Tue. Nov 5th, 2024

ରାଜ କର୍ମଚାରୀ କରୋନାଭାଇରସରେ ଆକ୍ରାନ୍ତ ହେବାରୁ ବକିଙ୍ଗହାମ୍ ରାଜପ୍ରାସାଦ ଛାଡ଼ିଲେ ରାଣୀ ଦ୍ୱିତୀୟ ଏଲିଜାବେଥ୍

By amfnews Mar 23, 2020 #Featured
114 Views

ଲଣ୍ଡନ: ବକିଙ୍ଗହାମ୍ ରାଜପ୍ରାସାଦର ଜଣେ କର୍ମଚାରୀ କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ରାଣୀ ଦ୍ୱିତୀୟ ଏଲିଜାବେଥ୍ ସେଠାରୁ ଅନ୍ୟତ୍ର ଚାଲିଯାଇଛନ୍ତି ।

ପ୍ରତିଷେଧାତ୍ମକ ବ୍ୟବସ୍ଥାସ୍ୱରୂପ ୯୩ ବର୍ଷୀୟା ରାଣୀଙ୍କୁ ଗୁରୁବାର ଦିନ ୱିଣ୍ଡସର କ୍ୟାସେଲକୁ ସ୍ଥାନାନ୍ତର କରାଯାଇଛି । ରାଣୀ ସେଠାରେ ଅନିର୍ଦ୍ଦିଷ୍ଟ କାଳଯାଏଁ ରହିବେ । ତାଙ୍କର ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କଥା ଜଣାପଡ଼ିଛି । ରାଣୀ ବକିଙ୍ଗହାମ ପ୍ରାସାଦରେ ଥିବାବେଳେ ସମ୍ପୃ୍କ୍ତ ରାଜ କର୍ମଚାରୀଜଣକ କରୋନାଭାଇରସ ସଂକ୍ରମିତ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା । କିନ୍ତୁ, ସେ କେତେଦୂର ରାଣୀଙ୍କ ସହ ମିଳାମିଶା କରିଛନ୍ତି, ତାହା ଜଣାପଡ଼ିନାହିଁ । ସେ କର୍ମଚାରୀଙ୍କୁ ଏକାନ୍ତବାସରେ ରଖାଯାଇଛି ।

ବକିଙ୍ଗହାମ ରାଜପ୍ରାସାଦରେ ୫୦୦ କର୍ମଚାରୀ ଅଛନ୍ତି । କୌଣସି ପରିସ୍ଥିତିରେ ସେ କର୍ମଚାରୀଜଣକ କରୋନାଭାଇରସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥାଇ ପାରନ୍ତି ବୋଲି ରାଜପ୍ରାସାଦ ତରଫରୁ କୁହାଯାଇଛି ।

ଏପ୍ରିଲ୍ ୨୧ ତାରିଖ ଦିନ ରାଣୀ ଦ୍ୱିତୀୟ ଏଲିଜାବେଥ୍ ୯୪ ବର୍ଷରେ ପଦାର୍ପଣ କରିବେ । ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଅବସ୍ଥିତ ଉଇଣ୍ଡସର୍ କ୍ୟାସେଲରେ ସେ ତାଙ୍କ ୯୮ ବର୍ଷିୟ ସ୍ୱାମୀ ରାଜକୁମାର ଫିଲିପଙ୍କ ସହ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି ।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ ଶନିବାର ସୁଦ୍ଧା “କୋଭିଡ୍-୧୯’ ମହାମାରୀରେ ଆକ୍ରାନ୍ତ ହୋଇ ଇଂଲଣ୍ଡରେ ୨୩୩ ଜଣଙ୍କର ମୃତ୍ୟୁ ଘଟିଛି ।

By amfnews

Related Post