Thu. Jan 23rd, 2025

ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା ଓ ଜୟପୁର ସହରକୁ ନିୟମିତ ବିମାନ ସେବା ଖୁବ୍ ଶୀଘ୍ର

By amfnews Apr 10, 2015
462 Views

ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା ଓ ଜୟପୁର ସହରକୁ ନିୟମିତ ବିମାନ ସେବା ଖୁବ୍‍ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓ ସାଧାରଣ ପ୍ରଶାସନ ବିଭାଗ ଏ ସଂକ୍ରାନ୍ତରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି । ଚଳିତମାସରେ ଏ ସଂକ୍ରାନ୍ତରେ ଟେଣ୍ଡର ପ୍ରକାଶ ପାଇବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଞ୍ଚଳିକ ବାୟୁ ଯୋଗାଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି । ରାଉରକେଲା-ଝାରସୁଗୁଡ଼ା-ସମ୍ବଲପୁର-ଭୁବନେଶ୍ୱର ଏବଂ ଜୟପୁର-ଭୁବନେଶ୍ୱର ବିମାନ ଚଳାଚଳ ପାଇଁ ପ୍ରାରମ୍ଭିକ ଭାବରେ ବିଚାର କରାଯାଉଛି । ଜୟପୁର-ଭୁବନେଶ୍ୱର ୬ ଆସନ ବିଶିଷ୍ଟ ଏବଂ ରାଉରକେଲା- ଭୁବନେଶ୍ୱର (ଭାୟା ଝାରସୁଗୁଡ଼ା-ସମ୍ବଲପୁର) ପାଇଁ ୧୦ରୁ ୧୫ ଆସନ ବିଶିଷ୍ଟ ବିମାନ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସିଏମ୍‍ଜିଆଇକୁ ଟେଣ୍ଡର ଆହ୍ୱାନ ପାଇଁ ନିଦେ୍ର୍ଧଶ ଦେଇଛି  ।

ବହୁ ପୂର୍ବରୁ ଜୟପୁର-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ହେଉଥିଲା । କିନ୍ତୁ ତାହା ପ୍ରାୟ ୧୫ ବର୍ଷ ହେଲା ବନ୍ଦ ହୋଇ ଯାଇଛି  । ଅପରପକ୍ଷରେ ରାଉରକେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ ଅନେକବାର ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ  । ରାୟପୁର-ରାଉରକେଲା, ରାଞ୍ଚି-ରାଉରକେଲା, ରାଉରକେଲା-ଭୁବନେଶ୍ୱର ମଧ୍ୟରେ ବିମାନ ସେବା ମଝିରେ ମଝିରେ ଘରୋଇ ଉଦ୍ୟମରେ ଆରମ୍ଭ ହୋଇଥିଲେ ମଧ୍ୟ ତାହା ନିୟମିତ ହୋଇପାରି ନାହିଁ ଏବଂ ଅଳ୍ପ ଦିନ ମଧ୍ୟରେ ତାହା ବନ୍ଦ ହୋଇଯାଇଛି  । ଏପରି ସ୍ଥିତିରେ ସରକାର ନିଜ ଉଦ୍ୟମରେ ବିମାନ ଚଳାଚଳ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଏକପକ୍ଷରେ ରାଜ୍ୟର ପଶ୍ଚିମ, ଦକ୍ଷିଣ ଓଡ଼ିଶାକୁ ବିମାନ ସଂଯୋଗ ହୋଇପାରିଲେ ଆଞ୍ଚଳିକ ବୈଷମ୍ୟ ନେଇ ଉଠୁଥିବା ସ୍ୱର ମଧ୍ୟ ଅନେକାଂଶରେ ଦୂର ହୋଇପାରିବ । ଦ୍ୱିତୀୟତଃ ବିଭିନ୍ନ ସମୟରେ ଜାତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ ପ୍ରସଙ୍ଗରେ ବିମାନସେବା ଏକ ଅନିବାର୍ଯ୍ୟ ଆବଶ୍ୟକତା ହୋଇଥିବାରୁ ଏହି ବିମାନସେବା ଦ୍ୱାରା ସେହି ବାଧା ଦୂର ହୋଇପାରିବ ବୋଲି ମନେ କରାଯାଉଛି ।

ଓଡ଼ିଶାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ୯ଟି ବିମାନବନ୍ଦର ରହିଚି  । ଏହା ମଧ୍ୟରୁ ୪ଟି ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱରେ ଥିବାବେଳେ ୩ଟି ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅଧୀନରେ ଓ ଅନ୍ୟ ୨ଟି ଘରୋଇ ମାଲିକାନାରେ ରହିଛି  । ଏହା ମଧ୍ୟରୁ ଧାନବାଦ, ବୋକାରୋ, ଜାମସେଦପୁର, ରାଞ୍ଚିକୁ ନିୟମିତ ବିମାନସେବା ରହିଛି  ।

କିନ୍ତୁ ଓଡ଼ିଶାରେ ଭୁବନେଶ୍ୱର ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ନିୟମିତ ବିମାନସେବା ନାହିଁ  । ପୁଣି ଭୁବନେଶ୍ୱର ବିମାନବନ୍ଦରକୁ ଆନ୍ତର୍ଜାତିକ ବିମାନଚଳାଚଳ ଏଯାଏ ହୋଇପାରି ନାହିଁ  । ଏହି ସ୍ଥିତିରେ ଝାରସୁଗୁଡ଼ା ବିମାନବନ୍ଦରର ବିକାଶ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି  । କିନ୍ତୁ ସେଲ୍‍ ଅଧୀନରେ ଥିବା ରାଉରକେଲା ବିମାନବନ୍ଦର, ଜୟପୁର, ସମ୍ବଲପୁର, ବ୍ରହ୍ମପୁର ସହର ନିକଟରେ ଥିବା ଏୟାରଷ୍ଟ୍ରିପ୍‍ଗୁଡ଼ିକର ଉପଯୁକ୍ତ ବିକାଶ ହୋଇପାରି ନାହିଁ  ।

ବର୍ତ୍ତମାନ  ରାଜ୍ୟର ୪ ସହରକୁ ନିୟମିତ ବିମାନସେବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଥିବାରୁ ଏହା ଭବିଷ୍ୟତରେ ରାଜ୍ୟର ବିକାଶରେ ଉତ୍ତମ ଯୋଗଦାନ ଦେବ ବୋଲି ଅନୁମାନ କରାଯାଉଛି  ।

By amfnews

Related Post