Wed. Mar 11th, 2026

ରାଉରକେଲା ସହ ରାଜ୍ୟରେ ୩ ନୂଆ ବିମାନ ବନ୍ଦର

208 Views

ଭୁବନେଶ୍ୱର : ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରକୁ ଚଳିତ ମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ଏହା ବ୍ୟତୀତ ରାଜ୍ୟରେ ଆଉ ତିନିଟି ଛୋଟ ବିମାନ ବନ୍ଦରର ନିର୍ମାଣ କାମ ଜାରି ରହିଛି। ୨୦୧୯ ସୁଦ୍ଧା ସେସବୁ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ ବୋଲି ଭାରତୀୟ ବିମାନ ବନ୍ଦର କର୍ତୃପକ୍ଷ(ଏଏଆଇ)ର ସଦସ୍ୟ (ଯୋଜନା) ଏ କେ ପାଠକ କହିଛନ୍ତି।

ସେ କହିଲେ, କୋରାପୁଟର ଜୟପୁର, ସୁନ୍ଦରଗଡ଼ର ରାଉରକେଲା ଓ କଳାହାଣ୍ଡିର ଉତ୍‌କେଲାଠାରେ ଏହି ବିମାନ ବନ୍ଦରଗୁଡ଼ିକ ବିକଶିତ କରାଯାଉଛି। ଶହେ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ କରି ଏହି ବିମାନ ବନ୍ଦରଗୁଡ଼ିକର ଭିତ୍ତିଭୂମି ବିକଶିତ କରାଯାଉଛି। ରାଉରକେଲା ବିମାନ ବନ୍ଦର ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି। ଜୟପୁର ଓ ଉତ୍‌କେଲା ବିମାନ ବନ୍ଦର ୨୦୧୯ ମାର୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ପାଠକ ଆଶ ପ୍ରକଟ କରିଛନ୍ତି।ଝାରସୁଗୁଡ଼ା ବିମାନ ବିଷୟରେ ସେ କହିଲେ, ଏବେ ଯେଉଁ ଭିତ୍ତିଭୂମି ବିକଶିତ କରାଯାଇଛି ସେଥିରେ ବର୍ଷକୁ ୯ ଲକ୍ଷ ଯାତ୍ରୀଙ୍କୁ ପରିଚାଳନା କରାଯାଇପାରିବ। ଏହି ବିମାନ ବନ୍ଦର ପାଖରେ ୧୦୨୮ ଏକର ଜମି ରହିଛି ଯାହା ଭୁବନେଶ୍ୱର ବିମାନ ବନ୍ଦର ସହ ପ୍ରାୟ ସମାନ। ଭବିଷ୍ୟତରେ ୨୦ ନିୟୁତ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ଝାରସୁଗୁଡ଼ା ବିମାନ ବନ୍ଦରକୁ ବିକଶିତ କରାଯାଇପାରିବ।

ଏହି ବିମାନ ବନ୍ଦରରେ ୮୦୦୦ ଫୁଟ ଓ ୪୫ ମିଟର ଚଉଡ଼ାର ରନ୍‌େଓ୍ଵ ନିର୍ମାଣ କରାଯାଇଛି। ଏୟାରବସ୍‌ ୩୨୦ ଓ ବୋଇଙ୍ଗ୍‌ ୭୩୭ ଭଳି ବଡ଼ ବିମାନ ଏଠାରେ ଅବତରଣ କରିପାରିବ ବୋଲି ସେ କହିଛନ୍ତି। ଶ୍ରୀ ପାଠକ କହିଛନ୍ତି ଯେ, ଖୁବ୍‌ଶୀଘ୍ର ଦେଶରେ ୧୦୦ତମ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହା ବାଦ ଆଉ ୩୦ଟି ନୂଆ ବିମାନ ବନ୍ଦର ଉପରେ କାମ ଜାରି ରହିଛି। ବର୍ଷେ କିମ୍ବା ୧୫ ମାସ ଭିତରେ ସେସବୁ ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଯିବ। ସେହିପରି, ଦେଶରେ ୩୧ଟି ହେଲିପ୍ୟାଡ୍‌ ନିର୍ମାଣ କରିବା ପାଇଁ ଆମ ପାଖରେ ବିଡ୍‌ ପହଞ୍ଚିଛି ବୋଲି ସେ ସୂଚନା ଦେଇଛନ୍ତି। ହେଲିପ୍ୟାଡ୍‌ଗୁଡ଼ିକୁ ଡିଜିସିଏ ଓ ପଓ୍ଵନ ହଂସ ଲିମିଟେଡ୍‌ ଦ୍ୱାରା ବିକଶିତ କରାଯାଇଥାଏ ବୋଲି ସେ କହିଛନ୍ତି।

By amfnews

Related Post