Tue. Dec 24th, 2024

ରାଉରକେଲାର ୪ର୍ଥ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ବସ୍ତି ହେଲା ଗାଢାଟୋଲା ବସ୍ତି

rklsanchar@gmail.com' By J.N. Pradhan Jun 27, 2018 #Featured
230 Views

ରାଉରକେଲା, ୨୭/୬: ରାଉରକେଲା ସହରକୁ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ସହରରେ ପରିଣତ କରିବା ଦିଗରେ ଆର୍ଏସ୍ସିଏଲ୍ କର୍ତ୍ତୃପକ୍ଷ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୱାର୍ଡ ନମ୍ବର ୪ ଅଧିନରେ ଥିବା ଗାଢାଟୋଲା ବସ୍ତିକୁ ସମ୍ପୂର୍ଣ୍ଣ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ବସ୍ତିରେ ପରିଣତ କରିବାରେ ମିଳିଛି ସଫଳତା । ଆର୍ଏସ୍ସିଏଲ୍ କର୍ତ୍ତୃପକ୍ଷ, ଆର୍ଏମ୍ସି ଓ ଫିଡ୍ବ୍ୟାକ ଫାଉଣ୍ଡେସନର ମିଳିତ ପ୍ରୟାସରେ ଏହି ସଫଳତା ମିଳିପାରିଛି ।

ପ୍ରଥମେ ବିଭାଗୀୟ ଅଧିକାରୀ ତଥା ଫିଡ୍ବ୍ୟାକ ଫାଉଣ୍ଡେସନର କର୍ମକର୍ତ୍ତାମାନେ ବସ୍ତି ବାସିନ୍ଦାଙ୍କୁ ବାହ୍ୟ ମଳତ୍ୟାଗର ଭୟାବହତା ସମ୍ପର୍କରେ ସଚେତନ କରାଇଥିଲେ । ପରେ ବସ୍ତି ବାସିନ୍ଦାଙ୍କୁ ନେଇ ନିରୀକ୍ଷଣ କମିଟି ଗଠନ କରାଯାଇଥିଲା । ଏହି ନିରୀକ୍ଷଣ କମିଟି ପ୍ରତିଦିନ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ବୁଝାଇ ପାଇଖାନା ବ୍ୟବହାର ପାଇଁ ପ୍ରେରିତ କରିଥିଲେ । ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଯିବା ସହ ଗୋଷ୍ଠୀ ବୈଠକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିଲା ।

ଏପରି କାର୍ଯ୍ୟକ୍ରମ ଦ୍ୱାରା ସ୍ଥାନୀୟ ବସ୍ତିବାସିନ୍ଦାମାନେ ଖୋଲା ସ୍ଥାନରେ ମଳତ୍ୟାଗ ନ କରିବାକୁ ଶପଥ ନେଇଥିଲେ । ଏପରି ନିରନ୍ତର ପ୍ରୟାସ ପରେ ଗାଢାଟୋଲା ବସ୍ତି ସମ୍ପୂର୍ଣ୍ଣ ବାହ୍ୟ ମଳ ତ୍ୟାଗମୁକ୍ତ ବସ୍ତିରେ ପରିଣତ ହୋଇପାରିଛି । ଏଥିପାଇଁ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କ ଦ୍ୱାରା ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆର୍ଏମ୍ସି ଉପାୟୁକ୍ତ ସୁଷମା ବିଲୁଙ୍ଗ, ଆର୍ଏସ୍ସିଏଲ୍ ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନବୀନ ପଟେଲଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେଇ ବସ୍ତିବାସିନ୍ଦାଙ୍କୁ ଉତ୍ସାହିତ କରିଥିଲେ ।

ବର୍ତ୍ତମାନ ଗାଢାଟୋଲା ବସ୍ତିରେ ୧୪୭ ପରିବାର ବସବାସ କରୁଥିବା ବେଳେ ପୂର୍ବରୁ ଏଠାରେ ୬୯ ପରିବାର ନିକଟରେ ବ୍ୟକ୍ତିଗତ ପାଇଖାନା ଥିଲା । ନିକଟରେ ଆଉ ୨୦ଟି ବ୍ୟକ୍ତିଗତ ପାଇଖାନା ନିର୍ମାଣ କରାଯାଇଛି । ଫଳରେ ମୋଟ ୮୯ଟି ବ୍ୟକ୍ତିଗତ ପାଇଖାନାକୁ ବର୍ତ୍ତମାନ ୧୦୧ ପରିବାର ବ୍ୟବହାର କରୁଛନ୍ତି । ଅବଶିଷ୍ଟ ୪୬ ପରିବାର ବସ୍ତିରେ ଥିବା ଗୋଷ୍ଠୀ ପାଇଖାନାକୁ ବ୍ୟବହାର କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ତେଲୁଗୁପଡା ବସ୍ତି, ମାଗୁଣି ବସ୍ତି ଓ ମା କଲ୍ୟାଣୀ ଝୁମ୍ପୁଡି ବସ୍ତିକୁ ବାହ୍ୟ ମଳମୂତ୍ର ତ୍ୟାଗ ବସ୍ତି ଭାବେ ଘୋଷଣା କରାଯାଇଥିଲା ।

Related Post