ୍ଗୀ, ରାଜ୍ୟସଭା ସା˚ସଦ ଡ. ରଘୁନାଥ ମହାପାତ୍ର, ଖୋର୍ଦ୍ଧା ରୋଡର ଡିଆରଏମ୍‌ ଶଶିକାନ୍ତ ସି˚ହ, ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ରଙ୍କ ସମେତ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ରାଜଧାନୀ ଏକ୍ସ‌ପ୍ରେସ୍‌ର ବାହାର ପାର୍ଶ୍ବରେ ଓଡ଼ିଶାର କଳା, ସ˚ସ୍କୃତି ଓ ଐତିହ୍ୟ ସ୍ଥଳୀଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। ନାଲ୍‌କୋ ଦ୍ବାରା ପ୍ରାୟୋଜିତ ହୋଇଥିବା ଏହି ବ୍ୟବସ୍ଥାରେ ପ୍ରତ୍ୟେକ କୋଚ୍‌ରେ ଭିନ୍ନ ଦୃଶ୍ୟ ଥାଇ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି। ଡିଜାଇନ୍‌ଗୁଡ଼ିକ ବିଭିନ୍ନ ନୃତ୍ୟ, ପ୍ରତ୍ନତାତ୍ତ୍ବିକ କୀର୍ତ୍ତି, ଜୀବଜନ୍ତୁ, ଉଦ୍ଭିଦଗୁଡ଼ିକୁ ପ୍ରୋତ୍ସାହନ ଦେଉଛି। ଏହା ଓଡ଼ିଶାର ପାରମ୍ପରିକ କଳା ଓ ପର୍ଯ୍ୟଟନ ଦକ୍ଷତାକୁ ସୁଦୂରପ୍ରସାରୀ କରିବ।

By amfnews

Related Post