Sat. Jan 11th, 2025

ରାଉରକେଲାରେ ସ୍ୱାଧୀନତା ଦିବସ ପାଳନ-୨୦୧୮ ପାଇଁ ପ୍ରସ୍ତୁତି ବୈଠକ

rklsanchar@gmail.com' By J.N. Pradhan Aug 1, 2018 #Featured
255 Views

ରାଉରକେଲା, ୧ା୮: ସ୍ଥାନୀୟ ଉଦିତନଗର ସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ କକ୍ଷଠାରେ ରାଉରକେଲାରେ ଆଗାମୀ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲାପାଳ ତଥା ଜାତୀୟ ଦିବସ ପାଳନ କମିଟି ଅଧ୍ୟକ୍ଷା ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମ୍ୟୁନିସିପାଲ ଉପାୟୁକ୍ତ ସୁଷମା ବିଲୁଙ୍ଗ, ଉପଜିଲାପାଳ ପାନପୋଷ କାର୍ଯ୍ୟାଳୟର ସହକାରୀ ଜିଲାପାଳ ଏସ୍.କେ. ବେହେରାଙ୍କ ସମେତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟର ମୁଖ୍ୟ, ସାଂସ୍କୃତିକ, ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ତଥା ଜାତୀୟ ଦିବସ ପାଳନ କମିଟିର ସଦସ୍ୟ/ସଦସ୍ୟା, ସାମ୍ବାଦିକ, ସାମ୍ବାଦିକା, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବୈଠକର ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲାପାଳ ଶ୍ରୀମତୀ ବାନାର୍ଜୀଙ୍କ ଅନୁମତିକ୍ରମେ ସ୍ୱାଧୀନତା ଦିବସ ପାଳନ ପାଇଁ ଆଲୋଚ୍ୟ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ପ୍ରାତଃ ୪.୩୦ମିନିଟରେ ରାମଧୂନ, ସକାଳ ୬ଟାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତ ଫେରୀ, ସକାଳ ସାଢେ ୭ଟାରେ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବୈଷୟିକ ପ୍ରତିଷ୍ଠାରେ ଜାତୀୟ ପତାକା ଉତ୍ତୋଳନ ଏବଂ ପୂର୍ବାହ୍ନ ୯ଟା ୧୫ରେ ସ୍ଥାନୀୟ ଉଦିତନଗର ପ୍ୟାରେଡ୍ ପଡିଆରେ ସ୍ୱାଧୀନତା ଦିବସର ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ । ପ୍ୟାରେଡ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଉତ୍ସବ ସ୍ଥଳରେ ଦେଶାତ୍ମବୋଧକ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ । ଏତଦ୍ବ୍ୟତୀତ ଚଳିତ ବର୍ଷ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବିଭିନ୍ନ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ୍ ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି । ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେପ ପ୍ରାଥମିକ (୧ମରୁ ୭ମ), ଉଚ୍ଚବିଦ୍ୟାଳୟ (୮ମରୁ ୧୦ମ), ମହାବିଦ୍ୟାଳୟ ସ୍ତରରେ ବକ୍ତୃତା, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ଛୋଟି, ସାଧାରଣ ଜ୍ଞାନ ଓ ଦେଶାତ୍ମବୋଧକ ସଙ୍ଗୀତ ଗାନ ପ୍ରତିଯୋଗିତା ଆୟୋଜନ କରାଯିବ । ସ୍ୱାଧୀନତା ଦିବସ ଦିନ ସହରରେ ଥିବା ଜନନାୟକ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଦିବସ ପାଳନ ଅବସରରେ ରାଉରକେଲା ସହରର +୨ କଳା, ବାଣିଜ୍ୟ ଓ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ, କ୍ରୀଡା, ସାହିତ୍ୟ, ସଂସ୍କୃତି ପ୍ରଭୃତି କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷ ଏବଂ ଚଳିତ ବର୍ଷ ରାଉରକେଲା ସହରରେ ଦ୍ୱାଦଶ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ସିଏଚ୍ଏସ୍ସି, ସିବିଏସ୍ସି ଓ ଆଇସିଏସ୍ଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ତଥା ରାଜ୍ୟ ସ୍ତରରେ ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ଦିବସ ପ୍ୟାରେଡ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ । ପ୍ୟାରେଡ୍ ଉତ୍ସବ ପରେ ମୁଖ୍ୟ ଅତିଥି ରାଉରକେଲା ପର୍ଯ୍ୟବେକ୍ଷଣ ଆବାସ, ସ୍ୱତନ୍ତ୍ର କାରାଗାର ତଥା ଜିଲା ମୁଖ୍ୟ ଚିକିତ୍ସାଳୟର ଅନ୍ତେବାସୀ ତଥା ଚିକିତ୍ସାଧିନ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିବେ । ଉକ୍ତଦିନ ଅପରାହ୍ନରେ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଆୟୋଜନ କରାଯିବା ନିମନ୍ତେ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଆର୍ଡବ୍ଲ୍ୟୁଏସ୍ଏସ୍ ତରଫରୁ ଦିବସ ପରିପ୍ରେକ୍ଷୀରେ ଏକ ସଚେତନତା ଗଣଦୌଡ କରାଯାଇ କୃତୀ ବ୍ୟକ୍ତିଙ୍କୁ ସ୍ୱାଧୀନତା ଦିବସ ଦିନ ପୁରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆନୁସଙ୍ଗିକ ବ୍ୟବସ୍ଥାରେ ପ୍ୟାରେଡ୍ ପରିଡଆରେ ସାଜସଜ୍ଜା, ସଫେଇ, ପାନୀୟଜଳ ଯୋଗାଣ, ପ୍ୟାରେଡ୍ ଅଭ୍ୟାସ, ଟ୍ରାଫିକ୍ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା । ପୁଣି ରାଉରକେଲା ସ୍ଥିତ ଅନାଥ ଆଶ୍ରମର ଅନ୍ତେବାସୀଙ୍କ ଚିତ୍ତବିନୋଦନ ପାଇଁ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯିବ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ବୈଠକର ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲାପାଳଙ୍କ ଅନୁମତି ନେଇ ସଭାରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଦେବୀପ୍ରସାଦ ତ୍ରିପାଠୀ, ଭୋମା ଅହିର, ପ୍ରଦୀପ କୁମାର ମଲ୍ଲିକ, ମନବୋଧ ବଗର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ ।

Related Post